ବାଇକ୍‌ ଉପରେ ଚଢ଼ିଲା କାର : ୨ ଆହତ, ୧ ଅଟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖଣ୍ଡଗିରି ଥାନା ସିଟି ଓମେନ୍ସ ଛକ ରାସ୍ତା ଭିଡ଼ ଥିବା ସତ୍ୱେ ଏକ କାର୍‌ ଦ୍ରୁତ ଗତିରେ ଆସି ଏକ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ପୁଲିସ୍‌ ପହଞ୍ଚି ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି । କାର୍‌ ଚାଳକଙ୍କୁ ଥାନାକୁ ନେବା ସହ କାର୍‌କୁ ଜବତ କରିଛି ।

ସୂଚନା ଅନୁସାରେ ଜାଗମରା ପଟୁ ଏକ କାର୍‌ ଶିରିପୁର ଯାଉଥିଲା । ସିଟି ଓମେନ୍ସ ଛକରେ ଥିବା ଫୁଥପାଥ ଉପରେ ଥିବା ଫାଷ୍ଟଫୁଡ୍‌ ଦୋକାନ ସମ୍ମୁଖ ରାସ୍ତା କଡରେ ଏକ ବାଇକ୍‌ ପାର୍କିଂ ହୋଇଥିଲା । ଦ୍ରୁତ ଗତିରେ ଆସି କାର୍‌ଟି ବାଇକ୍‌କୁ ଧକ୍କା ଦେଇଥିଲା । ବାଇକଟି କିଛି ଦୂରକୁ ଛିଟିକି ପଡ଼ିଥିଲା । ଏହି ସମୟରେ ଫୁଟ୍‌ପାଥ ଉପରକୁ ଚଢ଼ୁଥିବା ଜଣେ ଯୁବକକୁ କାରଟି ଧକ୍କା ଦେଇଥିଲା । ତା’ପରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ କାର ଭିତରୁ ଚାଳକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କଲାବେଳେ ସେ ଉପସ୍ଥିତ ଲୋକଙ୍କୁ ଗାଳିଗୁଲଜ କରିଥିଲେ । ତେବେ କାର୍‌ ଭିତରୁ ମଦ ବୋତଲ ଠାବ ହେବା ପରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଚାଳକ ଜଣକ ମଦ ପିଇ ଦୁର୍ଘଟଣା ଘଟାଇଥିବା ଅଭିଯୋଗ କରି ଉପସ୍ଥିତ ଲୋକେ କାର୍‌ ଭାଙ୍ଗାରୁଜା ଆରମ୍ଭ କରିଥିଲେ । ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

Leave A Reply

Your email address will not be published.

5 × two =

error: Content is protected !!