ଡାକ୍ତରଖାନାକୁ ଡାକ୍ତର ମନଇଚ୍ଛା ଆସୁଥିବା ନେଇ ରୋଗୀ ହଟହଟା : ଡାକ୍ତରଖାନା ଘେରାଉ କଲେ ଗ୍ରାମବାସୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ସମୟରେ ଲୋକଙ୍କୁ କିଭଳି ଭାବେ ଉଚିତ ଚିକିତ୍ସା ମିଳି ପାରିବ, ତାହାକୁ ନେଇ ବିଭାଗୀୟ ଅଧିକାରୀମାନେ ଡାକ୍ତରମାନଙ୍କୁ ପରାମର୍ଶ ଦେଉଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଯୋଗେଶ ବେହେରା ଡାକ୍ତର ଖାନାକୁ ମନଇଚ୍ଛା ଆସୁଥିବା ବେଳେ ରୋଗୀ ହଟହଟା ହେଉଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ ଏହି ଡାକ୍ତରଖାନା ଦୀର୍ଘ ୬୬ ବର୍ଷରୁ ଅଧିକ ହେବ ଅଞ୍ଚଳବାସୀଙ୍କୁ ଚିକିତ୍ସା ଯୋଗାଇ ଆସିଛି । କିନ୍ତୁ ବର୍ତ୍ତମାନ ଡାକ୍ତର ବେହେରା ମନଇଚ୍ଛା ଆସୁଥିବା ବେଳେ ତାଙ୍କ ବଦଳି ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି। ଅନ୍ୟପକ୍ଷରେ ଅନେକ ଥର ଏହି ଡାକ୍ତରଙ୍କ ବିରୋଧରେ ଅଭିଯୋଗ ମଧ୍ୟ ହୋଇଥିଲା। ତେବେ ଆଜି ସରପଞ୍ଚଙ୍କ ପ୍ରତିନିଧି ଟୁନୁ ରାଜପଲିଆଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକମାନେ ଡାକ୍ତରଖାନାକୁ ଘେରାଉ କରିଥିଲେ ।

ଅଂଚଳର ହଜାର ହଜାର ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ଏବେ କରୋନା ମହାମାରୀ ସମୟରେ ସ୍ଥାନୀୟ ଡାକ୍ତରଖାନା ଥିଲେ ମଧ୍ୟ ୫୦କିଲୋମିଟର ଯିବା ସହିତ ଚିକିତ୍ସିତ ହେଉଛନ୍ତି ଅତି ଗରିବ ଶ୍ରେଣୀର ଲୋକମାନେ। ପ୍ରକାଶ ଥାଉକି ଏହି ଅଞ୍ଚଳର ଲୋକମାନେ ଦାଦନ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଯାଇଥାନ୍ତି । ଏହି ନିରୀହ ଲୋକେ ଡାକ୍ତରକୁ ଭଗବାନ ବୋଲି ମାନନ୍ତି । ତାହାର ଏବେ ବ୍ୟତିକ୍ରମ ଦେଖାଦେଇଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହାର ତଦନ୍ତ କରି ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମର
ଗଦା ଧର ବଗର୍ତ୍ତି, ଚନ୍ଦ୍ରମଣୀ ମେହେର, ଗୋବିନ୍ଦ ଧରୁଆ, ଲଳିତା ବାଗ, ରୋହିତ ରାଜପଲିଆ, ସଞ୍ଜୁ ରଣା ପ୍ରମୁଖ ଘେରାଓରେ ସାମିଲ୍‌ ରହି ଦାବୀ କରିଛନ୍ତି ।

Leave A Reply

Your email address will not be published.