ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଅବସରପ୍ରାପ୍ତ ଶିକ୍ଷକ ପୀତାମ୍ବର ନାଏକଙ୍କ କରୋନା ସଂକ୍ରମଣରେ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବିଳମ୍ବିତ ରାତିରେ ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଅବସରପ୍ରାପ୍ତ ଶିକ୍ଷକ ପୀତାମ୍ବର ନାଏକଙ୍କ କରୋନା ସଂକ୍ରମଣରେ ଦେହାନ୍ତ ହୋଇଯାଇଥିବା ସୂଚନା ଦେଇଛନ୍ତି ତାଙ୍କ ଭାଇ ଶିକ୍ଷକ ଦିଗାମ୍ବର ନାଏକ । ସୂଚନାଯୋଗ୍ୟ ଯେ, ପୁଇଁନ୍ତଲା ବ୍ଲକ୍‌ ତାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଅନେକ ବର୍ଷ ଚାକିରୀ କରିବା ପରେ ଗତ ଅଗଷ୍ଟ ୩୧ ତାରିଖ ଦିନ ସେ ଅବସର ଗ୍ରହଣ କରିଥିଲେ । ତାଙ୍କ ଯୁବାବସ୍ଥାରୁ ପିଲାଙ୍କ ପାଇଁ ଶିଶୁ ଗପ, କବିତା ଲେଖି ଆସୁଥିବା ଜଣେ ସ୍ନେହୀ ମଣିଷ ପୀତାମ୍ବର ନାଏକଙ୍କ ଦେହାନ୍ତରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଭାଇଙ୍କଠୁ ମିଳିଥିବା ସୂଚନା ଅନୁସାରେ ଗତ କାଲି ରାତି ପ୍ରାୟ ସାଢେ଼ ୧୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ତାଙ୍କ ମର ଶରୀରକୁ ଅଗ୍ନିଦେବଙ୍କଠାରେ ସମର୍ପଣ କରାଯାଇ ସାରିଛି । ଉଲ୍ଲେଖନୀୟ, ତାଙ୍କ ବହୁ ଶିଶୁ କବିତା ଓ ଗପ ଓଡ଼ିଶାର ଅନେକ ପତ୍ରପତ୍ରିକାରେ ପ୍ରକାଶ ପାଇଛି । ବହୁ ପୁସ୍ତକର ସ୍ରଷ୍ଟା ମଧ୍ୟ ସେ । ଅବନ୍ତିକା, ଦେବୀ, ଏଣୁତେଣୁ, ବଢ଼ିଆ ଗପ, ଜଣା ଅଜଣା ଜଗନ୍ନାଥ, ଜଣା ଅଜଣା ରାମାୟଣ ଭଳି ଅନେକ ପୁସ୍ତକ ରଚନା କରି ସେ ସାହିତ୍ୟ ଜଗତରେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ସାହିତ୍ୟ ଅନୁଷ୍ଠାନ ‘ଅଷ୍ଟଭୂଜା’ ସଭାପତି ରହି ଅନେକ ସାହିତ୍ୟ ସେବା ପ୍ରଦାନ କରିଛନ୍ତି । ଓଡ଼ିଶାର ଶତାଧିକ ସାହିତ୍ୟ, ସଂସ୍କୃତି ତଥା ସାମାଜିକ ଅନୁଷ୍ଠାନ ପକ୍ଷରୁ ସେ ସମ୍ବର୍ଦ୍ଧିତ ହୋଇଥିଲେ । ଏପରିକି ଜଣେ ଆଦର୍ଶ ଶିକ୍ଷକ ଭାବେ ରାଜ୍ୟପାଳ ଏବଂ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଥିଲେ । ସମସ୍ତଙ୍କ ସହ ବନ୍ଧୁତା ସ୍ଥାପନ କରିବା ତାଙ୍କ ଏକ ପ୍ରମୁଖ ଆଦର୍ଶ ହୋଇଥିବା ବେଳେ ତାଙ୍କ ପରଲୋକରେ ବଲାଙ୍ଗିର ଜିଲ୍ଲାର ସାହିତ୍ୟିକ ଜଗତରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.