ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ଚିତାଭସ୍ମ ନୃସିଂହନାଥ ତ୍ରିବେଣୀ ଘାଟରେ ବିସର୍ଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ଚିତାଭସ୍ମ ଆଜି ଦିନ ୧୧ ଘଣ୍ଟା ସମୟରେ ଗନ୍ଧମାର୍ଦ୍ଦନ ନୃସିଂହନାଥର ପାପହାରିଣୀ ତୀର୍ଥକ୍ଷେତ୍ର ତ୍ରିବେଣୀ ଘାଟରେ ବିସର୍ଜିତ କରାଯାଇଛି । ସ୍ୱର୍ଗତ ପୁରୋହିତଙ୍କ ୪ ପୁଅ ସର୍ବ ଶ୍ରୀ ବିଜୟ କୁମାର ପୁରୋହିତ, ଗିରିଧାରୀ ପୁରୋହିତ, ରାମରତନ ପୁରୋହିତ ଓ ପ୍ରଦୀପ ପୁରୋହିତ ସ୍ୱର୍ଗତ ପୁରୋହିତଙ୍କ ଚିତାଭସ୍ମକୁ ଆଣି ପାପହାରିଣୀ ଝରଣାରେ ବିସର୍ଜିତ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ ରାତ୍ର ୯ ଘଣ୍ଟା ସମୟରେ ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ୮୮ ବର୍ଷ ବୟସରେ ବରଗଡ଼ ବିକାଶ ହସପିଟାଲରେ ଦେହାନ୍ତ ହୋଇ ଯାଇଥିଲା । ପାଇକମାଲ, ଝାରବନ୍ଦ ରାସ୍ତାରେ ମହାରାଣୀ ମେରୀପୁର ଠାରେ ଥିବା ତାଙ୍କ ଫାର୍ମହାଉସରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା । ଏଠାରେ ସ୍ମରଣଯୋଗ୍ୟ, ୧୯୪୦ – ୪୧ ମସିହାରେ ଯେତେବେଳେ ନୃସିଂହନାଥ ମନ୍ଦିର ପଣ୍ତା ଘର ଅଧୀନରେ ପରିଚାଳିତ ହେଉଥିଲା, ସ୍ୱର୍ଗତ ପୁରୋହିତଙ୍କ ପିତା ସ୍ୱର୍ଗତ ଉଦୟନାଥ ପୁରୋହିତ ନୃସିଂହନାଥ ମନ୍ଦିରର ଭଣ୍ଡାର ମୁହୁରୀ ଭାବେ କିଛି ବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ ଓ ନିଜେ ମନ୍ଦିରର ପ୍ରଥା ଅନୁଯାୟୀ ଅବିହାରୀ ବାଳକ ଭାବେ ମନ୍ଦିରର ପୂଜକ କିଛି ବର୍ଷ ପାଇଁ ତୁଲାଇଥିଲେ । ଦ୍ୱିତୀୟତଃ ଶିବ ପୁରାଣର ବର୍ଣ୍ଣନା ଅନୁଯାୟୀ ଭଗବାନ ଶିବ ସାରା ବିଶ୍ୱର ଅନେକ ତୀର୍ଥ କ୍ଷେତ୍ର ପରିଭ୍ରମଣ କଲା ପରେ ମଧ୍ୟ ଗୋଦୋଷରୁ ମୁକ୍ତି ପାଇ ନଥିଲେ । ଶେଷରେ ଗନ୍ଧମାର୍ଦ୍ଦନ ପାହାଡରେ ପ୍ରବାହିତ ପାପହାରିଣୀ ତୀର୍ଥକ୍ଷେତ୍ରରେ ବୁଡ ଦେବା ପରେ ଭଗବାନ ଶିବ ଗୋବଧ ପାପରୁ ମୁକ୍ତି ପାଇଥିଲେ । ଏହି ପୁରାଣ ବର୍ଣ୍ଣନାକୁ ବିଶ୍ୱାସ କରି ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପରିବାର ଏଠାରେ ଅସ୍ଥି ବିସର୍ଜନ, ଚିତାଭସ୍ମ ବିସର୍ଜନ ସହ ଗୋଦୋଷରୁ ମୁକ୍ତି ପାଇଁ ତ୍ରିବେଣୀ ଘାଟ ଓ ଗୋକୁଣ୍ତ ଘାଟରେ ବୁଡ ପକାଇଥାନ୍ତି । ନୃସିଂହନାଥ ମନ୍ଦିର କାର୍ୟ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ, ସୁବୋଧ ପଣ୍ତା, ବିଶମ୍ବର ମୁଣ୍ତ ଓ ଅନ୍ୟମାନେ ଚିତାଭସ୍ମରେ ଫୁଲ ଦେଇ ସ୍ୱାଗତ କରିଥିଲେ । ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ଅବର୍ତ୍ତମାନରେ ୭୦ ବର୍ଷ ତଳେ ପାଇକମାଲ, ନୃସିଂହନାଥ ରୋଡରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ପୁରୋହିତ ହେଟୋଲ ଏବେ ଖାଁ ଖାଁ ଲାଗୁଛି ।

Leave A Reply

Your email address will not be published.