ଅନ୍‌ଲାଇନ୍ ଶିକ୍ଷାର ବାସ୍ତବ ଚିତ୍ର : ପାହାଡ ଉପରେ ପିଲାଙ୍କ ପାଠପଢା

ବୌଦ୍ଧ,(ବଂଶୀଧର ମାଝୀ): ମହାମାରୀ କରୋନା କଟକଣା ପାଇଁ ସ୍କୁଲ କଲେଜ ବନ୍ଦ ରହିଛି । ସରକାର ଅନ୍‌ଲାଇନ୍‌ କ୍ଲାସ ଜରିଆରେ ପିଲାଙ୍କୁ ଶିକ୍ଷାଦାନ କରାଉଛନ୍ତି । ହେଲେ ଅନ୍‌ ଲାଇନ୍‌ କ୍ଲାସ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟ ପୂରଣ କରିପାରୁ ନ ଥିବା ଅଭିଯୋଗ ହୋଉଛି । ଏହାର ଏକ ଚିତ୍ର ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଲପୁର ପଞ୍ଚାୟତ ଅନ୍ତର୍ଗତ ପଲସାକୁଟୁଣି ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମଟି ପାହାଡିଆ ଅଞ୍ଚଳ ହୋଇଥିବାରୁ ପ୍ରାୟ ସମୟ ନେଟ୍‌ ସମସ୍ୟା ଦେଖାଦେଇଥାଏ । ଏଥିଯୋଗୁ ଗ୍ରାମର ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ସରକାରୀ ସ୍କୁଲରେ ପଢୁଥିବା ପିଲାମାନେ ଗାଁ ନିକଟ ମୁଣ୍ଡିଆ(ଛୋଟ ପାହାଡ)ରେ ଅନଲାଇନ କ୍ଲାସ୍‌ କରୁଥିବା ଦେଖିବାକୁ ମିଳୁଛି । ଅଧିକାଂଶ ଛାତ୍ରୀଛାତ୍ରଙ୍କ ପାଖରେ ଆଣ୍ଡ୍ରଏଡ୍‌ ଫୋନ ନ ଥିବାରୁ କ୍ଲାସ କରିବାରୁ ସେମାନେ ବି ବଞ୍ଚିତ ହେଉଛନ୍ତି । ଗାଁର ସାନୁଜ ପ୍ରଧାନ, ସଞ୍ଜୟ ପଲିଆ, ଅଭି ଦନ୍ତା ପ୍ରମୁଖ ଅଭିଭାବକମାନେ କହିଛନ୍ତି ଯେ, ନେଟ ନ ଥିବାରୁ ନାନା ପ୍ରତିକୂଳତା ସତ୍ତ୍ୱେ ସେମାନେ ପିଲାଙ୍କୁ ଗାଁର ଅନତି ଦୂରରେ ଥିବା ମୁଣ୍ଡିଆକୁ ଅନଲାଇନ କ୍ଲାସ କରିବାକୁ ପଠାଉଛନ୍ତି । ଏ ନେଇ ଜିଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରୁ କହିଛନ୍ତି, ଜିଲାର ଉପାନ୍ତ ଅଞ୍ଚଳରେ ପିଲାମାନେ ଅନଲାଇନ କ୍ଲାସ ପାଇଁ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ବିଭାଗ ଅବଗତ ଅଛି । ଏ ନେଇ ଜିଲାପାଳଙ୍କୁ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.