
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ବରପାଲି ଏନ୍ଏଚ୍ ରାସ୍ତାର କୁଶନପୁରୀ ଛକ ନିକଟରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା । ଏକ ଅଟୋକୁ ବାଇକ୍ ଧକ୍କା ଦେବା ଫଳରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ସମେତ ଅଟୋରେ ଥିବା ଡ୍ରାଇଭର ଓ ଯାତ୍ରୀ ମିଶାଇ ମୋଟ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବରପାଲି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆହତମାନଙ୍କ ମଧ୍ୟରେ ବାଇକ୍ ଚାଳକ ବରପାଲି ଅଞ୍ଚଳର ହୋଇଥିବା ବେଳେ ଅଟୋରେ ଥିବା ସମସ୍ତ ଯାତ୍ରୀ ରେମତା ଗାଁର ବୋଲି ଜଣାପଡ଼ିଛି । ସେମାନେ ହେଲେ ସରୋଜ ବାଗ, ସୁଶୀଳା ଭୋଇ, ଗରିବ ଭୋଇ, ପଦ୍ମା ଭୋଇ, ଶିଶୁ ରାଖି ଭୋଇ, ନିରୁପମା ଭୋଇ ଓ ହେମ ଭୋଇ । ଖବର ପାଇ ବରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି ।