jayashree

ବାତ୍ୟାରେ ଛାରଖାର ବିପନ୍ନଙ୍କ ଦୁଃଖ ବୁଝିଲେ ସାଂସଦ : ଆଶ୍ରୟ ସ୍ଥଳୀରେ ଖାଦ୍ୟ ସାମଗ୍ରୀ ସହ କମ୍ବଳ ଓ ବସ୍ତ୍ର ବଣ୍ଟନ

  • ବିପର୍ଯ୍ୟସ୍ତ ରାସ୍ତାଘାଟର ସ୍ଥିତି ସମୀକ୍ଷା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବରେ ରାଇକିଆ ବ୍ଲକର ଇନ୍ଦ୍ରଗଡ଼ ଓ ମାଣିକେଶ୍ୱର ପଞ୍ଚାୟତରେ ସୃଷ୍ଟି ହୋଇଛି ବ୍ୟାପକ କ୍ଷୟକ୍ଷତି । କେଉଁଠି ଘରଦ୍ୱାର ଭାଙ୍ଗିଛି ତ ଆଉ କେଉଁଠି ରାସ୍ତାଘାଟ ଧୋଇ ହୋଇଯାଇଛି । ଏପରିକି ଇନ୍ଦ୍ରଗଡ଼ ପଞ୍ଚାୟତର ପଞ୍ଚାୟତ ଗୃହ ମଧ୍ୟ ନଦୀଗର୍ଭରେ ଲୀନ ହୋଇଯାଇଛି । ବିପର୍ଯ୍ୟୟର ଏହି ଭୟାବହ ଚିତ୍ର ମଧ୍ୟରେ ବିପନ୍ନଙ୍କ ନିକଟରେ ପହଞ୍ଚି ସେମାନଙ୍କ ଦୁଃଖ ଓ ଦୁର୍ଦ୍ଦଶା ବୁଝିଛନ୍ତି କନ୍ଧମାଳ ଲୋକସଭା ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ । ଆଶ୍ରୟସ୍ଥଳୀରେ ରହୁଥିବା ପ୍ରଭାବିତ ପରିବାରଙ୍କୁ କମ୍ବଳ ଓ ବସ୍ତ୍ର ବଣ୍ଟନ କରିବା ସହ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି । ବାତ୍ୟା ଓ ଲଗାଣ ବର୍ଷା ପରେ ଏହି ଦୁଇ ପଞ୍ଚାୟତର ଅନେକ ପରିବାର ନିଜ ଘର ଛାଡ଼ି ଆଶ୍ରୟସ୍ଥଳୀରେ ରହିବାକୁ ବାଧ୍ୟ ହୋଇଛନ୍ତି । ଜୀବନ ଓ ଜୀବିକାକୁ ଦୋହଲାଇ ଦେଇଥିବା ଏହି ବିପର୍ଯ୍ୟୟ ପରେ ବିପନ୍ନଙ୍କ ପାଖରେ ପହଞ୍ଚି ସାଂସଦ ସେମାନଙ୍କ ସହ ଆଲୋଚନା କରିଥିଲେ । କେଉଁ ପରିବାର କେତେ କ୍ଷତି ସହିଛନ୍ତି, ଆଶ୍ରୟସ୍ଥଳୀରେ କେଉଁ ସବୁ ସୁବିଧାର ଆବଶ୍ୟକତା ରହିଛି, ସେନେଇ ପଚାରି ବୁଝିଥିଲେ । ଏହି ଅବସରରେ ବିପନ୍ନଙ୍କୁ କମ୍ବଳ ଓ ଲୁଗା ବଣ୍ଟନ କରିଥିଲେ । ସାଂସଦଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ସବୁଠାରୁ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଥିଲା ଇନ୍ଦ୍ରଗଡ଼ ପଞ୍ଚାୟତରେ । ବନ୍ୟାଜଳର ପ୍ରବଳ ସ୍ରୋତରେ ପଞ୍ଚାୟତ ଗୃହଟି ନଦୀଗର୍ଭରେ ଲୀନ ହୋଇଯାଇଛି । ଏକ ସରକାରୀ କାର୍ଯ୍ୟାଳୟ ଏଭଳି ଭାବେ ନଷ୍ଟ ହେବା ଘଟଣା ବାତ୍ୟାର ପ୍ରକୋପ ଓ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଭୟାବହତାକୁ ସ୍ପଷ୍ଟ କରିଛି । ସାଂସଦ ଏହି ସ୍ଥାନ ପରିଦର୍ଶନ କରିବା ସହ ଆଖପାଖ ଅଞ୍ଚଳର କ୍ଷତିଗ୍ରସ୍ତ ଘରଦ୍ୱାର ମଧ୍ୟ ବୁଲି ଦେଖିଥିଲେ । କେବଳ ଘରଦ୍ୱାର ନୁହେଁ, ବାତ୍ୟା ପରବର୍ତ୍ତୀ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପାହାଡ଼ିଆ ଅଞ୍ଚଳର ରାସ୍ତାଘାଟ ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଅନେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ସାଂସଦ ଓ ଅଧିକାରୀମାନେ କ୍ଷତିଗ୍ରସ୍ତ ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିଥିଲେ । ଯୋଗାଯୋଗ ବ୍ୟବସ୍ଥାର ତୁରନ୍ତ ପୁନରୁଦ୍ଧାର ସହ କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ୱାଭାବିକ ଜୀବନଯାତ୍ରା ଫେରାଇ ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବାତ୍ୟା ପରେ ବିପନ୍ନଙ୍କୁ କେବଳ ଅସ୍ଥାୟୀ ସହାୟତା ପ୍ରଦାନ ନୁହେଁ, ବରଂ କ୍ଷୟକ୍ଷତିର ସଠିକ୍ ଆକଳନ କରି ଘରଦ୍ୱାର, ରାସ୍ତାଘାଟ ଓ ସରକାରୀ ଭିତ୍ତିଭୂମିର ପୁନର୍ନିର୍ମାଣ କରିବା ଏବେ ପ୍ରମୁଖ ଆହ୍ୱାନ ହୋଇଛି । ବିଶେଷକରି ନଦୀଗର୍ଭରେ ପଞ୍ଚାୟତ ଗୃହ ଲୀନ ହେବା ଘଟଣା ଭବିଷ୍ୟତରେ ପଞ୍ଚାୟତର ପ୍ରଶାସନିକ କାର୍ଯ୍ୟକଳାପ ଓ ଜନସାଧାରଣଙ୍କ ସେବା ଯୋଗାଣ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି । ତେଣୁ ପ୍ରଭାବିତ ପରିବାରଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ପ୍ରଦାନ ସହ ନଷ୍ଟ ହୋଇଥିବା ଭିତ୍ତିଭୂମିର ପୁନଃସ୍ଥାପନ ଉପରେ ଏବେ ସମସ୍ତଙ୍କ ନଜର । ଏହି ଗସ୍ତ ସମୟରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ସିଡିଓ ଶମ୍ଭୁନାଥ ନନ୍ଦୀ, ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ, ସାଂସଦଙ୍କ କ୍ଷେତ୍ର ପ୍ରତିନିଧି ଦୁର୍ଗାମାଧବ ଆଚାର୍ଯ୍ୟ, ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଜିଲ୍ଲା ଭାଜପାର ପୂର୍ବତନ ସଭାପତି ଜଗନ୍ନାଥ ସାହୁ, ଶୁଭାଶିଷ ମିଶ୍ର, ସଞ୍ଜୟ କୁମାର ଦାସ, ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ପ୍ରଧାନ, ବିଡିଓ ଡଃ. ସବ୍ୟସାଚୀ ସାହୁ, ରାଇକିଆ ଥାନା ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ର, ବ୍ଲକ ସଂଯୋଜକ କମଳ ପ୍ରସାଦ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବଣ୍ଟି ଚୌଧୁରୀଙ୍କ ସମେତ ବହୁ ଜନପ୍ରତିନିଧି ଓ ଭାଜପା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.