ମନରେଗା ଶ୍ରମିକମାନଙ୍କ ଦ୍ୱାରା ଡିଆର୍‌ଡିଏ କାର୍ଯ୍ୟାଳୟ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମନରେଗା ଶ୍ରମିକମାନଙ୍କ ଦ୍ୱାରା ବଲାଙ୍ଗିର ଡିଆର୍‌ଡିଏ କାର୍ଯ୍ୟାଳୟ ଘେରାଓ କରାଯାଇଛି । ବେଲପଡ଼ା ବ୍ଲକ୍‌ ମଧ୍ୟପୁର ଗ୍ରାମ ପଞ୍ଚାୟତର ଶ୍ରମିକମାନେ ଦୀର୍ଘ ଦିନ ହେଲା ମନରେଗା ଯୋଜନାରେ କାମ କରି ଆସିଛନ୍ତି । ଦାଦନ ପ୍ରବଣ ଅଂଚଳ ହୋଇଥିବାରୁ ମନରେଗା ଉପରେ ଭରସା ରଖି ପଞ୍ଚାୟତର ଶହ ଶହ ଶ୍ରମିକ ଏହି ଯୋଜନାରେ କାମ କରିଛନ୍ତି । କିନ୍ତୁ ତାଙ୍କ ପାରିଶ୍ରମିକ ଟଙ୍କାକୁ ସଲାସୁତୁରା କରି ହଡ଼ପ୍‌ କରାଯାଇଥିବା ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ବେଲପଡ଼ା ବ୍ଲକ୍‌ର କେନ୍‌କେବା ଓ ମଧ୍ୟପୁର ଗ୍ରାମର ଶ୍ରମିକମାନେ ପ୍ରାୟ ୨ ମାସ ଧରି ମନରେଗା ଯୋଜନାରେ ମାଟି ବୋହିବା କାମ କରି ଆସିଛନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ କେହି ଜଣେ ବି ଶ୍ରମିକ ତାଙ୍କ ପାରିଶ୍ରମିକ ପାଉଣା ପାଇନାହାନ୍ତି । ବାରମ୍ବାର ପାଟଣାଗଡ଼ ବ୍ଲକ୍‌ କାର୍ଯ୍ୟାଳୟକୁ ଦୌଡ଼ିଲେ ମଧ୍ୟ କିଛି ଲାଭ ମିଳିନାହିଁ । ସେମାନେ ଏହା ମଧ୍ୟ କହିଛନ୍ତି ଯେ, ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ଜଣେଇଥିଲେ ସୁଦ୍ଧା କୌଣସି ସୁଫଳ ପାଇନାହାନ୍ତି । ଏଣୁ ସେମାନେ ଆଜି ଡିଆର୍‌ଡିଏ କାର୍ଯ୍ୟାଳୟ ଘେରାଓ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ତେବେ ତୁରନ୍ତ ପାରିଶ୍ରମିକ ଟଙ୍କା ଦେବା ନେଇ ସେମାନେ ନାରାବାଜି କରିବା ସହ ସମସ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରୀରୁ ବହିସ୍କାର କରିବା ପାଇଁ ଦାବୀ କରିଥିଲେ । କିଛି ସମୟ ଧରି ଡିଆର୍‌ଡିଏ କାର୍ଯ୍ୟାଳୟରେ ହୋ-ହା, ଘୋ-ଘା, ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିବା ପୂର୍ବକ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ଅବରୋଧ କରି ଦେଇଥିଲେ ଶ୍ରମିକମାନେ । ପରେ ଡିଆର୍‌ଡିଏ ମୁଖ୍ୟଙ୍କ ଅନୁରୋଧ କ୍ରମେ ସେମାନେ ଆଲୋଚନା କରିଥିଲେ ଓ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନରୁ ଓହରିଥିଲେ । ଆନ୍ଦୋଳନର ନେତୃତ୍ୱ ନେଇଥିଲେ କୋଶଲ କ୍ରିୟାନୁଷ୍ଠାନ କମିଟିର ଯୁଧିଷ୍ଠିର ମିଶ୍ର, ସିପୁନ ଖମାରୀ, ମନ୍ଦାକିନୀ ପାଣିଗ୍ରାହୀ, ବାଳମୁକୁନ୍ଦ କସନା ପ୍ରମୁଖ ।

Leave A Reply

Your email address will not be published.