oom

ଭବାନୀପାଟଣା ଠାରେ ଜିଲ୍ଲା ସାମ୍ବାଦିକ ଭବନ ଉଦ୍‌ଘାଟିତ

jsmm

କଳାହାଣ୍ଡି, (ପି.କେ. ସାହୁ) ଭବାନୀପାଟଣା ସ୍ଥିତ ଦେଵାନ୍ ସାହିବ ପଡାରେ ସୋମବାର ସାମ୍ବାଦିକମାନଙ୍କ ବ୍ୟବହାର ପାଇଁ ଜିଲ୍ଲା ସାମ୍ବାଦିକ ଭବନକୁ ଜିଲ୍ଲାପାଳ ଡ.ଗାଭାଲି ପରାଗ ହର୍ଷଦ୍ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଉଦ୍‌ଘାଟନ କରିଥିଲେ । ଏହି ଜିଲ୍ଲା ସାମ୍ବାଦିକ ଭବନ ବର୍ତ୍ତମାନ ଏକ ସରକାରୀ କ୍ୱାର୍ଟରକୁ ସାମୟିକ ଭାବେ ବ୍ୟବହାର ପାଇଁ ଜିଲ୍ଲାପାଳ ଅନୁମତି ଦେଇଛନ୍ତି ଓ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଏହି ଭବନର ମରାମତି କାର୍ଯ୍ୟ କରି ହସ୍ତାନ୍ତର କରିଛନ୍ତି । ଉଦ୍‌ଘାଟନ ସମୟରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅଜିତ ବାବୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଯୋଜନା ଓ ସ୍ଵମନ୍ୱୟର ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର, ଶାନ୍ତନୁ ବେହେରାଙ୍କ ସମେତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆର ଜିଲ୍ଲା ପ୍ରତିନିଧି ଗଣ ଉପସ୍ଥିତ ଥିଲେ । ଉଦ୍‌ଘାଟନ ପରେ ସ୍ଥାନୀୟ ଡିଡି ପ୍ଲାନିଂ ସମ୍ମିଳନୀ ଗୃହରେ ସାମ୍ବାଦିକମାନଙ୍କ ଦ୍ଵାରା ଏକ ସଭାର ଆୟୋଜନ କରାଯାଇ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଓ ମୋମେଣ୍ଟୋ ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା ସଭା ପରିଚାଳନା କରିଥିବା ବେଳେ ସାମ୍ବାଦିକ ମନ ପ୍ରଧାନ ଧନ୍ୟବାଦ୍ ଦେଇଥିଲେ । ସାମ୍ବାଦିକ ଗଣ ଜିଲ୍ଲାପାଳଙ୍କ ଦୀର୍ଘ ୪ ବର୍ଷ ଅବସ୍ଥାନରେ ଜିଲ୍ଲାରେ ବିଭିନ୍ନ ନୂତନ ପ୍ରକଳ୍ପର ବିକାଶ, କାୟକଳ୍ପ ପୁରସ୍କାର, ନୀତି ଆୟୋଗର ପୁରସ୍କାର, ଅଗ୍ରଣୀ ଜିଲ୍ଲା ଭାବେ ନାମ ଓ ସର୍ବୋପରି ୧୨୯ ଟି ହାଇସ୍କୁଲ ରୂପାନ୍ତରଣ, କେସିଙ୍ଗାରେ ପୁନର୍ବାସ କଲୋନୀ, ନୂତନ ବସଷ୍ଟାଣ୍ଡର ନିର୍ମାଣ, ଟାଉନ ହଲ, କୋଭିଡ ପରିଚାଳନା ଇତ୍ୟାଦି, ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା, ଆଦିବାସୀ ଅଞ୍ଚଳକୁ ପ୍ରାଧାନ୍ୟ, ଜିଲ୍ଲାପାଳଙ୍କ ଦୂରଦର୍ଶିତା ଓ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଜିଲ୍ଲାପାଳଙ୍କୁ ପ୍ରଶଂସା କରି ଏଭଳି କର୍ତ୍ତବ୍ୟନିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବଦଳି ମୋ ପାଇଁ ବହୁତ କଷ୍ଟ ଆଣିଛି ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ, ଜିଲ୍ଲା ସାମ୍ବାଦିକ ଭବନ ବହୁ ଦିନରୁ ଦାବୀ ହୋଇ ଆସୁଥିଲା ଏବଂ ଜିଲ୍ଲାପାଳଙ୍କ ଜରିଆରେ ସାମ୍ବାଦିକ ମାନଙ୍କ ପାଇଁ ଏହା ଉପହାର ବୋଲି ଉପସ୍ଥିତ ସମସ୍ତ ସାମ୍ବାଦିକ ଆନନ୍ଦ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ଭବନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କଳାହାଣ୍ଡିଙ୍କ ନିୟନ୍ତ୍ରଣରେ ରହିବା ଓ ଏହା ଜିଲ୍ଲାରେ କାର୍ଯ୍ୟରତ ପଞ୍ଜିକୃତ ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ। ସାମ୍ବାଦିକ ବନ୍ଧୁ ଏଠାରେ ପ୍ରେସ ସମ୍ବନ୍ଧୀୟ କାର୍ଯ୍ୟ, ଜିଲ୍ଲାର ବିକାଶ, ଐତିହ୍ୟ, ସଂସ୍କୃତି ପାଇଁ ଆଲୋଚନାଚକ୍ର ଇତ୍ୟାଦି ଗଠନ ମୂଳକ କାର୍ଯ୍ୟ କରିପାରିବେ । କାର୍ଯ୍ୟରତ ପଞ୍ଜିକୃତ ସାମ୍ବାଦିକ ଏହାର ସଦ୍ ବ୍ୟବହାର କରି ଜିଲ୍ଲାର ବିକାଶରେ ସହଯୋଗ କରିବେ । ଭବିଷ୍ୟତରେ ନିଜସ୍ଵ ପ୍ରେସ୍‌ କ୍ଲବର ନିର୍ମାଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

jittmm
Leave A Reply

Your email address will not be published.