
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମରେ ଗ୍ରାମ୍ୟ କମିଟି ଓ କୁବେର ଯୁବା ମଞ୍ଚ ପକ୍ଷରୁ ମଙ୍ଗଳବାର ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସକାଳ ଭୋର ସମୟରୁ ଗ୍ରାମବାସୀ କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ନିକଟରେ ଏକତ୍ରିତ ହୋଇଥିଲେ । ସେଠାରୁ ଗ୍ରାମର ମହିଳା, ପୁରୁଷ ଓ ଯୁବକମାନେ ଏକ ଶୋଭାଯାତ୍ରାରେ ବାହାରି ପୁରୁଣା ବନ୍ଧ ନିକଟରେ ପହଞ୍ଚିଥିଲେ । ସେଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ବୋଇତ ବନ୍ଦାଣ କରାଯାଇଥିଲା । ଓଡ଼ିଆ ଜାତିର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତିକୁ ମନେ ପକାଇ ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏଥିରେ ଗ୍ରାମର ମହିଳା, ପୁରୁଷ ଓ ଯୁବକମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନାରେ ଗ୍ରାମ୍ୟ କମିଟିଙ୍କ ସହ କୁବେର ଯୁବା ମଞ୍ଚର ସଦସ୍ୟମାନେ ସହଯୋଗ କରିଥିଲେ ।