tur
shyamlal

ସରକାରୀ ମହିଳା ମହାବିଦ୍ୟାଳୟର ୬୦ତମ ବାର୍ଷିକୋତ୍ସବ ‘ନିକ୍ଵଣ’ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟର ୬୦ତମ ବାର୍ଷିକୋତ୍ସବ ‘ନିକ୍ଵଣ’ ଅନୁଷ୍ଠିତ ହୋଇଯାଇଛି । ଛାତ୍ରୀ ସଂସଦର ସଭାପତି ଶକ୍ତିଶା ଚୌଧୁରୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବାର୍ଷିକୋତ୍ସବର ମଞ୍ଚରେ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝା, ମୁଖ୍ୟ ଅତିଥି ଡଃ ସୁଷମା ମଞ୍ଜରୀ ନାୟକ, ମୁଖ୍ୟବକ୍ତା ପଦ୍ମଶ୍ରୀ ହଳଧର ନାଗ, ଛାତ୍ରୀ ସଂସଦର ଉପଦେଷ୍ଟା ବିଭୂତି ଭୂଷଣ ସାହୁ , ନାଟ୍ୟ ସଂସଦର ଉପଦେଷ୍ଟା ସଲୋମନ କୁମାର ତଥା ଡ଼ଃ ଅନୁରାଧା ମିଶ୍ର , ଅର୍ପିତା ମନହୀରା ପ୍ରଭୃତି ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଡ଼ଃ ନାୟକ ନିଜ ବକ୍ତବ୍ୟରେ ମହାଭାରତ ବର୍ଣ୍ଣିତ ସଂଜୟ – ଧୃତରାଷ୍ଟ୍ର ଯେମିତି ଶ୍ରୀକୃଷ୍ଣଙ୍କ ଗୀତାବାଣୀ ଶୁଣି ପାରିଥିଲେ ସେମିତି ଆଜିର ଛାତ୍ର ସମାଜ ମୋବାଇଲ ଫୋନରୁ ବହୁବିଧ ଜ୍ଞାନ ଆହରଣ କରିପାରିବେ ବୋଲି କହିଥିଲେ । ମୁଖ୍ୟବକ୍ତା କବି ହଳଧର ନାଗ କୋଶଲ ମାଟିର ଭାଷା ସମୃଦ୍ଧ ଏବଂ ଏହା ଦିନେ ସରକାରୀ ସ୍ୱୀକୃତି ଲାଭ କରିବ ବୋଲି ଗୁରୁତ୍ୱାରୋପ କରବା ସହ ଏକାଧିକ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଏହି ଅବସରରେ ବିଭିନ୍ନ କୃତୀ ପ୍ରତିଯୋଗୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଯୁକ୍ତ ୩ ଓ ସ୍ନାତକୋତ୍ତର ସ୍ତରରେ ଶକ୍ତିଶା ଚୌଧୁରୀ ଏବଂ ରିନୁ ତରିଆ ଚମ୍ପିୟାନ ହୋଇଥିବା ବେଳେ ଯୁକ୍ତ ୨ ସ୍ତରରେ ସନ୍ଧ୍ୟାରାଣୀ ପଧାନ ଓ ଶୁଭଶ୍ରୀ ସାହୁ ଚମ୍ପିୟାନ ହୋଇଥିଲେ । ଶେଷରେ ସଲୋମନ କୁମାର ଧନ୍ୟବାଦ ଅର୍ପଣ କରିଥିବା ବେଳେ ପରେ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.