ପାଟଣାଗଡ଼ ଏନ୍ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଳଙ୍କ ଦ୍ଵାରା ଓମଫେଡ୍ ପାର୍ଲର ଓ ଭେଣ୍ଡିଂ ଜୋନର ଭିତ୍ତି ପ୍ରସ୍ତର ସ୍ଥାପନ
ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ଥାନୀୟ ଗଙ୍ଗାଧର ପାର୍କ ନିକଟରେ ଓମଫେଡ୍ ପାର୍ଲର ଓ ଭେଣ୍ଡିଂ ଜୋନ ପାଇଁ ଭିତ୍ତି ପ୍ରସ୍ତର ଏନ୍ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଳଙ୍କ ଦ୍ଵାରା ସ୍ଥାପନ ହୋଇଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀ , ଏନ୍ଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେର, ବିଧାୟକଙ୍କ ପ୍ରତିନିଧି ସୁକୁମାର ବାରିକ, ତହସିଲଦାର ଡ଼ ପୁଷ୍ପାଞ୍ଜଳି ପଣ୍ଡାଙ୍କ ସହ ସମସ୍ତ କାଉନସିଲର ଉପସ୍ଥିତ ଥିବା ବେଳେ ଉଠା ଓ ଠେଳା ଦୋକାନୀ ସଂଘର ସଭାପତି ଅନୀଲ ମେହେର ଉପସ୍ଥିତ ରହି ଉଠା ଓ ଠେଳା ଦୋକାନୀ ମାନଙ୍କ ସମସ୍ୟା ଥଇଥାନ ଉପରେ ଏନ୍ଏସି କତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ପରେ ଉଠା ଓ ଠେଳା ଦୋକାନୀଙ୍କ ପାଇଁ ସ୍ଥାୟୀ ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ଏନ୍ଏସି ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲେ । ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିବା ସ୍ଥାନରେ ଗୋଟିଏ ଓମଫେଡ୍ ପାର୍ଲର ସହ ୪୯ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇ ଠେଲା ଓ ଉଠାଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ଏନ୍ଏସି ଅଧ୍ୟକ୍ଷା ଶ୍ରୀମତୀ ବିଶ୍ଵାଳ କହିଛନ୍ତି । ନିର୍ମାଣ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ଗଙ୍ଗାଧର ପାର୍କ ଠାରେ ଏବଂ ଉଠା ଦୋକାନୀ ଅସ୍ଥାୟୀ ଭାବେ ମାସେ ଯାଏଁ ନିଜର ବ୍ୟବସାୟ କରିପାରିବେ ବୋଲି ଏନ୍ଏସି ପକ୍ଷରୁ ସୂଚନା ଦିଆଯାଇଛି । ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୈାରହରୀ ମହନ୍ତଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।