ବୌଦ୍ଧ‐କନ୍ଧମାଳ ସୀମାନ୍ତ ଖଡଙ୍ଗ ନଦୀରେ ଲାଗିଲା ମାଓ ପୋଷ୍ଟର

ବୌଦ୍ଧ, (ବଂଶୀଧର ମାଝୀ) : କିଛି ମାସର ନୀରବତା ପରେ ପୁଣିଥରେ ନିଜର ଉପସ୍ଥିତି ଜାହିର କଲା ମାଓ ସଂଗଠନ । ବୌଦ୍ଧ-କନ୍ଧମାଳ ସୀମାନ୍ତ ଲଣ୍ତାଗାଁ ପାର୍ଶ୍ବ ଖଡ଼ଙ୍ଗ ନଦୀ ସେତୁ ଉପରେ ଲାଗିଛି ମାଓ ପୋଷ୍ଟର । ଏକ ଲାଲ ରଂଗର ବ୍ୟାନର ଲାଗିଥିବା ବେଳେ ଦୁଇଟି ପୋଷ୍ଟର ମାଟିରେ ରଖା ଯାଇଥିଲା । ବ୍ୟାନରରେ କେକେବିଏନ୍‌ ଡିଭିଜନ ଭାକପା (ମାଓବାଦୀ) ଲେଖା ହୋଇଥିବା ବେଳେ ସେଥିରେ ମଇ ୨୦ ତାରିଖକୁ ୨୪ ଘଣ୍ଟିଆ ଓଡିଶା ପୂର୍ବ ଛତିଶଗଡ ବନ୍ଦକୁ ସଫଳ କରନ୍ତୁ । ମୁକୁନ୍ଦ କହଁର ହତ୍ୟାକାରୀ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ କଠିନରୁ କଠିନ ସଜା ଦିଆଯାଉ । ଆଗାମୀ ଦିନମାନଙ୍କରେ ହେବାକୁ ଥିବା ପୋଲିସ ଓ ସିଆର୍‌ପିଏଫ୍‌ ଗୁଣ୍ଡାଙ୍କ ଦମନ ଅତ୍ୟାଚାର ଓ ହତ୍ୟା ପାଇଁ ସ୍ଥାନୀୟ ଜନତା କୁଇ ବିଦ୍ରୋହ ଆରମ୍ଭ କରନ୍ତୁ ବୋଲି ଉଲ୍ଲେଖ ରହିଛି । ସେହିପରି ଅନ୍ୟ ପୋଷ୍ଟରରେ ଆଦିବାସୀ ସଂପ୍ରଦାୟର ଘରଡିହ ନଥିବା ପରିବାରକୁ ଘର ପିଛା ୫ ଏକର ଲେଖାଏଁ ଜଙ୍ଗଲ ଜମି ପଟ୍ଟା ଦିଆଯାଉ । ଗଂଜେଇ ଚାଷ ଅଞ୍ଚଳରେ ପ୍ରତି ଚାଷୀ ପରିବାରକୁ କଳମି ଆମ୍ବ ଗଛ ୧୦୦ ଓ ବଳିଆ ଗଛ ୫୦୦ ଦିଆଯାଉ । ଚାଷ ସୁବିଧା ପାଇଁ ୫ ପରିବାର ପିଛା ମୋ ଖେତ ପୋଖରୀ ଯୋଗାଇ ଦିଆଯାଉ । ମହୁଲ କିଲୋ ପ୍ରତି ୫୦ ଟଙ୍କା, କେନ୍ଦୁପତ୍ର ବିଡା ପିଚ୍ଛା ୧୫୦, ତେନ୍ତୁଳି କେଜି ପ୍ରତି ୫୦ ଓ କଞ୍ଚା ହଳଦୀ କେଜି ପ୍ରତି ୧୦୦ ଟଙ୍କା ଦିଆଯାଉ । ବିଦ୍ୟୁତ କର୍ମଚାରୀ, ୱାଚର କର୍ମଚାରୀ, ଶିକ୍ଷା କର୍ମଚାରୀ ଓ ଜିଆର୍‌ଏସ୍, ଗାଁ ସାଥୀ, ଆଶା ଏବଂ ଅଙ୍ଗନବାଡି କର୍ମଚାରୀଙ୍କୁ ସରକାରୀ ଚାକିରି ମାନ୍ୟତା ଓ ମାସିକ ୧୫ହଜାର ଟଙ୍କା ଦିଆଯାଉ ଲେଖା ହୋଇଥିବା ବେଳେ ଏଥିରେ ସିପିଆଇ (ମାଓବାଦୀ) ବୋଲି ସୂଚିତ କରାଯାଇଛି । ଘଟଣା ସ୍ଥଳରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଖମନଖୋଲ କ୍ୟାମ୍ପର ସିଆପିଏଫ ଯବାନ ପହଞ୍ଚି ବ୍ୟାନର ଓ ପୋଷ୍ଟର ଜବତ କରିଛି । ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲାକୁ ମାଓମୁକ୍ତ ଘୋଷଣା ହେବାର ଗୋଟିଏ ବର୍ଷ ପୂରଣ ନ ହେଉଣୁ ଗତ ବର୍ଷ ଜୁଲାଇ ମାସରେ ଜିଲ୍ଲାର ସୀମାନ୍ତ ଅଞ୍ଚଳ ସମଡାଙ୍କି ଜଙ୍ଗଲରେ ମାଓ ଓ ଏସଓଜି ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଘଟଣା ପରେ ଅଂଚଳର ଲୋକଙ୍କ ମନରେ ଏକପ୍ରକାର ଭୟ ଦେଖା ଦେଇଥିଲା । ଫେବୃଆରୀ ମାସରେ ପଡୋସୀ କଳାହାଣ୍ତି ଜିଲା ମୋହନଗିରୀ ଅଞ୍ଚଳରେ ମାଓ ପୋଷ୍ଟର ନିକଟରେ ଲ୍ୟାଣ୍ତମାଇନ ଖଞ୍ଜା ଯାଇଥିବାରୁ ସାମ୍ବାଦିକ ରୋହିତ ବିଶ୍ବାଳଙ୍କର ଜୀବନ ଯାଇଥିଲା । ଫଳରେ ଆଜିର ମାଓ ବ୍ୟାନର ଲାଗିବା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେବା ସହ ଅଞ୍ଚଳରେ ମାଓ ଗତିବିଧି ରହିଥିବା ଅନୁମାନ କରାଯାଉଛି । ଉକ୍ତ ଅଞ୍ଚଳ ଉଭୟ କନ୍ଧମାଳ, କଳାହାଣ୍ତି ଓ ବୌଦ୍ଧର ଜିଲ୍ଲାର ସଙ୍ଗମ ସ୍ଥଳ ଏବଂ ଜଙ୍ଗଲ ଓ ପାହାଡ ରହୁଥିବାରୁ ମାଓବାଦିଙ୍କ ରହିବା ପାଇଁ ସୁହାଇଲା ପରିବେଶ ରହିଛି । ତେଣୁ ଜିଲ୍ଲାର ଖୁଣ୍ଟିଗୋରା ଓ ନାରାୟଣପ୍ରସାଦ ଠାରେ ଫାଣ୍ତି ପ୍ରତିଷ୍ଠା ସହ ଘଣ୍ଟାପଡାକୁ ପାଣ୍ତିକୁ ଥାନାର ମାନ୍ୟତା ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି ।

Leave A Reply

Your email address will not be published.

4 × two =

error: Content is protected !!