
- ସ୍ୱତନ୍ତ୍ର ଭତ୍ତା ବଣ୍ଟନ ଉତ୍ସବରେ ୨୭୪ ଜଣଙ୍କୁ ଭତ୍ତା ପ୍ରଦାନ କଲେ ମନ୍ତ୍ରୀ
ବାରିପଦା, (ଦେବସ୍ମିତ ଚୌଧୁରୀ) : ମଧୁବାବୁ ପେନ୍ସନ୍ ଯୋଜନାରେ ବାରିପଦା ପୌରପାଳିକାର ୧, ୫୧୮ ଜଣ ନୂତନ ହିତାଧିକାରୀ ସାମିଲ ହୋଇଛନ୍ତି । ଏହି ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ଅବସରରେ ବାରିପଦାସ୍ଥିତ ଶହୀଦ ସ୍ମୃତି ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଭତ୍ତା ବଣ୍ଟନ ଉତ୍ସବରେ ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ୨୭୪ ଜଣ ହିତାଧିକାରୀଙ୍କୁ ନିଜ ହସ୍ତରେ ଭତ୍ତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବାରିପଦା ପୌରପାଳିକା ଅଞ୍ଚଳର ବହୁ ସଂଖ୍ୟକ ନୂତନ ଭତ୍ତା ହିତାଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ମଧୁବାବୁ ପେନ୍ସନ୍ ଯୋଜନାରେ ଅଧିକରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ କରିବା ସହ ବୟୋଜ୍ୟେଷ୍ଠ ନାଗରିକ, ବିଧବା ଓ ଦିବ୍ୟାଙ୍ଗଜନଙ୍କୁ ନିୟମିତ ସାମାଜିକ ସୁରକ୍ଷା ଓ ଆର୍ଥିକ ସହାୟତା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । କୌଣସି ଯୋଗ୍ୟ ବ୍ୟକ୍ତି ଯେପରି ଏହି ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଯୋଜନାର ସୁଫଳ ତୃଣମୂଳସ୍ତରରେ ପହଞ୍ଚାଇବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ବାରିପଦା ପୌରପାଳିକାର ଅଧ୍ୟକ୍ଷ କୃଷ୍ଣନନ୍ଦ ମହାନ୍ତି, ଉପାଧ୍ୟକ୍ଷା ସୀମା ଦାସ ଓ ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତଙ୍କ ସମେତ ପୌରପାଳିକାର କାଉନସିଲରମାନେ ଉପସ୍ଥିତ ଥିଲେ ।