ପେରିଆରଙ୍କ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କଲେ ଭୀମ ଆର୍ମି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦ୍ରାବିଡ଼ିଅ ଆନ୍ଦୋଳନର ଜନକ ପେରିଆର୍ ଇ ଭି ରାମସ୍ୱାମୀଙ୍କ ଜୟନ୍ତୀ । ପେରିଆର୍ ଜଣେ ସାମାଜିକ କର୍ମୀ, ରାଜନେତା, ସମାଜ ସୁଧାରକ ଭାବେ ବେଶ ଜଣାଶୁଣା । ଦକ୍ଷିଣ ଭାରତ ବିଶେଷ କରି ତାମିଲନାଡ଼ୁରେ ଜାତିବାଦ ବିରୁଦ୍ଧରେ ଲଢେ଼ଇରେ ପେରିଆର୍ ଜନ ଆନ୍ଦୋଳନର ରୂପ ଦେବା ସହ ନାରୀ ଅଧିକାର ଓ ଆତ୍ମସମ୍ମାନ ପାଇଁ ଲଢ଼େଇର ସୂତ୍ରଧର ଥିଲେ । ତାଙ୍କର ଜୟନ୍ତୀକୁ ଆଜି ଭୀମ ଆର୍ମି ଓ ଭାରତ ଏକତା ମିଶନ, କଦମପଡା ଏକ ନିଆରା ଢଙ୍ଗରେ ପାଳନ କରିଛି ।

ସ୍ଥାନୀୟ କଦମପଡା ସ୍ଥିତ ରେଲୱେ ଓଭର ବ୍ରିଜଠାରେ ବର୍ଷ ତମାମ ପାଣି ଜମି ରହୁଥିବା ବେଳେ ଆଜି ଭୀମ ଆର୍ମି ନିଜସ୍ୱ ଉଦ୍ୟମରେ ଏହାର ସଫେଇ କରିବା ସହିତ ଆବଶ୍ୟକ ମରାମତି କରିଛି । ମହାପୁରୁଷ ପେରିଆରଙ୍କ ଜନ୍ମଦିନରେ ନିଜସ୍ୱ ସାମାଜିକ ଦାୟିତ୍ୱ ପାଳନ ହିଁ ତାଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ସଂଗଠନ ତରଫରୁ କୁହାଯାଇଛି ।


ପ୍ରକାଶ ଯୋଗ୍ୟ ଯେ, ଶିଶୁ ମନ୍ଦିର ନିକଟସ୍ଥ ଏହି ଓଭର ବ୍ରିଜ ଠାରେ ବର୍ଷ ତମାମ ପାଣି ଜମି ରହୁଛି । ଏହି ବ୍ରିଜ ତଳୁ ଯାତାୟତ କରୁଥିବା ଲୋକେ ପ୍ରତିଦିନ ହଇରାଣ ହେଉଛନ୍ତି । ପାଣି ଜମି ରାସ୍ତା ଫାଟି ଏଥିରେ ବ୍ୟବହୃତ ଲୁହା ଛଡ଼ ବାହାରକୁ ବାହାରି ଯାଇଛି । ଫଳରେ ଅନେକେ ଦୁର୍ଘଟଣାର ଶିକାର ହେଉଛନ୍ତି । ବାରମ୍ବାର ଏଦିଗରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରା ଯାଇଥିଲେ ସୁଦ୍ଧା ପ୍ରଶାସନ ମୁକଦ୍ରଷ୍ଟା ପାଲଟିଛି ।

ତେବେ ସଂଗଠନର ନିଜସ୍ୱ ଉଦ୍ୟମରେ ହୋଇଥିବା ସଫେଇ ଓ ମରାମତି କାମ ଏଥିରେ କେବଳ ସାମୟିକ ସୁଧାର ଆଣିବ । କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାରୀ ଉଦ୍ୟମର ନିହାତୀ ଆବଶ୍ୟକ । ଯଦି ପ୍ରଶାସନ ଯଥାଶୀଘ୍ର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଏହାର ସ୍ଥାୟୀ ସମାଧାନ ନକରେ ତେବେ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଭୀମ ଆର୍ମି ତରଫରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.