ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇ ଦିନିଆଁ ବଲାଙ୍ଗିର ଜିଲ୍ଲା ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ତାଙ୍କ ଦୁଇ ଦିନିଆଁ ବଲାଙ୍ଗିର ଜିଲ୍ଲା ଗସ୍ତ ଅବସରରେ ବଲାଙ୍ଗିରରେ ପହଂଚିଛନ୍ତି । ଆଜି ପୂର୍ବାହ୍ନ ସାଢେ଼ ୧୦ଟା ସମୟରେ ସ୍ଥାନୀୟ ସାର୍କିଟ୍‌ ହାଉସ୍‌ରେ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇଙ୍କ ସହିତ ଜିଲ୍ଲାରେ କ୍ରୀଡ଼ାର ଭିତ୍ତିଭୂମି, ବ୍ଲକ୍‌ ଓ ପୌରପରିଷଦ ସ୍ତରୀୟ ମିନି ଷ୍ଟାଡ଼ିଅମ୍‌, ଜିଲ୍ଲା ସ୍ତରୀୟ ଷ୍ଟାଡ଼ିଅମ୍‌ ବିଷୟରେ ସମୀକ୍ଷା ବୈଠକ କରିଥିଲେ । ତତ୍‌ ସହିତ ଜିଲ୍ଲା ସଦର ମହକୁମା ସ୍ଥିତ ଆର୍‌.ଏନ୍‌.ସିଂହଦେଓ କ୍ରୀଡ଼ା ପ୍ରାଙ୍ଗଣ, ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିଅମ୍‌ ଓ ଗେଲ୍‌ ଦ୍ୱାରା ନିର୍ମାଣାଧୀନ ଇନ୍‌ଡେ଼ାର୍‌ ଷ୍ଟାଡ଼ିଅମ୍‌ ଗୁଡ଼ିକୁ ପରିଭ୍ରମଣ କରି ସେଠାରେ ରହିଥିବା ବିଭିନ୍ନ ସୁବିଧା ତଥା ଅସୁବିଧା ବିଷୟରେ ପଚାରି ବୁଝିଥିଲେ ।

ଆର୍‌.ଏନ୍‌.ସିଂହଦେଓ କ୍ରୀଡ଼ା ପ୍ରାଙ୍ଗଣରେ ଥିବା ଇନ୍‌ଡୋର୍‌ ହଲ୍‌ର କାଠ ଚଟାଣ ମରାମତି ନିମିତ୍ତ ଆବଶ୍ୟକ ଥିବା ଅର୍ଥ ଯଥାଶୀଘ୍ର ବ୍ୟବସ୍ଥା କରାଯିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ଗାନ୍ଧୀ ଷ୍ଟାଡ଼ିଅମ୍‌ ପରିଭ୍ରମଣ ସମୟରେ କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ, କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ର ତଥା କ୍ରିକେଟ୍‌ ପ୍ରଶିକ୍ଷକ ଅରୁଣ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ବଲାଙ୍ଗିର ଜିଲ୍ଲାପାଳ ଏବଂ ମାନ୍ୟବର ମନ୍ତ୍ରୀ ଶ୍ରୀ ବେହେରା ଗାନ୍ଧୀ ଷ୍ଟାଡ଼ିଅମ୍‌ର ସୁନ୍ଦର ରକ୍ଷଣାବେକ୍ଷଣ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଏହାପରେ ସ୍ଥାନୀୟ ଆର୍‌.ଏନ୍‌.ସିଂହଦେଓ କ୍ରୀଡ଼ା ପ୍ରାଙ୍ଗଣ ଗସ୍ତ କରି ଅବସ୍ଥିତ ଇନ୍‌ଡୋର୍‌ ହଲ୍‌, ସୁଇମିଂ ପୁଲ୍‌, ଫୁଟ୍‌ବଲ୍‌ ଖେଳ ପଡ଼ିଆ ବୁଲି ଦେଖିବା ସହିତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ବଢେ଼ଇ ତଥା ଫୁଟ୍‌ବଲ୍‌ ପ୍ରଶିକ୍ଷକ ପରାସର ବାଗ ସହିତ ମନ୍ତ୍ରୀ ମହୋଦୟ ଏବଂ ଜିଲ୍ଲାପାଳ ଆଲୋଚନା କରିଥିଲେ । ସେହିପରି ପିଆର୍‌.ହାଇସ୍କୁଲ କ୍ରୀଡ଼ା ପ୍ରାଙ୍ଗଣ ସ୍ଥିତ ନିର୍ମାଣାଧୀନ ଇନ୍‌ଡୋର୍‌ ହଲ୍‌କୁ ବୁଲି ଦେଖିଥିଲେ । ଏହା ବ୍ୟତୀତ ଟିଟିଲାଗଡ଼ ସବ୍‌‌ଡିଭିଜନ୍‌ରେ ଥିବା ବେଲଗାଁ ମିନି ଷ୍ଟାଡ଼ିଅମ୍‌, ଟିଟିଲାଗଡ଼ ପୌର ମିନି ଷ୍ଟାଡ଼ିଅମ ମଧ୍ୟ ବୁଲି ଦେଖିଥିଲେ ।

Leave A Reply

Your email address will not be published.