ଆଇପିଏଲ : ସୁପର ଓଭରରେ ହାଇଦ୍ରାବାଦକୁ ହରାଇ କୋଲକାତା ବିଜୟୀ, କମାଲ ବୋଲିଂ କରି ଫର୍ଗୁସନ ଶ୍ରେଷ୍ଠ ଖେଳାଳି ପୁରସ୍କୃତ

ଆବୁଧାବି : ଇଣ୍ଡିଆନ୍‌ ପ୍ରିମିୟର ଲିଗ(ଆଇପିଏଲ୍‌)-୧୩ର ୩୫ତମ ମ୍ୟାଚ୍‌କୁ ସୁପର ଓଭରରେ କୋଲକାତା ନାଇଟ୍‌ ରାଇଡର୍ସ ଜିତିଛି। ହାଇଦ୍ରାବାଦ୍‌ ୧୬୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସ ବ୍ୟାଟିଂ କରିଥିଲା। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୬୩ ରନ୍‌ କରିବା ପରେ ସୁପର ଓଭର ଖେଳାଯାଇଥିଲା। ସୁପର ଓଭାରରେ ହାଇଦ୍ରାବାଦ୍ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଚଳିତ ବର୍ଷର ପ୍ରଥମ ମ୍ୟାଚ୍ ଖେଳୁଥିବା ଲୋକି ଫର୍ଗୁସନ୍ କମାଲ ବୋଲିଙ୍ଗ କରି ୨ ୱିକେଟ୍ ନେଇ ମାତ୍ର ୨ ରନ୍ ଦେଇଥିଲେ। ଯାହାକୁ କୋଲକାତା ସହଜରେ ଜିତି ଯାଇଥିଲା। ପ୍ରଥମେ ୩ ଓଭରରେ ୧୫ ରନ୍ ଦେଇ ୩ ୱିକେଟ୍ ନେବା ପରେ ସୁପର ଓଭରରେ ମାତ୍ର ୨ ରନ୍ ଦେଇ ୨ ଟି ୱିକେଟ ଅକ୍ତିଆର କରିଥିବାରୁ ଲୋକି ଫର୍ଗୁସନ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ରବିବାର ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରିଥିଲା। କୋଲକାତାର ଇନିଂସ ଆରମ୍ଭ କରିଥିଲେ ଶୁଭମନ୍‌ ଗିଲ୍‌ ଓ ରାହୁଲ ତ୍ରିପାଠୀ। ଉଭୟ ଖେଳାଳି ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ। କୋଲକାତା ୪୬ ରନ୍‌ରେ ନିଜର ପ୍ରଥମ ଓ୍ଵିକେଟ୍‌ ଭାବେ ରାହୁଲ ତ୍ରିପାଠୀ (୨୩ ରନ୍‌, ୧୬ ବଣ, ୨ ଚୌକା, ୧ ଛକା)ଙ୍କୁ ହରାଇଥିଲା। ହାଇଦ୍ରାବାଦ୍‌ର ୨ୟ ଶିକାର ହୋଇଥିଲେ ଶୁଭମାନ୍‌ ଗିଲ (୩୬ ରନ୍‌, ୩୭ ବଲ, ୫ ଚୌକା)। ୧୧.୪ ଓଭରରେ ଗିଲ୍‌ ଆଉଟ ହୋଇଯିବା ପରେ ଦଳର ସ୍କୋର ମନ୍ଥର ଗତିରେ ଆଗେଇଥିଲା। ହାଇଦ୍ରାବାଦ୍‌ର ୩ୟ ଶିକାର ହୋଇଥିବା ନିତିଶ ରାଣା ୨୦ଟି ବଲ୍‌ ଖେଳି ୨୯ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଆନ୍ଦ୍ରେ ରସେଲ ୧୧ଟି ବଲ୍‌ର ସମ୍ମୁଖୀନ ହୋଇ ଟିମ୍‌ ପାଇଁ ବ୍ୟକ୍ତିଗତ ଭାବେ ମାତ୍ର ୯ ରନ୍‌ ଯୋଡ଼ିପାରିଥିଲେ। ଅଧିନାୟକ ଇଅନ୍‌ ମୋର୍ଗାନ ୩୪ ରନ୍‌ ଓ ଦିନେଶ କାର୍ତ୍ତିକ ଅପରାଜିତ ରହି ୨୯ ରନ୍‌ କରିଥିଲେ। କୋଲକାତା ୮୭ ରନ୍‌ରେ ୨ୟ ଓ୍ଵିକେଟ, ୮୮ ରନ୍‌ରେ ୩ୟ ଓ୍ଵିକେଟ ଓ ୧୦୫ ରନ୍‌ରେ ୪ର୍ଥ ଓ୍ଵିକେଟ ହରାଇଥିଲା। ହାଇଦ୍ରାବାଦର ଟି ନଟରାଜନଙ୍କୁ ୨ଟି, ବିଜୟ ଶଙ୍କର ଓ ରସିଦ ଖାନ୍‌ଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା। ପ୍ରଥମ ଇନିଂସରେ କୋଲକାତା କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୬୩ ରନ୍‌ କରିଥିଲା।

ହାଇଦ୍ରାବାଦ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ପ୍ରଥମ ଓ୍ଵିକେଟରେ ୫୭ ରନ୍‌ ସଂଗ୍ରହ କରିଥିଲା। କେନ୍‌ ଓ୍ଵିଲିୟମସନ୍‌ (୨୯) ଆଉଟ୍‌ ହେବା ପରେ ଜନି ବେୟାରଷ୍ଟୋ (୩୬) ଓ ପ୍ରିୟମ୍‌ ଗର୍ଗ (୪)ଅଳ୍ପ ସମୟ ମଧ୍ୟରେ ଆଉଟ୍‌ ହୋଇଯାଇଥିଲେ। ହାଇଦ୍ରାବାଦ୍‌ ୭୦ ରନ୍‌ରେ ୨ଟି ଓ୍ଵିକେଟ୍‌ ହରାଇଥିଲା। କୋଲକାତାର ମଜବୁତ ବୋଲର ଯୋଗୁଁ ଡେଭିଡ ଓ୍ଵାର୍ନର (୪୭ ରନ୍‌)ଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ଉତ୍ସାହଜନକ ପ୍ରଦର୍ଶନ କରିପାରି ନଥିଲେ। ମନୀଷ ପାଣ୍ଡେ ୬ ରନ୍‌ ଓ ବିଜୟ ଶଙ୍କର ୭ ରନ୍‌ କରିଥିଲେ।

Leave A Reply

Your email address will not be published.