ବଲିଉଡରେ ବଲାଙ୍ଗିରର ଫିଲ୍ମ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ : ମୁକ୍ତିଲାଭ ଅପେକ୍ଷାରେ ୱେବ ସିରିଜ ‘ଝୋଲାଛାପ୍‌’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ୭ଟି କ୍ଷୁଦ୍ର ଚଳଚ୍ଚିତ୍ର ସଫଳତା ପାଇବା ପରେ ଏକ ବଡ ୱେବ ସିରିଜ ମୁକ୍ତିଲାଭ ଅପେକ୍ଷାରେ ରହିଛି । ଓଡିଶାର ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ତଥା ଅଭିନେତା ଚିତ୍ତରଂଜନ ତ୍ରିପାଠୀ ଏଥିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ଏହା ସହ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ ଅଭିନେତା ମୁସ୍ତାଖ ଖାନ, ମେହେକ ମନୱାନୀ ବିଭିନ୍ନ ଚରିତ୍ରରେ ଆସିବେ । ଏହି ୱେବ ସିରିଜ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । ଏ ନେଇ ସ୍ଥାନୀୟ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷ ଠାରେ ବଲାଙ୍ଗିରର ବଲିଉଡ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ସୂଚନା ଦେଇଛନ୍ତି ।

ଝୋଲାଛାପ୍‌ ସିରିଜରେ ଭାରତୀୟ ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ପ୍ରକୃତ ଚିତ୍ର ଉପରେ ଚିତ୍ରଣ କରାଯାଇଛି । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନେକ ଏମିତି ଗାଁ ରହିଛି, ଯେଉଁଠି ସ୍ୱାସ୍ଥ୍ୟ ସେବା ଅପହଞ୍ଚ ହୋଇ ରହିଛି । ଏହାର ସୁଯୋଗ ନେଇ ଅନେକ ଅପାଠୁଆ ଡାକ୍ତର(କ୍ୱାକ)ଙ୍କ ଦ୍ୱାରା ଲୋକେ ଚିକିତ୍ସିତ ହୋଇ ଆସୁଛନ୍ତି, ଯାହାର ପରିଣାମ ପରବର୍ତ୍ତୀ ସମୟରେ ସାଂଘାତିକ ରୂପ ଧାରଣ କରୁଛି । ଝୋଲାଛାପ୍‌ ସିରିଜ୍‌ରେ ତାକୁ ନେଇ ଚିତ୍ର ଓ ଚରିତ୍ର ଗୁଡିକ ଗତିଶୀଳ ହୋଇ ଉଠିଛି । କାହାଣୀର ମୁଖ୍ୟ ଉଦ୍ଦେଶ୍ୟ ଏହି ସିରିଜ ଜରିଆରେ ଜନସଚେତନା ସୃଷ୍ଟି ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେହିପରି କୋଭିଡ-୧୯ କଟକଣା ଯୋଗୁଁ ଚଳିତ ବର୍ଷ ହେବାକୁ ବିଭିନ୍ନ ଫିଲ୍ମ ବାତିଲ କରାଯାଇଛି । ତେବେ ଆସନ୍ତା ବର୍ଷ ଓଡିଶାରେ ବଲିଉଡ ଫିଲ୍ମ ନିର୍ମାଣ କରିବାର ଯୋଜନା ରହିଛି । ଏହି ଅଞ୍ଚଳର କଳା, ସଂସ୍କୃତିକୁ ନେଇ ନିର୍ମିତ ହେବାକୁ ଥିବା ବଲିଉଡ ଫିଲ୍ମରେ ସ୍ଥାନୀୟ କଳାକାରମାନଙ୍କୁ ବିଶେଷ ସୁଯୋଗ ଦିଆଯିବ । ଏହା ଉଭୟ ବଲାଙ୍ଗିର ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ସୁଟିଂ ହେବ । ଏଥି ପାଇଁ ସ୍ୱତନ୍ତ୍ର ଭାବେ ଅଡିସନ କରାଯିବ ଓ ସେଥିରୁ ଚୟନ ହୋଇଥିବା କଳାକାରମାନେ ବଲିଉଡର ବରିଷ୍ଠ କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇପାରିବେ ବୋଲି ନିର୍ଦ୍ଦେଶକ କହିଛନ୍ତି ।

ଜ୍ୟୋତି ପ୍ରକାଶ ହେଉଛନ୍ତି ବଲାଙ୍ଗିର ମାଟିର ପୁଅ । ସେ ତାଙ୍କର ଶିକ୍ଷା ଜବାହାର ନବୋଦୟ ବିଦ୍ୟାଳୟ ବେଲପଡା ଓ ପରେ ସମ୍ବଲପୁର ଜିଏମ କଲେଜରେ ବିଜ୍ଞାନ ବିଭାଗରେ ସ୍ନାତକ କରିଥିଲେ । ସେଠାରୁ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । ଦୀର୍ଘ ବର୍ଷ ଧରି ସେବା ଦେଲା ପରେ ସେବା ନିବୃତ୍ତ ହୋଇଥିଲେ । ୨୦୧୭ ମସିହାରେ ମହେଶ ଭଟ୍ଟଙ୍କ ଠାରୁ ନିର୍ଦ୍ଦେଶନା ପାଠ୍ୟ ଶିିକ୍ଷାଲାଭ ପରେ କ୍ଷୁଦ୍ର ଚଳଚ୍ଚିତ୍ର ଜଗତରେ ନିର୍ଦ୍ଦେଶନା ପାଇଁ ପାଦ ଥାପିଥିଲେ, ଯାହା ବିଗତ ଦିନରେ ଅନେକ ସଫଳତା ହାସଲ କରିଛି । ଏବେ ବଡ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହେଉଥିବା ଜ୍ୟୋତି ପ୍ରକାଶ କହିଛନ୍ତି ।

Leave A Reply

Your email address will not be published.