oom

ନବମ ଶ୍ରାଦ୍ଧ ସମାରୋହ ଅବସରରେ ପ୍ରଫେସର ନାରାୟଣ ପୃଷେଠଙ୍କ ଗଳ୍ପ ସଂକଳନ ‘ହଳଦୀ ବସନ୍ତ’ ଲୋକାର୍ପିତ

jsmm

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଏକ ନିର୍ଦ୍ଦିଷ୍ଟ ସମୟକୁ ଜାଣିବା ପାଇଁ ଲୋଡା ସେହି ସମୟରେ ସୃଷ୍ଟି ହୋଇଥିବା ସାହିତ୍ୟର ଅଧ୍ୟୟନ । ସମୟର ସ୍ଵରକୁ ଲିପିବଦ୍ଧ କରିଥିବା ସାହିତ୍ୟ ଯେତେବେଳେ ପାଠକର ସମୟ ସହ ସମତାଳରେ ପ୍ରବାହିତ ହୁଏ, ସେତେବେଳେ ସେହି ସାହିତ୍ୟ ହୁଏ ସର୍ବକାଳର । ପ୍ରଫେସର ନାରାୟଣ ପୃଷେଠଙ୍କ ଲିଖିତ ଗଳ୍ପ ଗୁଡିକ ମଧ୍ୟରେ ଆମେ ସେହି ସାର୍ବକାଳିକତା ପାଇପାରିବା ବୋଲି ଆଜି ପ୍ରଫେସର ନାରାୟଣ ପୃଷେଠଙ୍କ ନବମ ଶ୍ରାଦ୍ଧ ସମାରୋହ ଅବସରରେ ସ୍ଵୟମସିଦ୍ଧା ଫାଉଣ୍ଡେସନ ଦ୍ବାରା ପ୍ରକାଶିତ ଗଳ୍ପ ସଂକଳନ ‘ହଳଦୀ ବସନ୍ତ’ର ଲୋକାର୍ପଣ ଅବସରରେ ମଞ୍ଚାସୀନ ଅତିଥି ବର୍ଗ ମତ ପ୍ରକାଶ କରିଛନ୍ତି ।ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ରବିଶଙ୍କର ପାଣ୍ଡିଆଙ୍କ ସଭାପତିତ୍ୱରେ ବଲାଙ୍ଗିର ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ ମୁଖ୍ୟ ଅତିଥି, ସ୍ଥପତି ଚିତ୍ରଶିଳ୍ପୀ ଅନ୍ତର୍ୟ୍ୟାମୀ ମେହେର ଓ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ.ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଫେସର ନାରାୟଣ ପୃଷେଠଙ୍କ ପୁତ୍ର ଡକ୍ଟର ସୁଜିତ କୁମାର ପୃଷେଠ ଗଳ୍ପ ସଂକଳନ ବିଷୟରେ ଆଲୋଚନା କରିଥିଲେ । ପ୍ରଫେସର ନାରାୟଣ ପୃଷେଠ ସ୍ମୃତି କମିଟିର ଆବାହକ ସନ୍ଦୀପ କୁମାର କୁଅଁର ସଭା ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, କୁନା ବାଗ, ରାଜେଶ ଝାଙ୍କର ଓ ତ୍ରିଲୋଚନ ନନ୍ଦ ପ୍ରଫେସର ପୃଷେଠଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଚିତ୍ରଶିଳ୍ପୀ ଅନ୍ତର୍ୟ୍ୟାମୀ ମେହେର ଓ ତାଙ୍କ ପୁତ୍ର ଅଭିଳାଷ ମେହେରଙ୍କୁ ପ୍ରଚ୍ଛଦ ଚିତ୍ର ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅନ୍ୟତମ ଆବାହକ ବୀରେନ୍ଦ୍ର କୁମାର ଝାଙ୍କର ସ୍ବାଗତ ବକ୍ତବ୍ୟ ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.