ଜେଏନୟୁ ପ୍ରବେଶିକା ପରୀକ୍ଷାରେ କଳାହାଣ୍ଡି ଛାତ୍ରଛାତ୍ରୀଙ୍କ ସଫଳତା

କଳାହାଣ୍ଡି, (ପି.କେ.ସାହୁ) : ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) ପ୍ରବେଶିକା ପରୀକ୍ଷା ୨୦୨୦ ରେ କଳାହାଣ୍ଡି ଜିଲ୍ଲାର ଦୁଇ ଜଣ ଶିକ୍ଷାର୍ଥୀ କୃତିତ୍ବ ହାସଲ କରିଛନ୍ତି । ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣା ତଥା ବର୍ତ୍ତମାନର କଳାହାଣ୍ଡି ବିଶ୍ବବିଦ୍ୟାଳୟରୁ ଉଭୟ ସ୍ନାତକ ପାସ କରିଛନ୍ତି । ଜୟପାଟଣା ବ୍ଳକ ଅନ୍ତର୍ଗତ ବଡ ପୁଜାରୀଗୁଡାର ଭୋଳେଶ୍ବର ନାଏକ ଜେଏନୟୁ ରାଜନୀତି ବିଜ୍ଞାନ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ସର୍ବଭାରତୀୟ ସ୍ତରରେ ଅନୁସୂଚିତ ଜନଜାତିରେ ପ୍ରଥମ ରାଙ୍କ ରଖି ସଫଳତା ପାଇଛନ୍ତି। ସେ ପଶ୍ଚିମ ଛାତ୍ରବାସରେ ରହି ପାଠ ପଢୁଥିଲେ ।

ସେହିପରି ଜୁନାଗଡ଼ ବ୍ଳକ ପଲାସ ଗ୍ରାମର ଛାତ୍ରୀ ସରୀତା ଦୁର୍ଗା ପଦାର୍ଥ ବିଜ୍ଞାନରେ ସର୍ବଭାରତୀୟ ସ୍ତରରେ ୪ ନଂ ରେଙ୍କ ରଖି କୃତିତ୍ବ ହାସଲ କରିଛନ୍ତି । ସରୀତା ମଧ୍ୟ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣା ଠାରେ ୨୦୧୯ ମସିହାରେ ପଦାର୍ଥ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି । ଉଭୟଙ୍କ ସଫଳତା ପାଇଁ କଳାହାଣ୍ଡି ସାରା ଖୁସିର ଲହରୀ ଖେଳିଯାଇଛି । ବିଶ୍ବସ୍ତରୀୟ ଜେଏନୟୁ ବିଶ୍ବବିଦ୍ୟାଳୟରେ ପଢିବାର ସୁଯୋଗ ପାଇଥିବାରୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର କାର୍ୟ୍ୟକାରୀ ସଭାପତି ଅବିନାଶ ଠାକୁର ଉଭୟଙ୍କ କୃତିତ୍ବ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଜିଲ୍ଲାର ବିଭିନ୍ନ ମହଲରୁ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.