କୋଭିଡ କେଆର ସେଣ୍ଟରରେ ମହିଳାଙ୍କୁ ଯୌନ ନିର୍ଯାତନା ଘଟଣା : ଅଭିଯୁକ୍ତ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୪ ତାରିଖରେ ବଲାଙ୍ଗିର କୋଭିଡ କେଆର ସେଣ୍ଟରରେ ଜଣେ ମହିଳା ରୋଗୀଙ୍କୁ କାର୍ଯ୍ୟରତ ଡାକ୍ତର ଯୌନ ନିର୍ଯାତନା ଦେବା ଘଟଣାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗତକାଲି ଟ୍ୱିଟ୍ କରିଛନ୍ତି । ଏହି ଘଟଣାରେ ବାରମ୍ବାର ବିଭିନ୍ନ ଅଧୀକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବେଳେ ଗତକାଲି ଶ୍ରୀ ମିଶ୍ର ନିଜ ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିବା ସହ ଦୋଷୀ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ସେ ନିଜର ଟ୍ୱିଟ୍‌ରେ କହିଛନ୍ତି ଯେ, ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପୁର୍ଣ ଭାଙ୍ଗି ପଡିଛି । ସେହିପରି ବଲାଙ୍ଗିର ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଶେଷ ନିଦ୍ରାରେ ପଡିଛି । ନବଜାତ ଶିଶୁକୁ ମୁମୁର୍ଷୁ ଅବସ୍ଥାରେ ଜୀବନ ରକ୍ଷା ପାଇଁ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ତାକୁ ଡାକ୍ତରଖାନାକୁ ପଶିବାକୁ ଦିଆ ଯାଇନାହିଁ । କୋଭିଡ କେଆର ସେଣ୍ଟରରେ ମହିଳା ରୋଗୀକୁ ଖୋଦ ଡାକ୍ତର ଅସଦାଚରଣ କରୁଛନ୍ତିି । ଏହି ଘଟଣାର ସଂଧାନ ନେଇ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ କରିବା ଦୂରେ ଥାଉ, ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ଷଡଯନ୍ତ୍ର କରି ପୀଡ଼ିତାଙ୍କ ମୁହଁ ବନ୍ଦ କରିବାରେ ସଫଳ ହେଉଛନ୍ତି । ଏପରିକି ଘଟଣାର କେସ ମଧ୍ୟ ରେଜିଷ୍ଟର କରାଯାଇ ନାହିଁ । ଏହି ଘଟଣାରେ ବାରମ୍ବାର ଉପରୁ ତଳକୁ ବିଭିନ୍ନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ଦୋଷୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ପ୍ରକାଶ ଯୋଗ୍ୟ ଯେ, ବଲାଙ୍ଗିର କୋଭିଡ କେଆର ସେଣ୍ଟରରେ ଚିକିତ୍ସା ପାଇଁ ଜଣେ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା । ଗତ ୪ ତାରିଖ ରାତିରେ ଉକ୍ତ ସେଣ୍ଟର ରେ କାର୍ୟ୍ୟରତ ଡାକ୍ତର ମହିଳାଙ୍କୁ ଯୌନ ନିର୍ଯାତନା ଦେବାର ପ୍ରୟାସ କରିଥିଲେ । ମହିଳା ଜଣକ ପାଟି କରିବାରୁ ଉପସ୍ଥିତ ବିଭିନ୍ନ ରୋଗୀଙ୍କ ପରିଜନ ଡାକ୍ତରଙ୍କୁ କାବୁ କରି ପ୍ରଚୁର ମାଡ ମାରି ଡାକ୍ତରଙ୍କୁ କାନ ଧରି ଉଠବସ କରାଇଥିଲେ । ଡାକ୍ତର ଜଣକ ନିଜର ଭୁଲ ସ୍ୱୀକାର କରିବା ପରେ ତାଙ୍କୁ ପୋଲିସକୁ ଜିମା ଦେଇଥିଲେ । ପୋଲିସ ଡାକ୍ତରଙ୍କୁ ରାତିଅଧିଆ ବଲାଙ୍ଗିର ଆଦର୍ଶ ଥାନାକୁ ଆଣିଥିଲା । ସେଠାରେ ଡାକ୍ତର ଓ ପୀଡ଼ିତାଙ୍କ ପରିବାର ମଧ୍ୟରେ ସଲାସୁତୁରା ହେଲା ପରେ ଡାକ୍ତରଙ୍କ ବିରୁଦ୍ଧରେ କୌଣସି ମୁକଦ୍ଦମା ରଜୁ କରା ନଯାଇ ଡାକ୍ତରଙ୍କୁ ଛାଡି ଦିଆ ଯାଇଥିଲା । ପରଦିନ ସକାଳୁ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେବା ପରେ ଜିଲ୍ଲା ଚିକିତ୍ସା ଅଧିକାରୀ କୋଭିଡ କେଆର ସେଣ୍ଟର ଅଧିକାରୀଙ୍କୁ ଏହି ଘଟଣା ଉପରେ ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ କେଆର ସେଣ୍ଟର ଅଧିକାରୀ ଏହି ଘଟଣାର ତଦନ୍ତ କରି ଜିଲ୍ଲା ଅଧିକାରୀଙ୍କୁ ଏ ସଂକ୍ରାନ୍ତୀୟ ଏକ ରିପୋର୍ଟ ପ୍ରଦାନ କରିଛନ୍ତି । କିନ୍ତୁ ଆଶ୍ଚର୍ୟ୍ୟଜନକ ଭାବେ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଡାକ୍ତରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ସୁଚନା ରହିଛି ।


ତେବେ ଆସନ୍ତା ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆଲୋଚନା ହେଉଛି ଯେ, ବଲାଙ୍ଗିର ପ୍ରଶାସନ କରୋନା ନିୟନ୍ତ୍ରଣରେ ବିଫଳ ହୋଇଥିବା ବେଳେ ଜିଲ୍ଲାରେ ମହିଳା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଥମେ ମହିଳା ଅସଦାଚରଣ ମାମଲାରେ ବଲାଙ୍ଗିର ଉପଜିଲ୍ଲାପାଳଙ୍କ ନିଲମ୍ବନ ଓ ପରେ ପରେ କୋଭିଡ କେଆର ସେଣ୍ଟରରେ ଚିକିତ୍ସିତ ମହିଳାଙ୍କ ଉପରେ ଡାକ୍ତରଙ୍କ ଯୌନ ନିର୍ଯାତନା ଘଟଣା ଚାପି ଦେବାକୁ ଷଡଯନ୍ତ୍ର । ଘଟଣାରେ ଯଦି ତୁରନ୍ତ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରା ନଯାଏ, ତେବେ ଏହି ପ୍ରସଂଗଗୁଡିକୁ ନେଇ ବିଧାନସଭାର ମୌସୁମୀ ଅଧିବେଶନ କମ୍ପିବାର ଯଥେଷ୍ଠ ସମ୍ଭାବନା ରହିଛି ।

Leave A Reply

Your email address will not be published.