
ସଇଁତଲା, (ଖୁସିରାଣୀ ସାହୁ) : ପଶ୍ଚିମ ଓଡ଼ିଶାର ଅନନ୍ୟ ପରମ୍ପରା ଓ ଭାଇ-ଭଉଣୀଙ୍କ ଅତୁଟ ସ୍ନେହ, ଶ୍ରଦ୍ଧା ଓ ଭଲପାଇବାର ପ୍ରତୀକ ହେଉଛି ଭାଇ ଜିଉଁତିଆ ଓଷା । ଏହି ପବିତ୍ର ପର୍ବ ଅବସରରେ ବଲାଙ୍ଗିର ଜିଲ୍ଲା ସଇଁତଲାଠାରେ ସାମୂହିକ ଭାବେ ଭାଇ ଜିଉଁତିଆ ଓଷା ପାଳନ କରାଯାଇଛି । ଏହି ଅବସରରେ ବହୁ ସଂଖ୍ୟାରେ ମହିଳା ଓ ଭଉଣୀମାନେ ଏକତ୍ରିତ ହୋଇ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରିବା ସହ ପୁରାଣ ପାଠ ଓ ଆରାଧନା କରିଥିଲେ । ନିଜ ନିଜ ଭାଇଙ୍କ ମଙ୍ଗଳ, ସୁଖ, ସମୃଦ୍ଧି ଓ ଦୀର୍ଘାୟୁ କାମନା କରି ଭଉଣୀମାନେ ପ୍ରତ୍ୟେକ ଭାଇଙ୍କ ନାମରେ ୧୦୮ଟି ଦୁବ ଓ ଅରୁଆ ଚାଉଳ ସହ ଆଠ ପ୍ରକାର ଫଳ ଓ ଫୁଲ ମା’ଙ୍କ ନିକଟରେ ଅର୍ପଣ କରିଥିଲେ । ପରମ୍ପରା ଅନୁଯାୟୀ, ପରଦିନ ସକାଳେ ପୂଜାରେ ସମର୍ପିତ ଦୁବ ଓ ଚାଉଳକୁ ନେଇ ଭଉଣୀମାନେ ନିଜ ଭାଇଙ୍କ ମୁଣ୍ଡରେ ଦେଇ ସେମାନଙ୍କର ସମସ୍ତ ଅଶୁଭ ଦୂର ହେବା ସହ ଦୀର୍ଘ ଜୀବନ ଓ ମଙ୍ଗଳମୟ ଭବିଷ୍ୟତ କାମନା କରିଥାନ୍ତି । ଭାଇ ଜିଉଁତିଆ ଓଷା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ପରିଚୟ । ଏହି ପର୍ବ ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ନିଃସ୍ୱାର୍ଥପର ସ୍ନେହ ଓ ଭଲପାଇବାକୁ ଆହୁରି ନିବିଡ଼ କରିବା ସହ ସମାଜରେ ଭକ୍ତି, ଏକତା ଓ ପାରମ୍ପରିକ ମୂଲ୍ୟବୋଧର ବାର୍ତ୍ତା ପ୍ରଦାନ କରିଥାଏ ।