ଲକ୍‌ଡାଉନ୍‌ ବେଳେ ଫେରିଥିବା ଶ୍ରମିକମାନେ କ୍ୱାରେନ୍‌ଟାଇନ୍‌ ଅନୁଦାନ ପାଇ ନଥିବା ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ଲକ୍‌ଡାଉନ୍‌ ବେଳେ ଫେରିଥିବା ଶ୍ରମିକମାନେ କ୍ୱାରେନ୍‌ଟାଇନ୍‌ ଅନୁଦାନ ପାଇ ନଥିବା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ତୁରେକେଲା ବ୍ଲକ୍‌ ଅନ୍ତର୍ଗତ କନ୍ଦେଲ ପଞ୍ଚାୟତ ଅଧୀନସ୍ଥ ଟିକ୍ରାପଡ଼ା ଗାଁର ଅଭିକ ପୁଟେଲ, ସ୍ତ୍ରୀ ସତଫୁଲ ପୁଟେଲ ତିନି ଝିଅଙ୍କୁ ନେଇ ହାଇଦ୍ରାବାଦ ସ୍ଥିତ ଚକଟମାମୁଲିକୁ ଇଟା ଗଢ଼ିବାକୁ ଯାଇଥିଲେ । ତେବେ କରୋନା ସଂକ୍ରମଣ ସକ୍ରାନ୍ତୀୟ ଲକ୍‌ ଡାଉନ୍‌ ସମୟରେ ସେମାନେ ଫେରି ୧୪ ଦିନ କ୍ୱାରେନ୍‌ଟାଇନ୍‌ରେ ରହିଥିଲେ । କିନ୍ତୁ ସରକାରଙ୍କ ନିୟମ ଅନୁସାରେ କ୍ୱାରେନ୍‌ଟାଇନ୍‌ ଅନୁଦାନ ୨୦୦୦ ଟଙ୍କା ଲେଖାଏଁ ପାଇ ନଥିବା ଅଭିକ ପୁଟେଲ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ‘କୋଶଳ ପ୍ରବାହ’ର ତୁରେକେଲା ପ୍ରତିନିଧି ସରପଞ୍ଚଙ୍କୁ ପଚାରିବାରୁ ସରପଞ୍ଚଙ୍କ ସ୍ୱାମୀ ଗତିକ୍ରିଷ୍ଣ ମାଝୀ ଉଦ୍‌କ୍ଷିପ୍ତ ହେବା ସହ ସାମ୍ବାଦିକମାନେ ଠକୁଛନ୍ତି ବୋଲି କହିଥିବା ଆମ ତୁରେକେଲା ପ୍ରତିନିଧି ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କ ସ୍ୱାମୀ ଆହୁରି କହିଛନ୍ତି ଯେ, ‘ମୋ ନିଜ ଖର୍ଚ୍ଚରେ ମୁଁ ୩୫୦ ଲୋକଙ୍କୁ କ୍ୱାରେନ୍‌ଟାଇନ୍‌ରେ ରଖିଥିଲି । ସରକାର ଆଜି ପର୍ଯ୍ୟନ୍ତ ଏ ଖର୍ଚ୍ଚ ବାବଦକୁ ଟଙ୍କା ଦେଇନାହାନ୍ତି ।’ ତେବେ ଲକ୍‌ଡାଉନ୍‌ ବେଳେ ଫେରିଥିବା ଶ୍ରମିକ ମଳୟ ପୁଟେଲ, ଚୈତନ୍ୟ ପୁଟେଲ, ସବିତା ପୁଟେଲ, ବିଭୁ ପୁଟେଲ ଓ ମୁସ୍କାନ ପୁଟଲ ମଧ୍ୟ ଆଜି ପର୍ଯ୍ୟନ୍ତ କ୍ୱାରେନ୍‌ଟାଇନ୍‌ରେ ଅନୁଦାନ ୨୦୦୦ ଟଙ୍କା ଲେଖାଏଁ ପାଇ ନଥିବା ବେଳେ ସେମାନେ କ୍ୱାରେନ୍‌ଟାଇନ୍‌ରେ ଥିବା ସମୟରେ କୌଣସି ସୁବିଧା ପାଇ ନଥିବା ଅଭିଯୋଗ କରିଛନ୍ତି । ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଗାଁର ଲବଘନ ପୁଟେଲଙ୍କ କ୍ଷେତରେ ରଖାଯାଇଥିବା ମଧ୍ୟ ସେମାନେ କହିଛନ୍ତି । ତେବେ ପ୍ରବାସୀ ଶ୍ରମିକମାନେ କ୍ୱାରେନ୍‌ଟାଇନ୍‌ରେ ଅନୁଦାନ ୨୦୦୦ ଟଙ୍କା ଲେଖାଏଁ ତୁରନ୍ତ ଦିଆଯାଉ ବୋଲି ଦାବୀ କରିଛନ୍ତି ।

Leave A Reply

Your email address will not be published.