pakka

କଳାହାଣ୍ଡି ଜିଲ୍ଲାରେ ବାତ୍ୟା ଓ ବନ୍ୟାର ସମ୍ଭାବ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଓ ମକ୍ ଡ୍ରିଲ୍ ଅଭ୍ୟାସ

କଳାହାଣ୍ଡି, (ପି.କେ. ସାହୁ) : ଶନିବାର ଦିନ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ଟେବୁଲ ଟପ୍ ଅଭ୍ୟାସର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପଜିଲ୍ଲାପାଳ, ଭବାନୀପାଟଣା ଡ.ବିଶ୍ୱଜିତ୍ ଦାସ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ରାଜ୍ୟ ପର୍ଯ୍ୟବେକ୍ଷକ ଡ.ରାକେଶ ଠାକୁର, ସହକାରୀ ଜିଲ୍ଲାପାଳ (ଜରୁରୀ) ସୁଶ୍ରୀ ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାରେ ବାତ୍ୟା ଓ ବନ୍ୟା ଭଳି ପରିସ୍ଥିତି ଉପୁଜିଲେ ତାକୁ ଠିକ୍ ରୂପେ ସାମ୍ନା ଓ ପଦକ୍ଷେପ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗର ରାଜ୍ୟ ଜରୁରୀ ନିର୍ବାହ କେନ୍ଦ୍ରରୁ ଆସିଥିବା ଗାଇଡଲାଇନ୍ ଅନୁଯାୟୀ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ, ସତର୍କ ସୂଚନା ପ୍ରାପ୍ତି ଓ ପ୍ରେରଣ, ଅଗ୍ନିଶମ ବିଭାଗର ସତର୍କତା, ଆର୍ ଏଣ୍ଡ ବି ତଥା ଆର୍ ଡି ବିଭାଗର ପଦକ୍ଷେପ, ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ, ପୋଲିସର ଭୂମିକା, ବନ୍ୟା ଆଶ୍ରୟ କେନ୍ଦ୍ର, ୨୪ ଘଣ୍ଟିଆ ନିୟନ୍ତ୍ରଣ କେନ୍ଦ୍ର, ଗର୍ଭବତୀ ମହିଳା, ଶିଶୁ, ଅକ୍ଷମ, ବୃଦ୍ଧ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ବନ୍ୟା ଆଶ୍ରୟ କେନ୍ଦ୍ରରେ ପାନୀୟ ଜଳ, ଖାଦ୍ୟ, ଔଷଧ, ଆସ୍କା ଲାଇଟ୍, ଜେନେରେଟର, ଶିଶୁ ଖାଦ୍ୟ ମହଜୁଦ ଉପରେ ସବିଶେଷ ବିବରଣୀ ଜରୁରୀ ଅଧିକାରୀ ସୁଶ୍ରୀ ପ୍ରଧାନ ସ୍ଲାଇଡ ମାଧ୍ୟମରେ ଦେଇଥିଲେ ।

ଜିଲ୍ଲାରେ ୧୩ ଟି ବ୍ଲକରେ ବିଡିଓ ଏବଂ ତହସିଲଦାର,୪ ଟି ବହୁବିଧ ଆଶ୍ରୟ କେନ୍ଦ୍ରରେ ଏହି ଅଭ୍ୟାସ ପାଇଁ ସତର୍କ ଅଛନ୍ତି ଏବଂ ଆସନ୍ତା କାଲି ମକ୍ ଡ୍ରିଲକୁ ସୁଚାରୁ ରୂପେ ପାଳନ କରିବା ପାଇଁ ନିଜ ନିଜ କେନ୍ଦ୍ରରେ ଉପସ୍ଥିତ ରହିବେ । ୪ ଟି ବୁଲେଟିନ ଯାହା ଏଲର୍ଟ, ୱାର୍ଣିଂ, ଲେଣ୍ଡଫଲ ଓ ଅନାଲିସିସ୍ ପର୍ଯ୍ୟୟକ୍ରମେ ସମୟ ବ୍ୟବଧାନରେ ନକଲି ସୂଚନା ମିଳିବ ଓ ତତ୍‌ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଓ କ୍ଷେତ୍ର ଅଧିକାରୀ ନେବେ ଏବଂ ଏହି ରିପୋର୍ଟ ଉଚ୍ଚ କତୃପକ୍ଷଙ୍କୁ ପଠାଯିବ । ଜିଲ୍ଲାରେ ୬୭ ଟି ଗ୍ରାମ ପଞ୍ଚାୟତର ୧୧୭ ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହେଉଥିବା ଆଶଙ୍କା କରାଯାଏ । ଜୟପାଟଣାର ରସଡୁମେର, ଜୁନାଗଡର କୋଟେନ୍ ଗାଁ, କଲମପୁରର ବାଲିଛଡା ଓ କେସିଙ୍ଗାର ବେଲଖଣ୍ଡିରେ ବହୁବିଧ ଆଶ୍ରୟ କେନ୍ଦ୍ର କରାଯାଇଛି । ସେଭଳି ଅଧିକାରୀ ବନ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ରାସ୍ତା, ପୋଲ, ବନ୍ଧ, ବେସରକାରୀ ଘର, ସରକାରୀ ଘର, ଶସ୍ୟପାଇଁ ଶୀଘ୍ର ରିପୋର୍ଟ ପ୍ରଦାନ ଓ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଶୀଘ୍ର କ୍ଷତିପୂରଣ ପାଇଁ ମଧ୍ୟ ଏହି ମକ୍ ଡ୍ରିଲ ଅଭ୍ୟାସରେ ପ୍ରଶିକ୍ଷଣ ନେବେ । ରାଜ୍ୟ ପର୍ଯ୍ୟବେକ୍ଷକ ଡ.ଠାକୁର ସମସ୍ତଙ୍କୁ ମକ୍ ଡ୍ରିଲ ଅଭ୍ୟାସ ଉପରେ ନିଜ ନିଜର ଅଭିଜ୍ଞତା ତଥା ପଦକ୍ଷେପ ଉପରେ ପଚାରିଥିଲେ । ବୈଠକ ପରେ ସମସ୍ତ ୧୩ ଜଣ ନୋଡାଲ ଅଧିକାରୀ ନିଜ ନିଜ ସଂଲଗ୍ନ ବ୍ଲକକୁ ପରିଦର୍ଶନରେ ଗଲେ । ସଭାରେ ପିଏ, ଆଇଟିଡିଏ, ଡିଏସଡବ୍ଳୁଓ, ସିଡିଏଓ, ଡିଡବ୍ଲୁଓ, ଡିଆଇପିଆର୍‌ଓ, ଡିଏସଏସ୍ଓ, ଏପିଡି, ଡିଆର୍ଡିଏ, ଡିଡି, ପ୍ଲାନିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eleven + 5 =