jayashree

୫୩ ନମ୍ବର ଜାତୀୟ ରାଜପଥରେ ଦୁଇଟି ପୃଥକ ଦୁର୍ଘଟଣା : ମହିଳାଙ୍କ ସମେତ ୩ ଜଣ ଆହତ

ବରଗଡ଼/ସୋହେଲା, (ମୁନ୍ନା ସାହୁ) : ୫୩ ନମ୍ବର ଜାତୀୟ ରାଜପଥରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ପ୍ରଥମ ଘଟଣାରେ ସୋହେଲା ବ୍ଲକ୍ ଡୁମେରପାଲିର ପ୍ରେମାନନ୍ଦ ଭୋଇ (୫୪) ନିଜ ସ୍ତ୍ରୀ କମଳା ଭୋଇ (୫୦)ଙ୍କୁ ଡାକ୍ତରଙ୍କ ପାଖକୁ ନେଇ ମୋଟରସାଇକେଲରେ ଘରକୁ ଫେରୁଥିବା ସମୟରେ ବରଗଡ଼ ସଦର ଥାନା ଅନ୍ତର୍ଗତ ଚକରକେନ ନିକଟରେ ଏକ ଟ୍ରାକ୍ଟର ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ପ୍ରେମାନନ୍ଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ବାମ ଗୋଡ଼ ଭାଙ୍ଗିଯାଇଛି । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ପ୍ରେମାନନ୍ଦଙ୍କୁ ଭୀମସାର, ବୁର୍ଲାକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଥିଲା । ତେବେ ପରିବାର ଲୋକେ ତାଙ୍କୁ ବରଗଡ଼ ବିକାଶ ହସ୍ପିଟାଲକୁ ନେଇଥିବା ଜଣାପଡ଼ିଛି । ସେହିପରି ଦ୍ୱିତୀୟ ଘଟଣାରେ ସୋହେଲା ବ୍ଲକ୍ କରାଳମାଲ ଗ୍ରାମର ଲଳିତ ନାଏକ ନିଜ ଚାଷଜମି ପାଇଁ କୀଟନାଶକ ଔଷଧ କିଣି ଅର୍ଜୁଣ୍ଡାରୁ ଘରକୁ ଫେରୁଥିବା ସମୟରେ ଅର୍ଜୁଣ୍ଡା ନିକଟରେ ଏକ ଧଳା ରଙ୍ଗର ମାରୁତି କାର୍‌ (ଏମ୍‌ଏଚ୍‌୦୩ବିଡବ୍ଲ୍ୟୁ୬୬୮୭) ତାଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା । ଧକ୍କାରେ ସେ ରାସ୍ତାକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହ ସୋହେଲାର ସାମାଜିକ କର୍ମୀ ଅନିଲ ପଧାନ ତାଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ବରଗଡ଼ ବିକାଶ ହସ୍ପିଟାଲକୁ ନେଇଥିଲେ । ଖବର ପାଇ ସୋହେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦୁର୍ଘଟଣାରେ ସମ୍ପୃକ୍ତ କାର୍‌ ଓ ମୋଟରସାଇକେଲକୁ ଜବତ କରି ନିଜ ହେପାଜତକୁ ନେଇଛି । ଜାତୀୟ ରାଜପଥରେ ଅଳ୍ପ ସମୟ ବ୍ୟବଧାନରେ ଘଟିଥିବା ଏହି ଦୁଇଟି ଦୁର୍ଘଟଣା ପୁଣିଥରେ ସଡ଼କ ସୁରକ୍ଷା ଓ ସତର୍କତାର ଆବଶ୍ୟକତାକୁ ଗୁରୁତ୍ୱ ଦେଇଛି ।

Leave A Reply

Your email address will not be published.