ପିଇବା ପାଣି ପାଇଁ ରାସ୍ତା ଅବରୋଧ

ଟିଟିଲାଗଡ଼, ( ଗୌରବ ଦରଜୀ) : ଟିଟିଲାଗଡ଼ ରେ ୱାର୍ଡ ନଂ.୧ରେ ପାଣିକୁ ନେଇ ଉତ୍ତେଜିତ ହେଲେ ମହିଳା । ପାନୀୟ ଜଳ ଟିକକ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଆଉ ଏମିତି ଦୃଶ୍ୟ କେଉଁ ଆଭ୍ୟନ୍ତରୀଣ ଅଞ୍ଚଳ ବା ଗ୍ରାମାଞ୍ଚଳରେ ଦେଖିବାକୁ ମିଳିନାହିଁ, ଏମିତି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଟିଟିଲାଗଡ଼ ସହରରେ । ଆଜି ରାଜରାସ୍ତା ଉପରେ ହୁ ହୁ ହୋଇ ନିଆଁ ଜଳୁଛି । ଆଉ ପୁଣି ନିଆଁ ସମ୍ମୁଖରେ ରହିଛି ବାଲ୍ଟି, ଗରିଆ, ଡବା, ଗଂଜ, ଆଉ ତା ପଛକୁ ମହିଳାମାନଙ୍କ ନାରାବାଜି । ମହାମାରୀ କୋଭିଡ ସମୟରେ ମହିଳାମାନେ ଘର ଅଗଣାରୁ ବାହାରି ରାଜରାସ୍ତା ଉପରେ ବିକ୍ଷୋଭ କରିଛନ୍ତି । ପାନୀୟ ଜଳ ରୀତିମତ ଯୋଗାଇ ଦେବା ପାଇଁ ନାରାବାଜି ଦେଇ ୱାର୍ଡ ନଂ୧ର ମହିଳା ଆଜି ଟିଟିଲାଗଡ଼ ବଲାଙ୍ଗିର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ବିକ୍ଷୋଭକାରୀ ମହିଳାମାନଙ୍କ କହିବା ଅନୁସାରେ ପିଏଚଡ଼ି ବିଭାଗ ପ୍ରତି ଛ ଦିନ ସାତ ଦିନରେ ଥରେ ପାଣି ଯୋଗାଇ ଦେଉଛନ୍ତି । ଆଉ ତାହା ପୁଣି ଲାଇଟ ଗଲେ ବନ୍ଦ୍ । ଏମିତି ସ୍ଥଳେ ପାନୀୟ ଜଳ ଟିକକ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଉ ଆଜି ବାଧ୍ୟ ହୋଇ ରାସ୍ତା ଅବରୋଧ କରିଛନ୍ତି ।

ଆନ୍ଦୋଳନକାରୀ ତନୁଶ୍ରୀ ବେହେରା ଓ ସଂଧ୍ୟାରାଣୀ ଗୋଲଜୀଙ୍କ କହିବା ଅନୁସାରେ ଟିଟିଲାଗଡ଼ ସହରର ୱାର୍ଡ ନଂ.୧ର ବାସିନ୍ଦାମାନଙ୍କୁ ପିଏଚଡ଼ି ବିଭାଗ ତରଫରୁ ପ୍ରତି ସପ୍ତାହରେ ଥରେ ପାଣି ଯୋଗାଇ ଦିଆଯାଉଛି । ହେଲେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ତାହା ବି ଠିକ ଭାବରେ ପାନୀୟ ଜଳ ପଡାବାସୀଙ୍କୁ ମିଳୁନଥିବ ଅଭିଯୋଗ କରିଛନ୍ତି । ଏମିତି ପାଖରେ କୌଣସି ନଳକୂପ ନଥିବାରୁ ଦୀର୍ଘ ଏକ କିଲୋମିଟର ପର୍ୟ୍ୟନ୍ତ ସେମାନଙ୍କୁ ପାଣି ଆଣି ଯିବାକୁ ପଡୁଛି । ପାଣି ସମସ୍ୟା ନେଇ ଟିଟିଲାଗଡ଼ ମ୍ୟୁନସିପାଲିଟି, ଉପଜିଲ୍ଲାପାଳ ସମେତ ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁଙ୍କୁ ବି ଅଭିଯୋଗ କରିଛନ୍ତି । ହେଲେ କିଛି ସୁଫଳ ମିଳିନାହିଁ । ବର୍ଷା ଏବଂ ଶୀତ ମାସରେ ଯଦି ପଡ଼ାର ସ୍ଥିତି ଏମିତି, ତା ହେଲେ ଖରା ମାସରେ ଆହୁରି ଅବସ୍ଥା ସଂଗୀନ ହେବ ବୋଲି କହିଛନ୍ତି ପଡାବାସୀ । ତେବେ ତାଙ୍କ ଦାବୀ ପୂରଣ ନହେବା ପର୍ୟ୍ୟନ୍ତ ସେମାନେ ରାସ୍ତା ଅବରୋଧ ଜାରି ରଖିବୁ ବୋଲି ଜଣାଇଛନ୍ତି ।

Leave A Reply

Your email address will not be published.