pakka

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ : ସମ୍ମିଳିତ ଉଦ୍ୟମ ଓ ସମନ୍ୱୟରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ଉପରୋ ଗୁରୁତ୍ୱାରୋପ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି । ଏହି ସମାରୋହରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଭାରତୀ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଜିଲ୍ଲାପାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ପିଡି ଡିଆର୍‌ଡିଏଙ୍କ ସହ ଅନ୍ୟାନ୍ୟ ଉପସ୍ଥିତ ଅତିଥି ଗଣ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଂଜଳି ପ୍ରଦାନ କରିଥିଲେ । ପରେ ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଶ୍ରୀମତୀ ମହାନନ୍ଦ ଗ୍ରାମାଂଚଳରେ ବିଭିନ୍ନଯୋଜନା ଗୁଡ଼ିକର ସଫଳ ରୂପାୟନ ଏବଂ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମ୍ମିଳିତ ଉଦ୍ୟମ ଓ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଗ୍ରାମାଂଚଳରେ ଥିବା ସମସ୍ୟା ଗୁଡ଼ିକର ସମାଧାନ କରିବା ନିମନ୍ତେ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ । ସଭାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତରାଜ ଅନୁଷ୍ଠନ ଗୁଡ଼ିକୁ ଦିଆଯାଇଥିବା କ୍ଷମତାର ସୁବିନିଯୋଗ ମାଧ୍ୟମରେ ଗ୍ରାମାଂଚଳରେ ଥିବା ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ ତଥା ଜନସାଧାରଣଙ୍କ ଉନ୍ନତି କଳ୍ପେ ଉନ୍ନୟନମୂଳକ ଓ ଲୋକାଭିମୁଖୀ ଯୋଜନାଗୁଡ଼ିକର ସଫଳ ରୂପାୟନ କରିବା ଦିଗରେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ । ସଭାରେ ପିଡ଼ି ଡିଆର୍‌ଡିଏ ଡ. ମହେଶ୍ୱର ସ୍ୱାଇଁ ପଞ୍ଚାୟତରାଜ ଲୋକସେବା ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିବା ସହ ଗ୍ରାମାଂଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡ଼ିକର ସଫଳ କାର୍ଯ୍ୟକାରିତା ଓ ରୂପାୟନ ଦିଗରେ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡ଼ିକର ଭୂମିକା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ବକ୍ତା ଭାବେ ସଭାରେ ଯୋଗଦେଇ ରାଜେନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ରାଜନୀତି ବିଜ୍ଞାନ ରିଡ଼ର୍‌ ଡ. ସୁଧାଂଶୁ ଶେଖର ପଟ୍ଟନାୟକ ଓ ସରକାରୀ ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ବିଭାଗୀୟ ମୁଖ୍ୟ ଡ. ମନୋଜ କୁମାର ନାଗ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନାଦର୍ଶ, ପଞ୍ଚାୟତିରାଜ ବ୍ୟବସ୍ଥାର ପୃଷ୍ଠଭୂମି, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଓ ଏହାର କାର୍ଯ୍ୟକାରିତା, ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକର ଭୂମିକା ଆଦି ସଂପର୍କରେ ବକ୍ତବ୍ର ପ୍ରଦାନ କରିଥିଲେ । ସଭାରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ ସଂପର୍କରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଦେଇଥିବା ଭିଡ଼ିଓ ବାର୍ତ୍ତା ପ୍ରଦର୍ଶିତ ହେବା ସହ ବିଭିନ୍ନ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ଓ ଲୋକାଭିମୁକୀ ଯୋଜନା ସଂପର୍କୀତ ସଫଳ କାହାଣୀ ପାୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିବା ସହ ସଭାକାର୍ଯ୍ୟ ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

seven − 4 =