ବଦଳିକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ତେଜୁଛି : ଓଷ୍ଟା ରାଜ୍ୟ ସଂଘ ୧୯ରେ ଭେଟିବ ଶିକ୍ଷା ସଚିବଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଦୋନ୍ନତି ପରେ ବଦଳିକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଆସନ୍ତା ୧୯ ତାରିଖରେ ଓଷ୍ଟା ରାଜ୍ୟ ସଂଘ ଶିକ୍ଷା ସଚିବଙ୍କୁ ଭେଟିବାକୁ ପ୍ରସ୍ତୁତ ହେଉଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାର ୮୮ ଜଣ ଶିକ୍ଷକ, ଶିକ୍ଷୟତ୍ରୀ ପଦୋନ୍ନତି ପାଇଥିବା ବେଳେ ଏବେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ସ୍କୁଲଗୁଡ଼ିକ ପ୍ରଧାନ ଶିକ୍ଷକ ପାଇବାରେ ସଫଳ ହୋଇଛନ୍ତି । ତେବେ ପଦୋନ୍ନତି ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବଦଳି ବିଜ୍ଞପ୍ତି ବାହାରିବା ପରେ ଶିକ୍ଷକ ମହଲରେ ଅସନ୍ତୋଷ ତେଜୁଥିବାର ଜଣାପଡ଼ିଛି । ପଦୋନ୍ନତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ କେତୋକାଂଶରେ ନିଜର ସୁବିଧାଜନକ ସ୍କୁଲକୁ ବଦଳି ହୋଇଛନ୍ତି ଏବଂ ଅନ୍ୟ କିଛି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଙ୍କ ପୁରୁଣା ସ୍କୁଲରେ ହିଁ ଅବସ୍ଥାପିତ କରାଯାଇଛି । କୁହାଯାଉଛି, କେତେକ ସ୍କୁଲରେ ସେହି ସ୍କୁଲର ପ୍ରଧାନଶିକ୍ଷକ ପଦବୀ ଖାଲି ଥିଲେ ସୁଦ୍ଧା ସେହି ସ୍କୁଲର ପଦୋନ୍ନତି ପାଇଥିବା ଶିକ୍ଷକଙ୍କୁ ୫୦ କି.ମି.ରୁ ଅଧିକ ଦୂରବର୍ତ୍ତୀ ସ୍କୁଲକୁ ବଦଳି କରାଯାଇଛି । ଏପରିକି ବାଳିକା ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ପ୍ରଧାନ ଶିକ୍ଷୟତ୍ରୀ ରହିବା ସାଧାରଣରେ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ହେଉଥିବା ବେଳେ ସେଠାରେ ବାହାରୁ ଶିକ୍ଷକ ବଦଳି କରି ଅବସ୍ଥାପିତ କରିବା ବିଷୟକୁ ଲୋକେ ଗ୍ରହଣ କରି ପାରୁନାହାନ୍ତି । ଏହି ବଦଳି କାର୍ଯ୍ୟକ୍ରମରେ ଅନିୟମିତତା ରହିଥିବା ଶିକ୍ଷକମାନେ ପ୍ରକାଶ କରନ୍ତି । ଏ ସଂପର୍କରେ ଓଷ୍ଟା ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀଙ୍କ ସହ ବାର୍ତ୍ତାଳାପ ବେଳେ ସେ ଜଣାଇଛନ୍ତି ଯେ, ଦୀର୍ଘ ଦିନର ଚେଷ୍ଟା ପରେ ପଦୋନ୍ନତି ବିଜ୍ଞପ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବେଳେ ରାଜ୍ୟ ସଂଘ ତାହାକୁ ସ୍ୱାଗତ ଜଣାଇଛି । ଏହି ପଦୋନ୍ନତିରେ ସାରା ଓଡ଼ିଶାରେ ୨୨୦୭ ଜଣ ପଦୋନ୍ନତି ପାଇଛନ୍ତି, ଯାହା ଅତ୍ୟନ୍ତ ଆନନ୍ଦର ବିଷୟ । କିନ୍ତୁ ବଦଳି ପ୍ରକିୟାରେ କିଛି ଅନିୟମିତତା ଦେଖାଦେଇଛି । ତାହାକୁ ନେଇ ଆଗାମୀ ୧୯ ତାରିଖ ଦିନ ଓଷ୍ଟା ରାଜ୍ୟ ସଂଘ ଶିକ୍ଷା ସଚିବଙ୍କୁ ଭେଟିବ ଏବଂ ଏଥିରେ ସୁଧାର ଆଣିବା ପାଇଁ ପଦକ୍ଷେପ ନେବ । ତେବେ ଏହି ବଦଳି ପ୍ରକ୍ରିୟା ଉପରେ ବଲାଙ୍ଗିରର ଜିଲ୍ଲାପାଳ ଚଞ୍ଚଳ ରାଣା ସ୍ୱତନ୍ତ୍ର ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ଦାବୀ ହେଉଛି ।

Leave A Reply

Your email address will not be published.