ନିର୍ବାଚନ ଗାଇଡ୍‌ଲାଇନ୍‌ର ପାଳନକୁ ସୁନିଶ୍ଚିତ କରିବା ସହ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ତ୍ରିପାଠୀ ଅଧିକାରୀଙ୍କୁ ଦେଲେ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଜିଲ୍ଲାର ୧୦ ସଂସଦୀୟ କ୍ଷେତ୍ର ସହ ୬୪ ବିଧାନସଭା ନିର୍ବାଚନ ମଣ୍ଡଳୀ ବୀରମହାରାଜପୁର ଓ ୬୫ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପ୍ରସ୍ତୁତି ଓ ପ୍ରଶାସନିକ ପଦକ୍ଷେପ ଉପରେ ତର୍ଜମା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଛନ୍ତି ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ତ୍ରିପାଠୀ ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ, ସ୍ୱତନ୍ତ୍ର ପୋଲିସ ପର୍ଯ୍ୟବେକ୍ଷକ ଶ୍ରୀ ରଜନୀ କାନ୍ତ ମିଶ୍ର, ଅବସର ପ୍ରାପ୍ତ ଭାରତୀୟ ପୋଲିସ ଅଧିକାରୀ ଓ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀମତୀ ହିମାଳିନୀ କାଷ୍ୟପ, ଅବସରପ୍ରାପ୍ତ ଭାରତୀୟ ରାଜସ୍ୱା ଅଧିକାରୀ । ଆଜି ଜିଲ୍ଲାରେ ପହଞ୍ଚିଲା ପରେ ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ନିର୍ବାଚନ ସ୍ଥିତି ବ୍ୟବସ୍ଥା ତଥା ପ୍ରସ୍ତୁତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପ୍ରମୁଖ ଜିଲ୍ଲା ଅନ୍ତର୍ଗତ ୧୦ ସଂସଦୀୟ କ୍ଷେତ୍ର ସହ ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନୀ ପୂର୍ବ ପ୍ରସ୍ତୁତି ସହ ଆଦର୍ଶ ଆଚରଣ ବିଧିର ସୁନିଶ୍ଚିତ, ନିର୍ବାଚନ ସଂକ୍ରାନ୍ତୀୟ ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥା, ଖର୍ଚ୍ଚ ହିସାବ ଓ ପରିଚାଳନା ତଥା ନିର୍ବାଚନ ସମ୍ପୃକ୍ତ ଅନ୍ୟାନ୍ୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଚଳିତ ନିର୍ବାଚନକୁ ସମସ୍ତ ଅଧିକାରୀ ସୁସମନ୍ୱୟ ପୂର୍ବକ ବିଧି ବ୍ୟବସ୍ଥାର ପାଳନ ପୂର୍ବକ ଶାନ୍ତିଶୃଙ୍ଖଳା ସହିତ ନିରପେକ୍ଷ ଓ ଅବାଧ ଓ ସ୍ୱଚ୍ଛ ଭାବେ ନିଷ୍ଠାର ସହ ଦାୟିତ୍ୱପାଳନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପ୍ରମୁଖ । ଅନୁଷ୍ଠିତ ସମୀକ୍ଷା ବୈଠକରେ ସଂସଦୀୟ କ୍ଷେତ୍ର ସାଧାରଣ ପର୍ଯ୍ୟବେକ୍ଷକ ରଞ୍ଜନ ଭିଶାଲ, ଆଇଏଏସ୍‌, ପୋଲିସ ପର୍ଯ୍ୟବେକ୍ଷକ ଶୈଳେନ୍ଦ୍ର କୁମାର ସିହ୍ନା, ଆଇ. ପି. ଏସ୍‌, ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୋଦ ପି ଶାହକର, ଆଇ. ଆର୍‌. ଏସ, (ବିଧାନସଭା କ୍ଷେତ୍ର), ଖର୍ଚ୍ଚ ପର୍ଯ୍ୟବେକ୍ଷକ ସଂସଦୀୟ କ୍ଷେତ୍ର ବାୱକର ସ୍ୱପ୍ନିଳ ଶରଦ, ଆଇ. ଆର୍‌. ଏସ୍‌, ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମଲ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୀରମହାରାଜପୁର ବିଧାନସଭା ରିଟର୍ନିଙ୍ଗ ଅଧିକାରୀ ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ସୋନପୁର ବିଧାନସଭା ରିଟର୍ଣ୍ଣିଙ୍ଗ ଅଧିକାରୀ ତଥା ଉପଜିଲ୍ଲାପାଳ ସୁରଜ କୁମାର ପଟ୍ଟନାୟକଙ୍କ ସହ ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ ନୋଡାଲ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନ୍ୟା ଦାସ ନିର୍ବାଚନ ପ୍ରସ୍ତୁତି ତଥା ଖର୍ଚ୍ଚ ପରିଚାଳନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାୱାର ପଏଣ୍ଟ ମାଧ୍ୟମରେ ବୈଠକରେ ଉପସ୍ଥାପନ କରିଥିଲେ । ସେହିପରି ଆରକ୍ଷୀ ଅଧିକାରୀ ଶ୍ରୀ ୟସ ପ୍ରତାପ ଶ୍ରୀମଲ ଆଇନ ଶୃଙ୍ଖଳା ନିମନ୍ତେ ପ୍ରସ୍ତୁତି ଓ କାର୍ଯ୍ୟକାରିତା ଆଦି ବିଷୟରେ ଅବଗତ କରାଇଥିଲେ । ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ତ୍ରିପାଠୀ ଜିଲ୍ଲାର ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ଗାଇଡ୍‌ଲାଇନ୍‌ର ଅନୁପାଳନ ପୂର୍ବକ ଶାନ୍ତିପୂର୍ଣ୍ଣ ନିରପେକ୍ଷ ତଥା ଅବାଧ ନିର୍ବାଚନ ପରିଚାଳନା କରିବାକୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଅଧିକରୁ ଅଧିକ ମତଦାନ ପାଇଁ ଜରୁରୀ ପଦକ୍ଷେପ ନେବାପାଇଁ ନିର୍ବାଚନରେ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେବା ସହ ନିର୍ବାଚନ ସମ୍ପୃକ୍ତି ଦାୟିତ୍ୱ ଉପରେ ପଚାରି ବୁଝିଥିଲେ । ବୈଠକରେ ଜିଲ୍ଲାର ସମସ୍ତ ନିର୍ବାଚନ ନୋଡାଲ ଅଧିକାରୀ ତଥା ଜିଲ୍ଲାର ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.