କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଆଜି ସକାଳୁ ସକାଳୁ ଦୋକାନ ଗୁଡିକ ସାମ୍‌ନାରେ ପିକେଟିଂ କରାଯାଇଥିଲା । ଜିଲ୍ଲା ସଂଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନରେ ବୁଦ୍ଧିଜୀବୀ ଓ ଜିଲ୍ଲା ସଂଘର୍ଷ ସମିତିର ସଦସ୍ୟ, ରାଜନୈତିକ ଦଳର କାର୍ୟ୍ୟକର୍ତା, ବିଭିନ୍ନ ସଂଗଠନର ନେତୃବୃନ୍ଦ ମାନେ ସାମିଲ ହୋଇ ସମର୍ଥନ କରୁଛନ୍ତି । ପୂର୍ବରୁ ମଧ୍ୟ ଜିଲ୍ଲା ଦାବୀ ପ୍ରସଙ୍ଗକୁ ନେଇ ଜୋରଦାର ଆନ୍ଦୋଳନ କରାଯାଇଛି । ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚକାଜାମ କରାଯାଇଛି । ଦୋକାନ ବଜାର, ବସ୍ ଚଳାଚଳ, ଶିକ୍ଷା ଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ ପ୍ରତିଷ୍ଠାନ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ବ୍ଲକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଣ୍ଟାବାଞ୍ଜି ସହରକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରାଯାଇଥିବା ଯୋଗୁଁ ଶହ ଶହ ଗାଡି ଅଟକି ରହିଛି । ଗାଡି ଚଳାଚଳ ବନ୍ଦ ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଯେତେଦିନ ପର୍ଯ୍ୟନ୍ତ ସରକାର କଣ୍ଟାବାଞ୍ଜିକୁ ଜିଲ୍ଲା ଘୋଷଣା ନ କରିବେ, ସେତେଦିନ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଜିଲ୍ଲା ନାହିଁ ତ ଭୋଟ ନାହିଁ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.