pakka

ନିଖୋଜ ଦୁଇ ଭଉଣୀଙ୍କ ମୃତ ଦେହ ତେଲ ନଦୀର ପୃଥକ୍‌ ପୃଥକ୍‌ ସ୍ଥାନରୁ ହେଲା ଉଦ୍ଧାର : ଦୁର୍ଘଟଣାଜନିତ ମୃତ୍ୟୁ ନା ଆତ୍ମହତ୍ୟା… ଏବେ ବି ସସ୍‌ପେନ୍‌ସ

ତୁଷୁରା, (ଅଜିତ କୁମାର ସାହୁ) : ତୁଷୁରା ଅଂଚଳର ବହୁ ଚର୍ଚିତ ଅନମୋଲ ଅଗ୍ରୱାଲ ଏବଂ ଆଂଚଲ ଅଗ୍ରୱାଲଙ୍କ ନିଖୋଜ ଘଟଣାର ଆଜି ଏକ ପ୍ରକାର ପୁର୍ନଛେଦ ପଡିଛି । ଦୁଇ ଭଉଣୀଙ୍କ ମୃତ ଦେହ ତେଲ ନଦୀର ଭିନ୍ନ ଭିନ୍ନ ପଠାରୁ ଉଦ୍ଧାର କରିଛି ପୋଲିସ ସହ ଓ଼ଡ୍ରାପ ଟିମ ।

ଗତ ୧୫ ତାରିଖରୁ ତୁଷୁରା ‌ସ୍ଥିତ ତେଲନଦୀ ବ୍ରିଜରୁ ନଦୀକୁ ଡେଇଁ ନିଖୋଜ ହୋଇ ଯାଇଥିବା ୨ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ସୋନପୁର ଜିଲ୍ଲା ତରଭା ସିଂହାଣୀ ପଞ୍ଚାୟତ ବଡ଼କେନ୍ଦା ନଦୀ କୂଳରୁ ଭାସମାନ ଅବସ୍ଥାରେ ଠାବ ହୋଇଥିବା ବେଳେ ବଡ଼ ଭଉଣୀ ଅନମୋଲ ଅଗ୍ରୱାଲଙ୍କ ମୃତ ଦେହ ବୌଦ୍ଧ ଜିଲ୍ଲା ବଉଁସୁଣୀ ନିକଟସ୍ଥ ତେଲ ନଦୀ ପଠାରୁ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ତେବେ ବଡ଼କେନ୍ଦ ଘାଟରୁ ଉଦ୍ଧାର ହୋଇଥିବା ମୃତା ଯୁବତୀ ଆଞ୍ଚଲ ଅଗ୍ରୱାଲା ବୋଲି ପୁଲିସ‌ ସୂତ୍ରରୁ ଜଣାପଡ଼ିଛି ।

ତେବେ ତାଙ୍କ ଭଉଣୀ ଅନମୋଲଙ୍କ ମୃତ ଦେହ ସେହି ସ୍ଥାନରୁ ଆହୁରି ଆଗକୁ ବାଉିଁଶୁଣି ନିକଟସ୍ଥ ତେଲ ନଦୀ ପଠାରୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି । ଗତ୧୫ ତାରିଖ ଦିନ ନିଜ ପରିବାରକୁ ପାଖ ଦୋକାନକୁ ଯାଉଛୁ କହି ଦୁଇ ଭଉଣୀ ଏକ ସ୍କୁଟି ଯୋଗେ ଦଶ କିଲୋମିଟର ଦୂର ତେଲ ନଦୀ ବ୍ରିଜ ଉପରକୁ ଆସି ସ୍କୁଟି ରଖି ଦୁଇ ଭଉଣୀ ତେଲ ନଦୀ ବ୍ରିଜ ଉପରେ ରହିଥିବା କେତେକ ଲୋକେ ଦେଖିଥିଲେ । ହେଲେ କିଛି ସମୟ ମଧ୍ୟରେ ବ୍ରିଜ ଉପରେ କେବଳ ସ୍କୁଟି ଓ ଚପଲ ଦୁଇ ଯୋଡ଼ା ରହିଥିବା ବେଳେ ଦୁଇ ଯୁବତୀଙ୍କ ପତ୍ତା ମିଳି ନଥିଲା । ଏମିତିକି ସେମାନେ ଏକ ପର୍ସ ଓ ମୋବାଇଲ ଧରି ଥିବା ଲୋକେ ଦେଖିବାକୁ ପାଇଥିଲେ । ହେଲେ କେବଳ ସ୍କୁଟି ଓ ଚପଲ ବ୍ରିଜ ଉପରେ ଥିବାବେଳେ ଦୁଇ ଭଉଣୀ ସହ ପର୍ସ ଏବଂ ମୋବାଇଲ ନଥିଲା ।

ଲୋକେ ନଦୀ ଭିତରେ ଏକ ଶବ୍ଦ ଶୁଣିଥିବା ବେଳେ ଦୁଇ ଭଉଣୀ ନଦୀରେ ଡେଇଁ ପଡ଼ିଥିବା ସନ୍ଦେହ କରିଥିଲେ । ଏମିତିକି କେତେକ ଲୋକେ ନଦୀ ଭିତରେ ଜଣେ ଯୁବତୀଙ୍କ ହାତ ବି ଉପରକୁ ଉଠିଥିବା ଦେଖି ଦୁଇ ଭଉଣୀ ନଦୀ ଭିତରକୁ ଡେଇଁ ପଡ଼ିଥିବା ଅନୁମାନ କରିଥିଲେ । ତେବେ ଦୁଇ ଭଉଣୀ ଏକା ସାଙ୍ଗରେ ବ୍ରିଜ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିବା ଘଟଣାକୁ ସ୍ଥାନୀୟ ଲୋକେ ବିଶ୍ୱାସ କରି ପାରୁନାହାନ୍ତି । କିଛି ଘଟଣା କ୍ରମରେ ଦୁଇ ଭଉଣୀ ନଦୀ ଭିତରେ ଖସି ଯାଇଥିବା ବା ପଡ଼ିଯାଇଥିବା ଅନୁମାନ କରୁଛନ୍ତି । ଏମିତିକି ବଡ଼ ଭଉଣୀ ବ୍ରିଜ ଉପରୁ ନଦୀରେ ଖସିପଡୁଥିବା ଦେଖି ନିଜ ଭଉଣୀକୁ ବଞ୍ଚାଇବାକୁ ଯାଇ ନିଜେ ନଦୀ ଭିତରକୁ ଡେଇଁ ପଡ଼ିଥିବା ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି । ତେବେ ଅନମୋଲ ଏବଂ ଆଂଚଲ ଅଗ୍ରୱାଲ ଆତ୍ମହତ୍ୟା ଘଟଣାକୁ ପରିବାର ଲୋକେ ବିଶ୍ୱାସ କରି ପାରୁନଥିବା ମଧ୍ୟ କହିଛନ୍ତି ।

ଘରେ ଶାନ୍ତି ଓ ଉତ୍ତମ ମାହୋଲ ରହିଥିବା ବେଳେ ଦୁଇ ଭଉଣୀ ବେଶ ହସ ଖୁସିରେ ରହୁଥିଲେ । ଏମିତି ସ୍ଥଳେ କାହିଁକି ଦୁଇ ଭଉଣୀ ଆତ୍ମହତ୍ୟା କରିବେ ବୋଲି ପରିବାର ତରଫରୁ କୁହାଯାଉଛି । ସେପଟେ ଘରେ ପାଖ ଦୋକାନକୁ ଯାଉଛୁ କହି ଦୁଇ ଭଉଣୀ ତୁଷୁରା କେମିତି ଆସିଲେ ଏବଂ ବ୍ରିଜ ଉପରେ କାହିଁକି ଛିଡା ହୋଇଥିଲେ ତାହା ଏବେ ବିବି ସସପେନ୍ସରେ ରହିଛି । ବାସ୍ତବରେ ଦୁଇ ଭଉଣୀ ଆତ୍ମହତ୍ୟା କରିବାକୁ ଆସିଥିଲେ ନା ବୁଲିବାକୁ ଆସିଥିଲେ, ତାହା ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି । କେହି କେହି ପ୍ରେମ ସମ୍ପର୍କକୁ ନେଇ ଅନମୋଲ ଉଦାସ ରହୁଥିବା ବି ଚର୍ଚ୍ଚା କରୁଥିବା ବେଳେ ସେହି ସମୟରେ ବ୍ରିଜ ଉପରେ ଏକ ବୋଲେରୋ ବି ରହିଥିବା ବିଷୟ ତୁଷୁରା ଅଂଚଳରେ ବେଶ ଚର୍ଚ୍ଚା ହେଉଛି । ଯଦି ଏହି ଚର୍ଚ୍ଚାରେ ସତ୍ୟତା ଥାଏ ତ ସେହି ବୋଲେରୋ ସହ ଏହି ସ୍କୁଟିରେ ଥିବା ଦୁଇ ଭଉଣୀଙ୍କ କିଛି ସମ୍ପର୍କ ଥିଲା କି … ତାହା ଏବେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନା ଉଭୟେ ତେଲ ନଦୀ ପଟେ ବୁଲିବାକୁ ଆସି ବ୍ରିଜ ଉପରେ ବସିଥିବା ବେଳେ ନଦୀ ଭିତରକୁ ଖସି ପଡ଼ିଥିଲେ ! ନା ମୋବାଇଲରେ ସେଲ୍ଫି ନେଉଥିବା ବେଳେ ଗୋଟିଏ ଭଉଣୀ ନଦୀରେ ଖସି ପଡୁଥିବା ବେଳେ ବଞ୍ଚାଇବାକୁ ଯାଇ ଆଉ ଜଣେ ନଦୀ ଭିତରକୁ ଡେଇଁ ପଡ଼ିଥିଲେ… ତାହା ବି ରହସ୍ୟମୟ ହୋଇ ରହିଛି । ଏବେ ମୃତ ଦୁଇ ଭଉଣୀଙ୍କ ଶବ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଶବ ଉଦ୍ଧାର ପରେ ଶବକୁ ବ୍ୟବଚ୍ଛେଦ କରାଯିବ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହି ଘଟଣାର କିଛି ରହସ୍ୟ ଉପରୁ ପରଦା ଉଠିବ । କିନ୍ତୁ ଏବେ ବି ଏହି ଘଟଣା ରହସ୍ୟ ଭିତରେ ରହିଛି । ଘଟଣା ନା ଦୁର୍ଘଟଣା, ଆତ୍ମହତ୍ୟା ନା ପ୍ରେମ ପ୍ରତାରଣାର କରୁଣ ପରିସ୍ଥିତି… ସେସବୁ ଏବେ କେବଳ ଚର୍ଚ୍ଚାର ବିଷୟ ସାଜିଛି । ପୋଲିସ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଆଗକୁ ତଦନ୍ତ କଣ ହେଉଛି ଏବଂ ଏହି ସସପେନ୍ସ ଉପରୁ କେତେ ପରଦା ଉଠି ପାରୁଛି !

ତେବେ ଘଟଣା ଯାହା ଥାଉନା କାହିଁକି, ଦୁଇ ଅମୁଲ୍ୟ ଜୀବନ ଦୀପ ଲିଭି ଯାଇଛି । ତୁଷୁରା ସମେତ ଗୁଡଭେଲା ଅଂଚଳରେ ଶୋକାକୁଳ ପରିବେଶ ଦେଖା ଦେଇଛି । ଦୁଇ ଭଉଣୀ ଗୁଡଭେଲା ଅଂଚଳରେ ମେଧାବୀ ଛାତ୍ରୀ ରହିଥିବା ବେଳେ ବେଶ ହସଖୁସିରେ ପରିବାରରେ ରହିଥିଲେ । ପରିବାର ଲୋକେ ଦୁଇଝିଅଙ୍କ ଉଜ୍ଜଳ ଭବିଷ୍ୟତର କଳ୍ପନା କରିଥିଲେ । ବଡ଼ ଝିଅ ଅନମୋଲର ବିବାହ ପାଇଁ ପ୍ରାର୍ଥୀ ଖୋଜା ଚାଲିଥିଲା । ହେଲେ ବିଧିର ବିଧାନ ଆଗରେ ସବୁ ମଉଳି ଗଲା । ଅଦିନିଆ ଝଡ଼ ପରି ପରିବାର ଆଗରେ କଳା ବାଦଲ ଘୋଟିଗଲା । ଗୋଟିଏ ଦିନରେ ଗୋଟିଏ ସ୍ଥାନରେ ଦୁଇ ଭଉଣୀଙ୍କ ଏପରି ଦୁଃଖଦ ମୃତ୍ୟୁକୁ ନେଇ ପୂରା ପରିବାର ଭାଙ୍ଗି ପଡିଛି ।

Leave A Reply

Your email address will not be published.

three × 1 =