ଆଗାମୀ ନିର୍ବାଚନ ପାଇଁ ଗ୍ରାମ ପଞ୍ଚାୟତଠାରୁ ସଚିବାଳୟ ପର୍ଯ୍ୟନ୍ତ ପିସି ଜରିଆରେ ବିଜେଡି ବ୍ୟାପକ ମାତ୍ରାରେ ଦଳୀୟ ପାଣ୍ଠି ସଂଗ୍ରହ କରି ଚାଳିଛି : ପ୍ରଦୀପ ପୁରୋହିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁ ଉନ୍ନୟନମୂଳକ କାର୍ଯ୍ୟରେ ୫% ଠାରୁ ଅଧିକ ପିସି ସଂଗ୍ରହ କରି ବିଜୁ ଜନତା ଦଳ ଆଗାମୀ ନିର୍ବାଚନ ପାଇଁ ଦଳୀୟ ପାଣ୍ଠି ନାଁରେ ବ୍ୟାପକ ଟଙ୍କା ସଂଗ୍ରହର ଅଭିଯାନ ଚଳାଇଛି ତେଣୁ ଏ ସରକାର ବଦଳିବା ଦରକାର ବୋଲି ବିଜେପି ଦ୍ବାରା ଚାଲିଥିବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ ବେଳେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ନିଜ ବକ୍ତବ୍ୟରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି । ମାଣ୍ଡୋସିଲ, ପାଇକମାଲ ପରେ ଆଜି ବିଜେପି ପାଇକମାଲ ବ୍ଲକର ସରେଇକେଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ ଡାକରା ଦେଇଥିଲା । ସରେଇକେଲା ଗ୍ରାମର ଶିବ ମନ୍ଦିରଠାରୁ ଶହ ଶହ ସଖ୍ୟାରେ ମହିଳା ପୁରୁଷ ମଣ୍ତଳ ସଭାପତି ଭୀଷ୍ମଦେବ ସାହୁଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରାରେ ଆସି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ବରଗଡ ଜିଲ୍ଲା ବିଜେପି ଉପସଭାପତି ସରୋଜ ସାମଲଙ୍କ ସଭାପତିତ୍ୱରେ ଆନ୍ଦୋଳନ ସ୍ଥଳରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେଉନଥିବା, ଏନ୍ଆର୍ଇଜିଏରେ ବହୁ ଦିନରୁ ଶ୍ରମିକମାନେ କାର୍ଯ୍ୟ କରୁଥିଲେ ମଧ୍ୟ ଶ୍ରମିକମାନେ ମଜୁରୀ ଟଙ୍କା ପାଉ ନଥିବା, ମୋଦୀ ସରକାର ଦେଉଥିବା ଚାଉଳ ପାଇବାରୁ ବହୁ ଗରିବ ବଞ୍ଚିତ ଥିବା ଆଦି ଅନେକ ଅଭିଯୋଗ ଜନ ସାଧାରଣ କରିଥିଲେ । ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିବା ନବୀନ ପଟ୍ଟନାୟକର ସରକାର ଓଡିଶାର ଗରିବ ଲୋକଙ୍କୁ ଚିହ୍ନ ପାରୁ ନାହିଁ, ବିଜୁ ଜନତା ଦଳରେ ସାମିଲ ଥିଲେ ଧନୀ ଲୋକ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଓ ଚାଉଳ ପାଇଁ ରାସନକାର୍ଡ ଦେଇ ଦେଉଛି, ଯେଉଁଥି ପାଇଁ ବହୁ ଗରିବ ଲୋକ ଘର ଓ ଚାଉଳ ପାଇବାରୁ ବଞ୍ଚିତ ହୋଇ ଯାଇଛନ୍ତି ବୋଲି ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଜନ ସାଧାରଣଙ୍କୁ ଉଦ୍ବୋଧନ ଦେଇ ପ୍ରକାଶ କରିଥିଲେ । ଉନ୍ନୟନମୂଳକ କାର୍ଯ୍ୟ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଆସୁଥିବା କୋଟି କୋଟି ଟଙ୍କା ବ୍ଲକ ଜେଇମାନଙ୍କ ନାମରେ କାର୍ଯ୍ୟାଦେଶ ଦେଇ ବ୍ୟାପକ ଅର୍ଥ ବାଟମାରଣା କରାଯାଉଛି । ଧାନ କ୍ବିଣ୍ଟାଲ ପ୍ରତି ଶହେ ଟଙ୍କା ବୋନସ ଘୋଷଣା ମୁଖ୍ୟମନ୍ତ୍ରୀଙ୍କ କେବଳ ପ୍ରତାରଣା ବୋଲି ଶ୍ରୀ ପୁରୋହିତ ଅଭିମତ ଦେବା ସହ ୨୦୨୪ ନିର୍ବାଚନରେ ଓଡିଶାର ନବୀନ ସରକାର ପରିବର୍ତ୍ତନ ନ ହେଲେ ରାଜ୍ୟ ରସାତଳକୁ ଚାଳିଯିବ ବୋଲି ଶ୍ରୀ ପୁରୋହିତ ନିଜ ବକ୍ତବ୍ୟରେ ଜନ ସାଧାରଣଙ୍କୁ ସତର୍କ କରାଇଥିଲେ ।ବିଜେପି ଦ୍ୱାରା ଆୟୋଜିତ ଏହି ଘେରାଉ କାର୍ଯ୍ୟକ୍ରମରେ ମାଣ୍ଡୋସିଲ ମଣ୍ତଳ ସଭାପତି ସଂଜୟ ବେହେରା, ପାଇକମାଲ ମଣ୍ତଳ ସଭାପତି କୈଳାଶ ଦିଶ୍ରୀ, ସରପଞ୍ଚ ଓମ ପ୍ରକାଶ ନାୟକ, ଶ୍ରୀମତୀ ତୁଲାବତୀ ତାଣ୍ଡି, ସମିତିସଭ୍ୟ ଶ୍ରୀମତୀ ନିରୁପମା ନାଗ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ଶ୍ରୀମତୀ ତ୍ରିପୁରା ବରିହା, ଶ୍ରୀମତୀ ସୁବାଷିନୀ ପ୍ରଧାନ, ଗୋବର୍ଦ୍ଧନ ଅଗ୍ରୱାଲ, ମୈତ୍ରୀ ପ୍ରଧାନ,ଲଳିତ ଜଗତ, ବିକି ଅଗ୍ରୱାଲ, ରାଜେନ୍ଦ୍ର ସେଠ, ଟୁନା ଡନସନା, ପଦ୍ମଲୋଚନ ବେରିଆ, ଯୋଗେନ୍ଦ୍ର ଭୋଇ, ଭୂଷଣ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।