ls

ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ : ଝରଣୀ ପଞ୍ଚାୟତରେ ଆକ୍ରମଣର ଶିକାର ହେଲେ ସାମ୍ବାଦିକ

2020

କଂଟାବାଂଜି, (ଗୁରୁଦୟାଲ ହଂସ) : ଖବର ସଂଗ୍ରହ ସମୟରେ କଂଟାବାଂଜିର ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଅନ୍ତିମ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ସାମ୍ବାଦିକ ଶ୍ରୀ ପାଣିଗ୍ରାହୀ ନିଜେ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସେ ଦର୍ଶାଇଛନ୍ତି ଯେ, ତୁରେକେଲା ବ୍ଲକ୍‌ ଝରଣୀ ପଞ୍ଚାୟତର ରାମୁଡ଼ ଗାଁରେ କିଛି ଜଣ ପ୍ରବାସୀ ଶ୍ରମିକ କରୋନା ସମୟରେ ଆସି ରହିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ୨୦୦୦ ଟଙ୍କା ନ ପାଇଥିବା ସଂକ୍ରାନ୍ତୀୟ ଖବର ସଂଗ୍ରହ ପାଇଁ ସେ ରାମୁଡ଼ ଗାଁକୁ ଯାଇଥିଲେ । ଖବର ସଂଗ୍ରହ କରୁଥିବା ସମୟରେ ଝରଣୀ ପଞ୍ଚାୟତର ସରପଞ୍ଚ ପ୍ରେମଲତା ମେହେର, ତାଙ୍କ ସ୍ୱାମୀ ନରେନ୍ଦ୍ର ମେହେର ଓ କିଛି ଜଣ ଗୁଣ୍ଡା ଆସି ‘ତୁ କଣ ପାଇଁ ଆମ ପଞ୍ଚାୟତର ନ୍ୟୁଜ୍‌ କରୁଛି, ଆମେ ଦୁର୍ନୀତି କରୁ କି ଆଉ କଣ କରୁ, ତୋର କଣ ଯାଏ’ କହି ଅତି ଅଶ୍ଲୀଳ ତଥା ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ହତ୍ୟା ଧମକ ଦେବା ସହ ମାରପିଟ କରିଥିଲେ । ତେବେ ସେ ଜୀବନ ବଂଚାଇବା ପାଇଁ ସେଠାରୁ ଦୌଡ଼ି ଦୌଡ଼ି ରାମୁଡ଼ ଗାଁର ହୁକୁରାଜ ସାହୁ(ଗୁଲେଖ) ଘରକୁ ପଶି ଯାଇଥିଲେ ଏବଂ ତୁରନ୍ତ ତାଙ୍କ ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍‌ଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ । ଏହାପରେ ତୁରେକେଲା ପୋଲିସ ତାଙ୍କୁ ହୁକୁରାଜଙ୍କ ଘରୁ ଉଦ୍ଧାର କରିଥିଲା ବୋଲି ସେ କହିଛନ୍ତି । ତେବେ ସେ ତାଙ୍କ ଅଭିଯୋଗ ପତ୍ରରେ ଆହୁରି ଦର୍ଶାଇଛନ୍ତି ଯେ, ରାମୁଡ଼ ଗାଁର କିଛି ଜଣ ଶ୍ରମିକ ମନରେଗା କାମ କରି ଟଙ୍କା ନ ପାଇବାରୁ ଗତ ସେପ୍ଟେମ୍ବର ୩ ତାରିଖ ଦିନ ସଂପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ସେହି ଖବର ପ୍ରସାରଣ ରାଗ ନେଇ ତାଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିବା ସେ କହିଛନ୍ତି । ଏଣୁ ଏହି ଘଟଣାର ଉଚିତ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାମ୍ବାଦିକ ଶ୍ରୀ ପାଣିଗ୍ରାହୀ ଥାନା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.