ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ ଗୁରୁବାର ଶିକ୍ଷକ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ଛତ୍ରପୁର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଅଧ୍ୟକ୍ଷ ବୀରସେନ୍ ବେହେରା ପୌରହିତ୍ୟ କରିଥିଲେ । ଅନୁଷ୍ଠାନର ସମ୍ପାଦିକା ସ୍ମୃତିରେଖା ବେହେରା, ଅନୁଷ୍ଠାନର ପ୍ରିନସିପାଲ ଶ୍ରୀମତୀ ମଧୁସ୍ମିତା ପରିଡ଼ା, ସହକାରୀ ପ୍ରିନସିପାଲ ନୀଲୁ ଫର୍ ହୁସିୟାନ୍, ଆଡମିନ ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ଅତିଥି ଭାବେ ଭୁବନେଶ୍ୱରରୁ ଆସିଥିବା ଅଭିଜ୍ଞ ସମ୍ପନ୍ନ ଟ୍ରେନର୍ ଯୋଗଦେଇ ଗୁଣାତ୍ମକମାନର ଶିକ୍ଷା ସହ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାଦାନର ଅନୁଶାସନ ସମ୍ବନ୍ଧୀୟ ପରିଚାଳନା ସମ୍ପର୍କିତ ତାଲିମ୍ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ବିଶିଷ୍ଟ ଅଭିଜ୍ଞ ସମ୍ପନ୍ନ ମେଣ୍ଟର୍ ଶ୍ରୀମତୀ ତପସ୍ଵିନୀ ମହାରଣା, ମୁଖ୍ୟବକ୍ତା ଭାବେ ଭୁବନେଶ୍ୱରର ଲାଇଫ କ୍ରାଫ୍ଟ ଟ୍ରେନିଙ୍ଗ ଏକାଡେମୀର ପ୍ରତିଷ୍ଠାତା ଅରବିନ୍ଦ ଦାସ ପ୍ରମୁଖ ଯୋଗଦେଇ ଉନ୍ନତ ଶିକ୍ଷଣ ସମ୍ବଳ ବିକାଶ ଦିଗରେ ଆଲୋକପାତ କରିଥିଲେ । ଏହି ଦିନିକିଆ କାର୍ଯ୍ୟକ୍ରମରେ ଅଭିନୟ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉନ୍ନତ ଶିକ୍ଷଣ ସମ୍ବଳ ବିକାଶ ଦିଗରେ ବୁଝାଇଥିଲେ । ଅନୁଷ୍ଠିତ ଏହି ତାଲିମ ଓ କର୍ମଶାଳାରେ ଗଞ୍ଜାମ ଜିଲ୍ଲାର କନିଷି, ଦିଗପହଣ୍ଡି, ଏବଂ ଛତ୍ରପୁର ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ବରିଷ୍ଠ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ । ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ଏହି ତିନି ଶାଖାରେ ଅବସ୍ଥାପିତ ବରିଷ୍ଠ କୁଶଳୀ ଶିକ୍ଷକ ଶିକ୍ଷୟିତ୍ରୀଗଣ ଯୋଗଦେଇ ଶିକ୍ଷାର ବୌଦ୍ଧିକ ବିକାଶ ଦିଗରେ ଅବଗତ ହୋଇ ଏହି କର୍ମଶାଳାରେ ଅନେକ ଦିଗଦର୍ଶନ ଲାଭ କରିଥିଲେ । ନୂତନ ପାଠ୍ୟ ଖସଡ଼ା ଏବଂ ଆଗମୀ ଶିକ୍ଷା ବର୍ଷରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ କିଭଳି ମାର୍ଗରେ ଅଧ୍ୟାପନା ଦେବେ ସେନେ଼ଇ ଭୁବନେଶ୍ୱରରୁ ଆସିଥିବା ଅଭିଜ୍ଞ ସମ୍ପନ୍ନ ଟ୍ରେନର୍ ଅତିଥିଗଣ ଯୋଗଦେଇ ଗୁଣାତ୍ମକ ମାନର ଶିକ୍ଷା ଉପରେ ପରିଚାଳନା ସମ୍ପର୍କିତ ତାଲିମ୍ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ଏବଂ ଅନୁଷ୍ଠାନର ଛାତ୍ରୀମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟାଭିନୟରେ ଛାତ୍ରୀ ସୁଶ୍ରୀ ମୁସକାନ ପ୍ରବୀଣ ବେଗମ୍, ପାୟଲ୍ ପାତ୍ର, ନମ୍ରତା ପ୍ରଧାନ, ହଂସିକା ରାଉଳ ପ୍ରମୁଖ ନୃତ୍ୟ ପରିବେଷଣ କରି ସଭିଁଙ୍କୁ ମୁଗ୍ଧ କରିଦେଇଥିଲେ ।