ଘୋଷଣା ହେଲା ସମ୍ମାନଜନକ ‘ମହୁରି’ ସମ୍ମାନ

  • ୨୦୨୪ ବର୍ଷ ପାଇଁ କବି ଡ. ପ୍ରୀତିଧାରା ସାମଲ ଓ ୨୦୨୫ ବର୍ଷ ପାଇଁ କଥାକାର ଡ. ନୃପରାଜ ସାହୁ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା “ମହୁରି” ପକ୍ଷରୁ ଦୁଇ ବର୍ଷର ସମ୍ମାନଜନକ “ମହୁରି ସମ୍ମାନ” ଘୋଷଣା କରାଯାଇଛି । ୨୦୨୪ ବର୍ଷ ପାଇଁ ଏହି ସମ୍ମାନ ପାଇବେ କବି ଡ. ପ୍ରୀତିଧାରା ସାମଲ ଓ ୨୦୨୫ ବର୍ଷ ପାଇଁ ଏହି ସମ୍ମାନ ପାଇବେ କଥାକାର ଡ. ନୃପରାଜ ସାହୁ । ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଉଥିବାବେଳେ ଡ. ପ୍ରୀତିଧାରା ସାମଲ ଓ ଡ. ନୃପରାଜ ସାହୁଙ୍କ ନାମକୁ ଚୟନ କମିଟି ସୁପାରିଶ କରିଛି । ଏନେଇ ଘୋଷଣା କରିବା ସହିତ ଆସନ୍ତା ଜାନୁଆରୀ-୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ମହୁରି ମହୋତ୍ସବରେ ଉଭୟଙ୍କୁ ସମ୍ମାନିତ କରାଯିବ ବୋଲି ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲ ସୂଚନା ଦେଇଛନ୍ତି । ଗତ ୨୦୦୮ରୁ ନିୟମିତ ପ୍ରକାଶ ପାଇଆସୁଥିବା ଷାଣ୍ମାସିକ ସାହିତ୍ୟ ପତ୍ରିକା “ମହୁରି” ପକ୍ଷରୁ ବିଗତ ବର୍ଷମାନଙ୍କରେ ଲେଖକ ବିଷ୍ଣୁପଦ ସେଠୀ, ଗାଳ୍ପିକ ଓ ଔପନ୍ୟାସିକ ସତ୍ୟପ୍ରିୟ ମହାଳିକ, କବି ସୁଚେତା ମିଶ୍ର, ଗଦ୍ୟ ସାହିତ୍ୟର ବିଶିଷ୍ଟ ବିନ୍ଧାଣୀ ପ୍ରଫେସର ଆଦିକନ୍ଦ ସାହୁ, ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା, କବି ଡ. ସୁରେଶ ନାୟକ, କବି ଲକ୍ଷ୍ମୀନାରାୟଣ ହୋତା, କବି ଗାୟତ୍ରୀବାଳା ପଣ୍ଡା ଓ କବି ରଂଜନ କୁମାର ଦାସ ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି । ୧୯୭୩ ମସିହାରେ ଜନ୍ମିତ କବି ଡ. ପ୍ରୀତିଧାରା ସାମଲ ଛାତ୍ରୀ ଜୀବନରୁ ସାହିତ୍ୟ ସାଧନାରେ ରତ ଅଛନ୍ତି । କବିତା, ପ୍ରବନ୍ଧ, ଅନୁବାଦ ସହିତ ସାଂପ୍ରତିକ ପ୍ରସଙ୍ଗଭିତ୍ତିକ ଫିଚର ରଚନାରେ ସେ ସିଦ୍ଧହସ୍ତ ଅଟନ୍ତି । ସଂପ୍ରତି ସେ ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ସରକାରୀ ଡି.ଏ.ଭି. ମହାବିଦ୍ୟାଳୟ କୋରାପୁଟରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ । ଏଯାବତ୍ ତାଙ୍କର ୫ଟି କବିତା ସଂକଳନ, ୧ଟି ଅନୁଦିତ ଶିଶୁ ଗଳ୍ପ ସଂକଳନ, ପ୍ରବନ୍ଧ ପୁସ୍ତକ : ରମାକାନ୍ତ ରଥଙ୍କ କବିତାର ଭାଷା ଓ ରଚନା ଶୈଳୀ ପ୍ରକାଶିତ ହୋଇଛି । ଓଡ଼ିଆ କାବ୍ୟ ସାହିତ୍ୟର ମୁଖ୍ୟସ୍ରୋତରେ ଜଣେ ସ୍ରୋତସ୍ଵିନୀ କବି ଭାବରେ ଡ. ସାମଲ ବେଶ୍ ଚର୍ଚ୍ଚିତ । କବିତାରେ ବିମ୍ବ ପ୍ରୟୋଗର ଅସାମାନ୍ୟ ଦକ୍ଷତା ଅନ୍ୟ ମାନଙ୍କୁ ଅଲଗା କରି ଠିଆ କରାଏ । କେତେବେଳେ ପ୍ରେମ ତ କେତେବେଳେ ପ୍ରତିବାଦ ତଥା ବିଦ୍ରୋହ ତାଙ୍କ କବିତାରେ ତୀକ୍ଷ୍ଣ ଭାବେ ପ୍ରତିଭାତ ହୁଏ । ନାରୀ ମନର ସୂକ୍ଷ୍ମ ଅନୁଶୀଳନ ଓ ଅନୁଭବ କବିତାରେ ସୁନ୍ଦର ଭାବରେ ଉପସ୍ଥାପନା କରିବା ନିମନ୍ତେ ୨୦୨୪ ବର୍ଷ ପାଇଁ ତାଙ୍କୁ ସମ୍ମାନଜନକ ‘ମହୁରି ସମ୍ମାନ’ ପ୍ରଦାନ କରାଯିବ । ସେହିପରି ୧୯୬୬ ମସିହାରେ ଜନ୍ମିତ କଥାକାର ଡ. ନୃପରାଜ ସାହୁ ଜଣେ ନୀରବ ସାହିତ୍ୟ ସାଧକ ଭାବରେ ଗୁଣଗ୍ରାହୀ ପାଠକଙ୍କ ନିକଟରେ ପରିଚିତ । ଗଳ୍ପ, କବିତା, ପ୍ରବନ୍ଧ, ଅନୁବାଦ ସାହିତ୍ୟରେ ସେ ବେଶ୍ ପରିଚିତ । ସଂପ୍ରତି ସେ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ କାର୍ଯ୍ୟରତ । ଏଯାବତ୍ ତାଙ୍କର ୨ଟି ଗଳ୍ପ ପୁସ୍ତକ, ଖଣ୍ଡିଏ କବିତା ସଂକଳନ ଓ ଗୋଟିଏ ଅନୁବାଦ ପୁସ୍ତକ ପ୍ରକାଶ ପାଇଛି । ଓଡ଼ିଆ କଥା ସାହିତ୍ୟରେ ଡ. ସାହୁ ବେଶ୍ ଚର୍ଚ୍ଚିତ । ତାଙ୍କ ଗଳ୍ପରେ ମଣିଷକୁ ସେ ନିଆରା ତଥା ଦରଦୀ ଭାବରେ ଉପସ୍ଥାପନ କରୁଥିବା ବେଳେ ପ୍ରକୃତି ଅତ୍ୟନ୍ତ ଚିତ୍ତାକର୍ଷକ ଭାବେ ଚିତ୍ରିତ ହୋଇ ପ୍ରକଟିତ ହୁଏ । ତାଙ୍କ ଗଳ୍ପରେ ଉପଯୁକ୍ତ ଚରିତ୍ର ଚିତ୍ରଣ ତଥା ଅସହାୟଙ୍କୁ ଯଥାଯଥ ନ୍ୟାୟ ପ୍ରଦାନ ନିମନ୍ତେ ୨୦୨୫ ବର୍ଷ ପାଇଁ ତାଙ୍କୁ ସମ୍ମାନଜନକ ‘ମହୁରି ସମ୍ମାନ’ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.