ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ହାତୀପଲ : ୩ ଗାଁରେ ତିନୋଟି ଘର ଭାଙ୍ଗିଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହରିଶଙ୍କର ରେଞ୍ଜ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ଆସି ଅପଦ୍ରବ ସୃଷ୍ଟି କରୁଛନ୍ତି । ଏହି ହାତୀ ମାନେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ତିନୋଟି ଗାଁରେ ପଶି ତିନୋଟି ଘର ଭାଙ୍ଗିବା ସହ ଘରର ଧାନ ଚାଉଳ ଖାଇ ଦେଇଥିବା ଅଭିଯୋଗ ହେଉଥିବା ବେଳେ ଘର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ । ବିଳମ୍ବିତ ରାତିରେ ଏକ ହାତୀ ପଲ ବ୍ରାହ୍ମଣୀ ଗାଁର କ୍ଷେତ୍ରରେ ଥିବା ଏକ ଘରକୁ ଭାଙ୍ଗି ଦେଇଥିବା ବେଳେ ପରେ ଦାନାମାଳ ଓ ତୁର୍ଲା ରାସ୍ତା ମଝିରେ ଥିବା ମିନକେତନ ସପଡିଆଙ୍କ ଘରକୁ ଭାଙ୍ଗି ଘରେ ଥିବା ଧାନ ଚାଉଳ ଖାଇଥିଲେ । ଜଙ୍ଗଲ କଡ଼ରେ ମିନକେତନ ସପଡିଆ ଓ ତାଙ୍କ ପତ୍ନୀ ମଦନା ସପଡିଆ ଘର କରି ରହୁଥିଲେ । ରାତିରେ ଶୋଇଥିବା ବେଳେ ହାତୀ ଆସି ଘରକୁ ଭାଙ୍ଗି ଦେବାରୁ ଭୟରେ ଖଟ ତଲେ ଲୁଚି ଯାଉଥିଲେ ବୋଲି ମିନକେତନ ସପଡିଆ କହିଛନ୍ତି । ହାତୀ ମାନେ ଧାନ ଚାଉଳ ଖାଇ ଚାଳିଯାଇଥିଲେ । ପରେ ନାନ୍ଦୁପଲା ପଞ୍ଚାୟତ ଛଞ୍ଚାଣବାହାଲି ଗାଁର ଲଲିତ ବରିହାଙ୍କ ଘରର ଗୋଟିଏ କାନ୍ଥ ଭାଙ୍ଗି ଘରେ ଥିବା ୨ ବସ୍ତା ଧାନ ଚାଉଳ ଖାଇ ଜଙ୍ଗଲକୁ ବୋହି ନେଇଥିବା ଜଣାପଡିଛି । ସେଠାରେ ମଧ୍ୟ ଲଲିତ ଓ ତାଙ୍କ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ହାତୀ ଭୟ ଦେଖାଦେଇଥିବା ବେଳେ ବନବିଭାଗ ପହଂଚି କ୍ଷୟକ୍ଷତିର ଆକଳନ କରିଛି । ଏନେଇ ହରିଶଙ୍କର ରେଞ୍ଜ ଦାୟିତ୍ୱରେ ଥିବା ରେଞ୍ଜର ଶ୍ରୀବତ୍ସ କୁମୁରାଙ୍କୁ ପଚରାଯିବାରୁ ଦୁଇଟି ମାଈ ହାତୀ ତିନୋଟି ଗାଁକୁ ପଶି ତିନୋଟି ଘର ଭାଙ୍ଗିବା ସହ ଘରେ ଥିବା ଧାନ ଚାଉଳ ଖାଇ ଦେଇଥିବା କହିଛନ୍ତି । ହାତୀ ମାନେ ବର୍ତ୍ତମାନ ଜଙ୍ଗଲରେ ଥିବା କହିଛନ୍ତି । ହାତୀର ଗତିବିଧି ଅନୁଧ୍ୟାନ କରିବା ସହ ଲୋକଙ୍କୁ ହାତୀ ପ୍ରତି ସଜାଗ ରହିବାକୁ କୁହାଯାଉଥିବା କହିଛନ୍ତି । କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.

one × 1 =