jayashree

ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୧କୋଟି ୯୧ଲକ୍ଷ ଟଙ୍କା ମଞ୍ଜୁର : କୃତଜ୍ଞତା ଜଣାଇଲା ଭୀମପାହାଡ ମହୋତ୍ସବ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଐତିହାସିକ ତଥା ପର୍ଯ୍ୟଟନସ୍ଥଳୀ ଭୀମଡୁଙ୍ଗୁରୀର ବିକାଶ ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ୧ କୋଟି ୯୧ ଲକ୍ଷ ଟଙ୍କାର ଅନୁଦାନ । ଏହି ଅନୁଦାନ ମଞ୍ଜୁରୀକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଥିବା ବେଳେ ଭୀମପାହାଡ ମହୋତ୍ସବ କମିଟି ପକ୍ଷରୁ ରାଜ୍ୟ ସରକାର ଓ ବଲାଙ୍ଗିର ବିଧାୟକଙ୍କୁ କୃତଜ୍ଞତା ଜଣାଯାଇଛି । ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତରେ ଅବସ୍ଥିତ ଏହି ଐତିହାସିକ ପର୍ଯ୍ୟଟନସ୍ଥଳୀକୁ ୨୦୧୭ ମସିହାରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଥିଲା । ଏହାର ବିକାଶ ପାଇଁ ପୂର୍ବରୁ ୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଅଧାପନ୍ତରିଆ ରହିଛି । ଏହାର ସମ୍ପୂର୍ଣ୍ଣ ବିକାଶ ପାଇଁ ପ୍ରାୟ ୧୫ କୋଟି ଟଙ୍କାର ଡିପିଆର୍‌ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରଙ୍କୁ ପଠାଯାଇଥିଲା । ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଉଦ୍ୟମ ଏବଂ ଭୀମପାହାଡ ମହୋତ୍ସବ କମିଟିର ଅନୁରୋଧ ପରେ ପ୍ରଥମ ପର୍ଯ୍ୟାୟରେ ଏହି ଅନୁଦାନ ମଞ୍ଜୁର ହୋଇଛି । ଏହା ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା ପ୍ରକାଶ ପାଇଛି । ଅନ୍ୟପଟେ ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦ୍ୱାଦଶ ଭୀମପାହାଡ ମହୋତ୍ସବ । ଏହି ଅବସରରେ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର, ସଭାପତି ପ୍ରମୋଦ ବହିଦାରଙ୍କ ସମେତ ସମସ୍ତ ସଦସ୍ୟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ରାମଚନ୍ଦ୍ର ସିଂ ଖୁଣ୍ଟିଆ ଓ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.