ଦୁର୍ନୀତି ପାଇଁ ପୌର ଆଇନକୁ ଦଳି ଦେଲେ

  • ଡିସ୍‌ପ୍ଲେ ପାଇଁ ୧୦ ଲକ୍ଷ ଟେଣ୍ଡର, ୨୮ ଲକ୍ଷ କାମରେ ହେଲାନି
  • ଆଇ ଲଭ୍‌ ବଲାଙ୍ଗିର ନାଁରେ ଟଙ୍କା ହଡପ୍‌
  • ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ
    ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୌର ପରିଷଦ ଆଇନ-୧୯୫୩ର ପାରା ନମ୍ବର ୩୩୭ ଏବଂ ୩୩୮ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ସମସ୍ତ ପୌରାଞ୍ଚଳ ଅନ୍ତର୍ଗତ ସମସ୍ତ କାର୍ଯ୍ୟ ଟେଣ୍ଡର ମାଧ୍ୟମରେ କରାଯିବ । ଜରୁରୀକାଳୀନ ଅବସ୍ଥାରେ ଯଥା- ବନ୍ୟା, ବାତ୍ୟା, ମରୁଡି, ଘରପୋଡି ଇତ୍ୟାଦି ସମୟରେ ବିନା ଟେଣ୍ଡରରେ କାର୍ଯ୍ୟ ସମ୍ପାଦନ କରାଯାଇଥାଏ । କିନ୍ତୁ ସେଲଫି ଜୋନ ନିର୍ମାଣରେ କୌଣସି ଟେଣ୍ଡର କରା ନଯାଇ ପୌର ପରିଷଦର ବିଭାଗୀୟ ସ୍ତରରେ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହିଭଳି ପୌର ଆଇନକୁ ଦଳି ଦେବା ଭଳି ତଥ୍ୟ ଖୋଦ୍‌ ପୌର କାର୍ଯ୍ୟାଳୟ, ସୂଚନା ଅଧିକାର କର୍ମୀ ଶମ୍ଭୁପ୍ରସାଦ ଶତପଥୀଙ୍କୁ ସୂଚନା ଅଧିକାର ଆଇନରେ ଦେଇଛି ।
    ବଲାଙ୍ଗିର ସେଲଫି ଜୋନ ନିର୍ମାଣ ସମ୍ବନ୍ଧୀୟ ତଥା ନିର୍ମାଣ କାର୍ଯ୍ୟକୁ ନେଇ ସୂଚନା ଅଧିକାର କର୍ମୀ ଶ୍ରୀ ଶତପଥୀ ପୌର କାର୍ଯ୍ୟାଳୟକୁ ସୂଚନା ମାଗିଥିଲେ । ପୌର କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ, ଭାଗିରଥୀ ଛକ ନିକଟସ୍ଥ ସେଲଫି ଜୋନରେ ବିଭାଗୀୟ ସ୍ତରରେ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୧୦ ଲକ୍ଷ ଟଙ୍କା ଡିସପ୍ଲେ ବୋର୍ଡ ପାଇଁ ଟେଣ୍ଡର କରାଯାଇଥିଲା । ୧୦ ଲକ୍ଷ ଟଙ୍କା ପାଇଁ ଟେଣ୍ଡର କରାଯାଇଥିବା ବେଳେ ୨୮ ଲକ୍ଷ ଟଙ୍କା ପାଇଁ କାହିଁକି ଟେଣ୍ଡର କରାଗଲା ନାହିଁ ବୋଲି ପ୍ରଶାନ୍ତ ମହାକୁର ପ୍ରଶ୍ନ କରିଛନ୍ତି । ୧୦ ଲକ୍ଷ ଟଙ୍କାର ଡିସପ୍ଲେ ବୋର୍ଡ ୨ ମାସ ପରେ ଅଚଳ ହୋଇଯାଇଥିବା ଶ୍ରୀ ମହାକୁର ଅଭିଯୋଗ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସେଲଫି ଜୋନର ଗାନ୍ଧୀ ପାଠାଗାର ନିକଟସ୍ଥ ଜମିରେ ମାଟି ପୋତା ପାଇଁ ୨ ଲକ୍ଷ ଟଙ୍କା, ଗାର୍ଡ ୱାର୍ଲ ପାଇଁ ୩ ଲକ୍ଷ ଟଙ୍କା, ଭାଗିରଥୀ ଛକ ଗାର୍ଡ ୱାର୍ଲ ପାଇଁ ୩ ଲକ୍ଷ ଟଙ୍କା, ଗାନ୍ଧୀ ପାଠାଗାର ଷ୍ଟିଲ ରେଲିଂ ପାଇଁ ୩ ଲକ୍ଷ ଟଙ୍କା, ୟୁଜିବି ବ୍ୟାଙ୍କ ନିକଟରେ ୩ ଲକ୍ଷ ଟଙ୍କା, ଗାନ୍ଧୀ ପାଠାଗାର ନିକଟରେ ଗ୍ରାନାଇଟ କାର୍ଯ୍ୟ ପାଇଁ ୩ ଲକ୍ଷ ଟଙ୍କା, ଆଇ ଲଭ୍‌ ବଲାଙ୍ଗିର ଅକ୍ଷର ପାଇଁ ୩ ଲକ୍ଷ ଟଙ୍କା, ସେଲଫି ଜୋନର ସୌନ୍ଦର୍ଯ୍ୟକରଣ ପାଇଁ ୨ ଲକ୍ଷ ଟଙ୍କା, ଭାଗିରଥୀ ଛକ ନିକଟରେ ପେଭିଙ୍ଗଟିଂ ପାଇଁ ୩ ଲକ୍ଷ ଟଙ୍କା, ଲ୍ୟାଣ୍ଡ ସ୍କେପିଂ ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ପରି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ କେବଳ ଏଲଇଡି ଡିସ୍‌ପ୍ଲେ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସମୁଦାୟ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପ୍ରଦାନ କରାଯାଇଛି ।
    ଏହି କାର୍ଯ୍ୟରେ ମୋ’ ବଲାଙ୍ଗିରକୁ ଭଲପାଏ ବୋଲି ବଲାଙ୍ଗିର ଜନସାଧାରଣଙ୍କ ଟଙ୍କାକୁ ହଡପ୍‌ କରାଯାଇଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରାଯାଇଛି । ଦୁର୍ନୀତି ପାଇଁ ପୌର ଆଇନକୁ ଦଳି ଦେଇଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ ହୋଇଛି ।
Leave A Reply

Your email address will not be published.