କରୋନା ସଂକ୍ରମଣ କାଳରେ ଏକ କରୁଣା ଚିତ୍ର : କରୋନାରେ ମୃତ୍ୟୁ ସନ୍ଦେହ ନେଇ ଗ୍ରାମକୁ ପଶେଇ ଦେଲେ ନାହିଁ ଯବାନଙ୍କ ମୃତ ଦେହ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ ଏବେ କରୋନା ମହାମାରୀକୁ ନେଇ ସବୁଆଡେ ଭୟର ବାତାବରଣ ଲାଗି ରହିଛି । ତେବେ ସଂକ୍ରମିତ ଚିହ୍ନଟ ପରେ ଲୋକେ ତାଙ୍କୁ ସାମାଜିକ ବାସନ୍ଦ କଲା ଭଳି ଆଚାରଣ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଆଗରୁ ଯେମିତି ଜାତିଭେଦ ରହୁଥିଲା ଠିକ ସେହିଭଳି ଏହି କରୋନା ମହାମାରୀରେ ସଂକ୍ରମିତ ହେଲା ପରେ ଭେଦଭାବ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ତେବେ କରୋନା ସଂକ୍ରମିତ ଭୟରେ ଜଣେ ସିଆରପିଏଫ ଯବାନଙ୍କ ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ଉପଯୁକ୍ତ ସମ୍ମାନ ମିଳି ନଥିବା ବେଳେ ଅସନ୍ତୋଷ ଦେଖା ଦେଇଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଧରପଗଡ଼ ଗ୍ରାମ ପଞ୍ଚାୟତରେ । ପ୍ରକାଶ ଥାଉ କି, ସିଆରପିଏଫ ଯବାନ ଜଣକ ରାୟଗଡା ଜିଲ୍ଲାରେ କାର୍ୟ୍ୟରତ ଥିଲେ । ତେବେ ସେହି ସ୍ଥାନରେ ତାଙ୍କ ଦେହ ଅସୁସ୍ଥ ହେବାପରେ ସଇଁନ୍ତଳା ସ୍ଥିତ ମହଗାଁ ଶ୍ୱଶୁର ଘରକୁ ଆସି ପରିବାର ସହ ରହୁଥିଲେ । ସ୍ଵସ୍ଥ୍ୟ ଅବସ୍ଥା ଅତି ବିଗିଡିବାରୁ ସେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଯାଇଥିଲେ । କିନ୍ତୁ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ପରେ ପରିବାର ଲୋକେ ତାଙ୍କ ନିଜ ବାସ ଭବନ ଧରପଗଡ଼କୁ ଯବାନଙ୍କ ମୃତ ଦେହ ଆଣିଥିଲେ । ହେଲେ ଗ୍ରାମବାସୀ ଖବର ପାଇବା ପରେ ଯବାନଙ୍କ ପାର୍ଥିବ ଶରୀରକୁ କରୋନା ସଂକ୍ରମିତ ବୋଲି ଗାଁକୁ ପଶାଇ ଦେଲେନାହିଁ । ତାପରେ ପରିବାର ଲୋକେ ଯବାନଙ୍କ ମୃତ ଶରୀରକୁ ମହଗାଁ ସ୍ଥିତ ଶ୍ୱଶୁର ଘରକୁ ଆଣିଥିଲେ । ଉକ୍ତ ଗ୍ରାମରେ ଗ୍ରାମବାସୀମାନେ ପ୍ରତିବାଦ କରି ଥିଲେ ଯେ ଯବାନଙ୍କ ପାର୍ଥିବ ଶରୀରକୁ ପଶାଇ ଦେବେ ନାହିଁ ବୋଲି । ତେବେ ଖବର ପାଇବା ପରେ ସ୍ଥାନୀୟ ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ ଓ ସଇଁନ୍ତଲା ପୁଲିସ ଘଟଣା ସ୍ଥଲରେ ପହଞ୍ଚି ଲୋକଙ୍କୁ ବୁଝୁସୁଝା କରିଥିଲେ । ପରେ ଯବାନଙ୍କ ନିଜ ଭିଟାମାଟିକୁ ଶବକୁ ନେଇ ପୋତି ଦେଇଥିବା ଜଣା ପଡିଛି । ଜଣେ ଯବାନଙ୍କ ଶରୀରକୁ ସମ୍ମାନ ମିଳିନ ଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.