ମନ୍ଥର ନିର୍ମାଣକୁ ନେଇ ମନ୍ତ୍ରୀ କ୍ଷ୍ୟୁବ୍ଧ : ଟିଟିଲାଗଡ ନିକଟରେ ଆଇଟିଆଇ କଲେଜ ସଂପୂର୍ଣ୍ଣ ହେବ କେବେ ?

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବିଧାୟକ ତଥା ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ନୂଆକରି ଗଢ଼ି ଉଠିଥିବା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁ ଆଜି ଅଚାନକ ଭାବରେ ଟିଟିଲାଗଡ ସଇଁନ୍ତଲା ମୁଖ୍ୟ ରାସ୍ତା ଶଗଡ଼ ଘାଟ ଗ୍ରାମପଞ୍ଚାୟତର ଶାନ୍ତି ନଗର ନିକଟରେ ନିର୍ମାଣ ଧିନ ଗନ୍ଧମାର୍ଦନ ଆଇଟିଆଇ କଲେଜ ପ୍ରକଳ୍ପକୁ ଅଚାନକ ପରିଦର୍ଶନରେ ଯାଇ ତଦାରଖ କରିଥିଲେ । ମନ୍ତ୍ରୀ ଟୁକୁନି ସାହୁ ନିର୍ମାଣ କାର୍ଯ୍ୟର ତଦାରଖ ସମୟରେ ପ୍ରକଳ୍ପ କାମ ଅତି ମନ୍ଥର ଗତିରେ ଚାଲୁଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରି ବିଭାଗୀୟ ଇଡକୋ କର୍ମଚାରୀ, ଗନ୍ଧମାର୍ଦନ କଲେଜ୍ ବଲାଙ୍ଗିରର ଅଧ୍ୟକ୍ଷ ତଥା ପ୍ରକଳ୍ପ ସ୍ଥାନରେ ଥିବା ବିଭିନ୍ନ କର୍ମଚାରୀଙ୍କ କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରଥମେ ଟିଟିଲାଗଡ ବ୍ଲକ ବନ୍ଦୂପଲା ଗ୍ରାମ ପଞ୍ଚାୟତର ନୂଆପଡ଼ା ଓ ଚାହାରଭଟା ନିକଟରେ ଏହି ଆଇଟିଆଇ କଲେଜ ନିର୍ମାଣ କରିବା ପାଇଁ ଜମି ଚୟନ କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ବାନ୍ଦୁପଲା ଗ୍ରାମପଞ୍ଚାୟତକୁ ବାଦ୍ ଦେଇ ଶଗଡଘାଟ ଗ୍ରାମପଞ୍ଚାୟତରେ ଏହି ଗନ୍ଧର୍ମାଦନ ଆଇଟିଆଇ କଲେଜ ନିର୍ମାଣ ପାଇଁ ୭.୩୫ ଏକର ଜମି ଚିହ୍ନଟ କରାଯାଇଥିଲା । ଏଥିପାଇଁ ଇଡକୋ ବିଭାଗ ଟେଣ୍ଡର କରିବା ସହ ଏହାର ଏଗ୍ରିମେଣ୍ଟ ଭେଲ୍ୟୁ ୫.୪୮ କୋଟି ଟଙ୍କା ରହିଥିବା ବେଳେ ଏହାର ଏଡମିନିଷ୍ଟ୍ରସନ୍ ଭେଲ୍ୟୁ ୮.୨୪ କୋଟି ଟଙ୍କା ରହିଥିବା ଇଡକୋର କନିଷ୍ଠ ଯନ୍ତ୍ରୀ ଆଲୋକ ରଂଜନ ବାଇ ସୂଚନା ଦେଇଛନ୍ତି । ଏହି ଆଇଟିଆଇ କଲେଜକୁ କୋକସରାର ଜୈନିକ ଠିକାଦାର ଆନନ୍ଦ ଗର୍ଗ ଟେଣ୍ଡର ନେଇ ପ୍ରକଳ୍ପ କାମ ଆରମ୍ଭ କରିଛନ୍ତି । ଏହି ଆଇଟିଆଇ କଲେଜ ପାଇଁ ତଥା ଏହାର ବାଉଣ୍ଡରି ୱାଲ ଏବଂ ରାସ୍ତା ନିର୍ମାଣ ପାଇଁ ୫.୪୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ପ୍ରକଳ୍ପର ଅବଧି ୨୦୧୯ ମସିହାରେ ପୂରଣ ହୋଇଥିଲେ ସୁଦ୍ଧା ଠିକାଦାର ଏବଂ ବିଭାଗୀୟ ଅଧିକାରୀ ବିଭିନ୍ନ ଆଳ ଦେଖାଇ ସମୟ ତଥା ଦିନ ଗଡ଼ାଇ ଚାଲିଛନ୍ତି । ଯାହାକୁ ନେଇ ମନ୍ତ୍ରୀ ଟୁକୁନୀ ସାହୁ ମନ୍ଥର ଗତିରେ କାମ ଚାଲୁଥିବା ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ମନ୍ତ୍ରୀଙ୍କୁ ଇଡକୋ ବିଭାଗର କନିଷ୍ଠ ଯନ୍ତ୍ରୀ ଆଲୋକ ରଂଜନ ବାଇ ଓ କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମଣ ହୋତା, ବଲାଙ୍ଗିର ଗନ୍ଧମାର୍ଦନ ଆଇଟିଆଇର ଅଧ୍ୟକ୍ଷ ବିଶ୍ୱରଂଜନ ବେହେରା ପ୍ରମୁଖ ଏହି ପ୍ରକଳ୍ପ ଆସନ୍ତା ୨୦୨୨ ମସିହା ମାର୍ଚ୍ଚ ମାସ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ସୂଚନା ଦେଇଥିଲେ । ଅପରପକ୍ଷରେ ଅନ୍ୟ ଏକ ଯୋଜନାରୁ କଲେଜ୍ ପରିସର ଭିତରେ ୧.୫ କୋଟି ଟଙ୍କା ବ୍ୟୟ ଅଟକଳରେ ଛାତ୍ରୀ ନିବାସ କାର୍ଯ୍ୟ ମଧ୍ୟ ମନ୍ଥର ଗତିରେ ଚାଲିଛି । ଏହି ଗନ୍ଧମାର୍ଦନ ଆଇଟିଆଇ କଲେଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ବଲାଙ୍ଗିର ସ୍ଥିତ ଗନ୍ଧମାର୍ଦନ ଆଇଟିଆଇ କଲେଜ ଟିଟିଲାଗଡକୁ ସ୍ଥାନାନ୍ତରିତ କରାଯିବ । ଏଥିରେ ଅନେକ ଟ୍ରେଡରେ ଛାତ୍ରଛାତ୍ରୀମାନେ ଦକ୍ଷତା ହାସଲ କରି ସମାଜର ବିଭିନ୍ନ ସ୍ରୋତରେ ନିଜକୁ ସାମିଲ କରିପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି କଲେଜ୍ ନିର୍ମାଣ ହେଲେ ଟିଟିଲାଗଡ ଅଞ୍ଚଳର ତଥା ବଲାଙ୍ଗିର ଜିଲ୍ଲାର ଛାତ୍ରଛାତ୍ରୀ ମାନେ ବେଶ୍ ଉପକୃତ ହୋଇ ପାରିବେ । ପ୍ରଥମ ପର୍ଯ୍ୟାୟରେ ସିଲେଇ, କମ୍ପ୍ୟୁଟର ହାର୍ଡୱେର ଏଣ୍ଡ ମେଣ୍ଟେନେନ୍ସ, ଇଲେକ୍ଟ୍ରିସିଏନ, ଇଲୋକ୍ଟ୍ରୋନିକ ମେକାନିକ, ଫିଟର ଏବଂ ମେକାନିକାଲ ମୋଟର ଭାଇକେଲ ଆଦି ଟ୍ରେଡ଼ ବା ବିଭାଗ ରହିଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଗନ୍ଧମାର୍ଦ୍ଧନ ଆଇଟିଆଇ କଲେଜର ଅଧ୍ୟକ୍ଷ । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଠିକାଦାର ଉପସ୍ଥିତ ନ ରହିଥିବା ବେଳେ ଇଡକୋ ବିଭାଗର ଦୁଇ ଜଣ କନିଷ୍ଠ ଯନ୍ତ୍ରୀ ଆଲୋକ ରଂଜନ ବାଇ ଓ ଲକ୍ଷ୍ମଣ ହୋତା, ଗନ୍ଧମାର୍ଦନ ଆଇଟିଆଇ କଲେଜର ଅଧକ୍ଷ ବିଶ୍ୱରଂଜନ ବେହେରା, ସରକାରୀ ଆଇଟିଆଇ କଲେଜର ଅତିରିକ୍ତ ଟ୍ରେନିଂ ଅଧିକାରୀ କମ୍ବୁପାଣି ସାହୁ, ସୂପଭାଇଯର ହରେରାମ ପାତ୍ର ସମେତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 − seven =