କୋଭିଡ୍‌ -୧୯ ପରିଚାଳନାଗତ ନିଷ୍ପତ୍ତିରେ ଆଞ୍ଚଳିକ ବୈଷମ୍ୟ ପ୍ରଦର୍ଶନ କରା ନଯାଉ : କୋଶଳ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ୍‌ -୧୯ ପରିଚାଳନାଗତ ନିଷ୍ପତ୍ତିରେ ଆଞ୍ଚଳିକ ବୈଷମ୍ୟ ପ୍ରଦର୍ଶନ କରା ନଯାଉ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତ ପକ୍ଷରୁ ସ୍ୱର ଉତ୍ତୋଳନ କରାଯାଇଛି । କୁହାଯାଇଛି ଯେ, କୋଭଡ୍‌ -୧୯ ପରିଚାଳନାରେ ସମଗ୍ର ଦେଶ ଓ ଓଡ଼ିଶା ରାଜ୍ୟ ବିଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶାର ବିଶେଷ କରି କୋଶଳ ଅଞ୍ଚଳରେ କରୋନା ସଂକ୍ରମଣ ପ୍ରାୟତଃ ଶୂନ ଥିଲା କହିଲେ ଚଳେ । କିନ୍ତୁ ପ୍ରବାସୀ ଶ୍ରମିକମାନଙ୍କୁ ଆଣିବା ଓ ସେମାନଙ୍କୁ ଆବଶ୍ୟକୀୟ ସଙ୍ଗରୋଧ ବ୍ୟବସ୍ଥା ମଧ୍ୟରେ ରଖିବା ତଥା ସେମାନଙ୍କର ସ୍ୱାସ୍ଥ୍ୟ ପରିଚାଳନା କରିବା ଦିଗରେ ରାଜ୍ୟ ସରକାର ଓ ସଂପୃକ୍ତ ଜିଲ୍ଲା ପ୍ରଶାସନମାନେ ଯେଭଳି ଅବହେଳା ପ୍ରଦର୍ଶନ କରିବା ସହ ବ୍ୟବସାୟିକ ମନୋବୃତ୍ତି ପ୍ରତିପୋଷଣ କଲେ, ସେଥିପାଇଁ ଆଜି ସମଗ୍ର କୋଶଳାଞ୍ଚଳରେ କରୋନା ସଂକ୍ରମଣ ଭୟାବହ ଅବସ୍ଥାରେ ପହଞ୍ôଚଛି । ବିଶେଷ କରି ରାଜ୍ୟ ସରକାର ଯେଭଳି ଭାବରେ ଚକ୍ରାନ୍ତ କରିବା ଭଳି ସାରା ଓଡ଼ିଶାର ପ୍ରବାସୀ ମଜଦୁରମାନଙ୍କୁ ଟ୍ରେନ ଯୋଗେ ଆଣି ବଲାଙ୍ଗିରରେ ଓହ୍ଲାଇଲେ ଓ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ସେମାନଙ୍କୁ ଖୋଲା ଛାଡ଼ି ଦେଲେ, ସେଥିପାଇଁ ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣର ଅବସ୍ଥା ଭୟାବହ ହୋଇ ପଡ଼ିଛି । ଅନ୍ୟ ପକ୍ଷରେ ଏହି ଜିଲ୍ଲାରେ ଚିକିତ୍ସା ଜନିତ ଆବଶ୍ୟକୀୟ ବ୍ୟବସ୍ଥା ନିର୍ଦ୍ଧିଷ୍ଟ ମାତ୍ରାରେ ନ ଥିବାରୁ ଓ କୋଭିଡ଼ ହସ୍ପିଟାଲର ପରିଚାଳନାଗତ ତୃଟି ଥିବାରୁ ତଥା ଆବଶ୍ୟକୀୟ ସଂଖ୍ୟକ ଟେଷ୍ଟିଙ୍ଗ ହେଉ ନ ଥିବାରୁ କରୋନା ସଂକ୍ରମଣ ବଢିଚାଲିଛି ବୋଲି ଅଭିଯୋଗ ହେଉଛି । କୋଶଳାଞ୍ଚଳର ସର୍ବତ୍ର କରୋନା ସଂକ୍ରମଣ ବଢି ଚାଲିଥିଲେ ବି ବିଶେଷ କରି ବଲାଙ୍ଗିର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ କଳାହାଣ୍ଡିର ଅବସ୍ଥା ଅତୀଶୟ ଉଦ୍‌ବେଗଜନକ । ଅନ୍ୟପକ୍ଷରେ ଏହି ଅଞ୍ଚଳରୁ ବହୁ ସଂଖ୍ୟକ ଡାକ୍ତରଙ୍କୁ ଉପକୂଳ ଓଡ଼ିଶାକୁ ପଠାଯାଇ ଏ ଅଞ୍ଚଳରେ ସ୍ୱାସ୍ଥ୍ୟଗତ ସଙ୍କଟ ସୃଷ୍ଟି କରାଯାଇଛି । ପୁନଶ୍ଚ କୋଭିଡ ଟେଷ୍ଟ ରିପୋର୍ଟ ନ ଥିଲେ ଘରୋଇ ଚିକିତ୍ସକମାନେ ମଧ୍ୟ ଲୋକମାନଙ୍କ ଅନ୍ୟାନ୍ୟ ବ୍ୟାଧି ସବୁର ଚିକିତ୍ସା ପାଇଁ ମନା କରି ଦେଉଥିବାରୁ ଅବସ୍ଥା ଭୟାବହ ହୋଇ ପଡ଼ିଛି । କୋଶଳାଞ୍ଚଳରେ ବର୍ତ୍ତମାନ କୋଭିଡ ଜନିତ ମୃତ୍ୟୁହାର ଉଦ୍‌ବେଗଜନକ ଭାବରେ ବଢିଚାଲିଛି । ଅନ୍ୟ ପକ୍ଷରେ ଏ ଅଞ୍ଚଳରେ କୌଣସି ବଡ଼ ଚିକିତ୍ସା ପ୍ରତିଷ୍ଠାନ ନ ଥିବାରୁ ପରିସ୍ଥିତି ଅସମ୍ଭାଳ ହେଲାଣି । ଇତିମଧ୍ୟରେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱରକୁ ଅନ୍ୟ ଜିଲ୍ଲାର ଲୋକଙ୍କୁ ପ୍ରବେଶ ନିଷେଧ କରିବାର ନିଷ୍ପତ୍ତି ଅଧିକ ବିପଦ ସୃଷ୍ଟି କରିଛି । କାରଣ ଏହି ଦୁଇ ଅଞ୍ଚଳରେ ରାଜ୍ୟର ସବୁ ବଡ଼ ବଡ଼ ଡାକ୍ତରଖାନା ରହିଛି । ଏଭଳି ସ୍ଥଳରେ ଏହି ଉଭୟ ଜିଲ୍ଲାକୁ କରୋନା ସଂକ୍ରମଣ କମେଇବାକୁ ଯାଇ ବାକି ଅଞ୍ଚଳର ଲୋକଙ୍କୁ ପ୍ରବେଶ ନିଷେଧ କରିବା ଏକ ଆଞ୍ଚଳିକ ବୈଷମ୍ୟଜନିତ ନୀତିର ପ୍ରତିଫଳନ ଅଟେ । ତେଣୁ କୋଶଳ ରାଜ୍ୟ ସମନ୍ୱୟ ସମିତି ଏଭଳି ନୀତିର ନିନ୍ଦା କରିବା ସହ ତୁରନ୍ତ କୋଶଳାଞ୍ଚଳରେ ଘରକୁ ଘର କୋଭିଡ଼ ଟେଷ୍ଟ କରିବାକୁ ତଥା ଆବଶ୍ୟକୀୟ ବୃହତ୍‌ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ନିର୍ମାଣ କରିବାକୁ ଦାବୀ କରୁଛି ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ସୂଚନା ଦେଇଛନ୍ତି । ଏହାଛଡ଼ା କୋଶଳାଞ୍ଚଳରେ ବିଭିନ୍ନ ଜିଲ୍ଲାରେ କରୋନା ପରିଚାଳନା ପାଇଁ ହୋଇଥିବା ଖର୍ଚ୍ଚର ତୁରନ୍ତ ଯାଂଚ କରି ଦୁର୍ନୀତିର ଅଭିଯୋଗ ସବୁର ତଦନ୍ତ କରାଯାଉ ବୋଲି ସେ ଦାବୀ କରିଛନ୍ତି ।

Leave A Reply

Your email address will not be published.