ସୋସିଆଲ ମିଡିଆର ଭାଇରାଲ ଭିଡିଓ ଦେଖି ସହାୟତାର ହାତ ବଢ଼ାଇଲେ ଦୀପା : ଶୀଘ୍ର ଉଦ୍ଧାର ହେବେ ସୋନପୁରର ପ୍ରବାସୀ ଶ୍ରମିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ସୁଶ୍ରୀ ଦୀପା ବାରିକ ସଦାସର୍ବଦା ଅସହାୟ ଲୋକଙ୍କ ସେବା କରିବା ପାଇଁ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି ଏହି କ୍ରମରେ ରବିବାର ସକାଳୁ ସାରା ପଶ୍ଚିମ ଓଡ଼ିଶାରେ ଭାଇରାଲ ହେଉଥିବା ଭିଡ଼ିଓକୁ ଦେଖି ସହାୟତାର ହାତ ବଢ଼େଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଦୀପା । ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ବାଉଁଶୁଣି ଗାଁର ଅଜିତ ପାଣ୍ଡେ ନାମକ ବ୍ୟକ୍ତି ତାମିଲନାଡୁକୁ ଦାଦନ ଖଟିବା ନିମନ୍ତେ ଯାଇ ଫସି ଯାଇଛନ୍ତି । ଭାଇରାଲ ଭିଡିଓ ଅନୁସାରେ ସେଠାରେ ତାଙ୍କୁ ବାଧ୍ୟକରି କାମ କରାଯାଉଛି କିନ୍ତୁ ତା ବଦଳରେ ପାରିଶ୍ରମିକ ଆକାରରେ ଟଙ୍କା ମଧ୍ୟ ଦିଆଯାଉ ନାହିଁ । ତାଙ୍କ ସ୍ତ୍ରୀ ଜ୍ବରରେ ପିଡ଼ିତ ଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା ମିଳୁନଥିବା ଭିଡିଓ ମାଧ୍ୟମରେ କହୁଥିବା ଦେଖିବାକୁ ମିଳୁଛି । ଆହୁରି ମଧ୍ୟ ସେମାନେ ଘରକୁ ଆସିବାକୁ ଚାହୁଁଥିଲେ ମଧ୍ୟ ଘରକୁ ଆସିବା ପାଇଁ ଦିଆଯାଇ ନଥିବା ଅଭିଯୋଗ ହେଉଛି ଏବଂ ସେମାନଙ୍କୁ ଅକଥନୀୟ ଶାରୀରିକ ଏବଂ ମାନସିକ ନିର୍ୟାତନା ଦିଆଯାଇଛି ବୋଲି ଭିଡିଓ ମାଧ୍ୟମରେ କାନ୍ଦି କାନ୍ଦି ବ୍ୟକ୍ତି ଜଣକ କହୁଛନ୍ତି । ଏହି ଭିଡିଓ ପଶ୍ଚିମ ଓଡ଼ିଶାରେ ସବୁଆଡ଼େ ଭାଇରଲ ହେବା ଦ୍ୱାରା ଦୀପା ବାରିକଙ୍କ ନଜରକୁ ଆସିଥିଲା । ସେ ତୁରନ୍ତ ସହାୟତାର ହାତ ବଢ଼େଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଥିଲେ । ଟ୍ୱିଟର ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରମବିଭାଗ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଓଡ଼ିଶା ରାଜ୍ୟ ଶ୍ରମବିଭାଗ କମିଶନର ଡ଼. ଏନ. ଥିରୁମାଳା ନାଏକ ତାମିଲନାଡୁ ଶ୍ରମବିଭାଗକୁ ଯୋଗାଯୋଗ କରିଥିଲେ ଏବଂ ସେହି ପ୍ରବାସୀ ଶ୍ରମିକ ଏବଂ ତାଙ୍କ ମାଲିକଙ୍କ ସହ ଯୋଗାଯୋଗ କରି ପ୍ରଥମେ ଜ୍ବରରେ ମହିଳା ଆଶାଙ୍କ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରିଥିଲେ । ଇଟା ଭାଟି ମାଲିକ ଉକ୍ତ ପ୍ରବାସୀ ଶମିକଙ୍କ ପାଉଣା ଦେବାସହ ଜ୍ୱରରୁ ସୁସ୍ଥ ହେବା ତିନିଦିନ ମଧ୍ୟରେ ଓଡ଼ିଶା ପଠେଇବାକୁ ପଦକ୍ଷେପ ନିଆଯିବ ବୋଲି ତାମିଲନାଡୁ ଶ୍ରମବିଭାଗ ଅତିରିକ୍ତ ଶ୍ରମ କମିଶନର ନିର୍ଭରଯୋଗ୍ୟ ପ୍ରତିଶୃତି ଦେଇଛନ୍ତି ଯାହାକୁ ଟ୍ୱିଟର ମାଧ୍ୟମରେ ଓଡ଼ିଶାର ଶ୍ରମବିଭାଗ କମିଶନର କାର୍ୟ୍ୟାଳୟ ପ୍ରକାଶ କରିଛନ୍ତି । ଦୀପାଙ୍କ ଏହି ସାହସିକ ମାନବିକତାପୂର୍ଣ୍ଣ କାର୍ୟ୍ୟ ପାଇଁ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ସଚେତନ ନାଗରିକ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

10 + 19 =