ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ବିଧିବଦ୍ଧ ହେବା ଆବଶ୍ୟକ । ଏହାକୁ କାର୍ଯ୍ୟକାରୀ କରାଗଲେ ଓଡ଼ିଶାରେ ଏକ ଉନ୍ନୀତ ଓ ଉଚିତ୍ ଗଣତନ୍ତ୍ର ଶାସନ ଫେରିଆସିବ । ଯାହାଫଳରେ ଲୋକମାନେ ଉଚିତ୍ ନ୍ୟାୟ ପାଇପାରିବେ । ଗଣତନ୍ତ୍ରର ପ୍ରକୃତ ସ୍ୱାଦ ପାଇପାରିବେ । ଏବେ ରାଜ୍ୟରେ ଅରାଜକତା ଗଣତନ୍ତ୍ରକୁ ପ୍ରତିହତ ହେବା ସଦୃଶ ରାଜନୀତି ଚାଲିଛି । ସେଥିପାଇଁ ରାଜ୍ୟରେ ପରିବର୍ତ୍ତନଶୀଳ ସରକାର ପ୍ରତିଷ୍ଠା ହେବା ଆବଶ୍ୟକ ବୋଲି ବିଜେପି କହିଛି । ପ୍ରତ୍ୟେକ ନିର୍ବାଚନ ବେଳେ ଶାସକଦଳ ତରଫରୁ ଜଣେ ବ୍ୟକ୍ତିଙ୍କ ନେତୃତ୍ଵରେ ରାଜ୍ୟର ସମଗ୍ର ଅମଲାତନ୍ତ୍ର କ୍ଷମତା ହାତକୁ ନେଇ ଅଗଣତାନ୍ତ୍ରିକ ଭାବେ ନେତା, ମନ୍ତ୍ରୀ, କର୍ମୀ ଓ ଲୋକଙ୍କୁ ବାହୁବଳ ପ୍ରୟୋଗ କରାଯାଉଛି । ଡ଼ଃ. ପ୍ରଦୀପ ପାଣିଗ୍ରାହୀ ଏହାକୁ ତୀବ୍ର – ବିରୋଧ କରି କହିଛନ୍ତି । ସର୍ବୋପରି ଗଞ୍ଜାମ ଜିଲ୍ଲାରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ପରିଚାଳିତ ହେବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଦିଗରେ ବିଶେଷ ଦୃଷ୍ଟି ଦେଇ ନିରପେକ୍ଷତା ଅବଲମ୍ବନ କରାଯିବା ଆବଶ୍ୟକ ବୋଲି ଗୋପାଳପୁର ବିଧାୟକ ତଥା ବର୍ତ୍ତମାନର ବିଜେପି ପ୍ରତିଦ୍ୱନ୍ଦୀ ସାଂସଦ ପ୍ରାର୍ଥୀ ଡ଼ଃ. ପ୍ରଦୀପ ପାଣିଗ୍ରାହୀ କହିଛନ୍ତ । ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗରୁମ୍ ପରିସରରେ ଆୟୋଜିତ ବିଜେପିର ବିଶାଳ କର୍ମୀ ସମାବେଶରେ ଡଃ. ପାଣିଗ୍ରାହୀ ଯୋଗଦେଇଥିଲେ । ଛତ୍ରପୁରଠାରେ ଆୟୋଜିତ ଏହି ଆନୁଷ୍ଠାନିକ ସଭାରେ ମାନ୍ୟବର ଶ୍ରୀ ପାଣିଗ୍ରାହୀଙ୍କୁ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଗମୀ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷତା ଅବଲମ୍ବନ କରି ସୁରକ୍ଷିତ ଭାବେ ମତଦାନ କରିବା ବ୍ୟବସ୍ଥା କରାଯିବାକୁ ଶ୍ରୀ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନକୁ ଅନୁରୋଧ କରିଥିଲେ । ସରକାରୀକଳ ଶାସକଦଳର ଚାପରେ ପରିଚାଳିତ ନହେବାକୁ ଚେତାବନୀ ଦେଇଛନ୍ତି । ସୂଚନା ଥାଉକି ଗତ ୨୦୨୨ରେ ତ୍ରି – ସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ବେଳେ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍ପି ତଥା ଶାସକ ଦଳ ବାହୁବଳ ଓ ଅର୍ଥବଳ ପ୍ରୟୋଗ କରିବା ଏବଂ ଅନେକ କର୍ମୀ ନେତାମାନଙ୍କ ଉପରେ ମିଥ୍ୟା – ଆରୋପ ଲାଗିଥିବା ବିଷୟରେ ସେ କ୍ଷୁବ୍ଧ ହୋଇଥିଲେ । ଛତ୍ରପୁରର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ବାଚନ ନେଇ ପକ୍ଷପାତନୀତି ଅବଲମ୍ବନ କରିଥିବା ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟକଳାପକୁ ଘୃଣ୍ୟ ପ୍ରଥା ବୋଲି କହିଥିଲେ । ଜନସାଧାରଣ ଓ ସଦସ୍ୟଙ୍କ ଦୃଢ଼ ମନୋବଳ ଲାଗି ସେତେବେଳେ ନିରପେକ୍ଷ ମାଧ୍ୟମରେ ପ୍ରାର୍ଥୀ ଚୟନ ସମ୍ଭବ ହୋଇପାରିଥିଲା । ଏଭଳି ଯେ ଅନେକ କାର୍ଯ୍ୟରେ ଗଣତାନ୍ତ୍ରିକ ବିଧିକୁ ପ୍ରତିହତ କରାଯାଉଛି ତାହାକୁ ଦୃଢ଼ ନିନ୍ଦା କରିଥିଲେ । କର୍ମୀ ସମାବେଶରେ ବିଜେପି ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର, କୃଷ୍ଣ ନାୟକ, ବନମାଳି ସେଠୀ, ପଦ୍ମଚରଣ ସାହୁ, ଛତ୍ରପୁର ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ପୂର୍ବତନ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ଯୁବନେତା ଡ. ସୁରେଶ ରେଡ୍ଡୀ, ରାଜ୍ୟ ସଧାରଣ ସମ୍ପାଦକ ଶାରଦା ଶତପଥୀ, ଲୋକସଭା ସଂଯୋଜକ ସରୋଜ ସାବତ, ଗଞ୍ଜାମ ଜିଲ୍ଲା ଲିଗାଲ୍ ସେଲ୍ ଅଧ୍ୟକ୍ଷ ପ୍ରଦୀପ ପାଢ଼ୀ ପ୍ରମୁଖ ବହୁ ଦଳୀୟ ନେତ୍ରୁବର୍ଗ ଯୋଗଦେଇ ଆଗମୀ ନିର୍ବାଚନ ପାଇଁ ବିଜେପିର ବିଜୟ ଲାଭ ଦିଗରେ ଏକତାବଦ୍ଧ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।