ରେଳ ଲାଇନ୍ ଉପରୁ ମିଳିଲା ଶବ : ହତ୍ୟା ସନ୍ଦେହ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାର ମୁରିବାହାଲ ଥାନା ଅନ୍ତର୍ଗତ ମାଲେଶିରା ଗ୍ରାମ ନିକଟ ରେଳ ଲାଇନ୍ ଉପରେ ଏକ ଶବ ଦେଖିବାକୁ ମିଳିଥିଲା । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଟିଟିଲାଗଡ ଜିଆରପି ପୋଲିସ ଘଟଣା ସ୍ଥଳକୁ ପହଞ୍ଚି କଟିଥିବା ଶବକୁ ଉଦ୍ଧାର କରି ମୁରିବାହାଲ୍ ପୋଲିସକୁ ହସ୍ତାନ୍ତର କରିଥିଲେ । ଟିଟିଲାଗଡ ରେଳବାଇ ଜିଆରପି ପୋଲିସ ଘଟଣାକୁ ମୁରିବାହାଲ ପୋଲିସକୁ ହସ୍ତାନ୍ତର କରିଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ, ମୃତ ଯୁବକ ଜଣକ ମାଲେଶିରା ଗ୍ରାମର ଗୁଞ୍ଜନ୍ ମହାନନ୍ଦ । ସୂଚନା ମୁତାବକ ଗତ ମାସ ୫ ତାରିଖରେ ଗୁଞ୍ଜନ ମହାନନ୍ଦ ଭଲ ପାଉଥିବା ଉକ୍ତ ଗ୍ରାମର ଜଣେ ଯୁବତୀ ଘରକୁ ଯାଇ ସେଠି ମଦ୍ୟପାନ ଅବସ୍ଥାରେ ପାଟିତୁଣ୍ଡ କରିଥିଲା ତଥା ହତାହାତି ବି ହୋଇଥିଲା । ଏ ନେଇ ଉକ୍ତ ଦିନ ମୁରିବାହାଲ ଥାନାରେ ବଂଶୀଧର ସୁନା ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଗତ ବିଳମ୍ବିତ ରାତିରେ ଗୁଞ୍ଜନର ମୃତଦେହ ରେଳ ଲାଇନରେ କଟା ଅବସ୍ଥାରେ ମିଳିଥିବା ବେଳେ ତାଙ୍କ ବାଇକ ଅନ୍ୟତ୍ର କିଛି ଦୂରରେ ଥିଲା । ଏ ନେଇ ଟିଟିଲାଗଡ଼ ଜିଆରପି ପୋଲିସ ଏକ ମାମଲା ରୁଜ୍ଜୁ କରି ମୁରିବାହାଲ ପୋଲିସକୁ ତଦନ୍ତ ଚଳାଇବା ପାଇଁ ହସ୍ତାନ୍ତର କରିଥିବା ଜଣାଯାଇଛି । ମୃତ ଯୁବକର ପରିବାର ବର୍ଗ ମୁରିବାହାଲ ଥାନାରେ ଗୁଞ୍ଜନକୁ ମଦ ପିଆଇ ହତ୍ୟା କରି ରେଳ ଲାଇନରେ ପକେଇ ଦେଇଥିବା ଅଭିଯୋଗ କରିଥିଲେ । ଏ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ ମହାପାତ୍ର ନିଜେ ଘଟଣାର ତଦନ୍ତ କରୁଛନ୍ତି । ତେବେ ଏ ନେଇ ସ୍ଥାନୀୟ ଲୋକେ ଶୀଘ୍ର ତଦନ୍ତ ଓ କାର୍ୟ୍ୟାନୁଷ୍ଠାନ ଦାବୀ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.