jayashree

ସଙ୍କଟରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ

ଗଣତାନ୍ତ୍ରିକ ବ୍ୟବସ୍ଥାରେ ତିନୋଟି ସ୍ତମ୍ଭ ମଧ୍ୟରୁ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ତିନୋଟି ସ୍ତମ୍ଭ ଯଥା ସଂସଦୀୟ ବ୍ୟବସ୍ଥା, ବିଚାର ବିଭାଗ ଓ ଅମଲାତନ୍ତ୍ରକୁ ସରକାରୀ ସ୍ୱୀକୃତି ପ୍ରଦାନ କରାଯାଇଥିବା ବେଳେ ଏହି ତିନୋଟି ସ୍ତମ୍ଭର ଦୋଷ ତ୍ରୁଟିକୁ ଗଣମାଧ୍ୟମର ହିଁ ସଂଶୋଧନ କରିବା ଦାୟିତ୍ୱ ରହିଛି । କିନ୍ତୁ ଆଜି ଦେଶରେ ଦେଖା ଦେଇଥିବା ବିପର୍ଯ୍ୟସ୍ତ ପରିସ୍ଥିତିରେ ଗଣମାଧ୍ୟମ ସ୍ଥାଣୁ ପାଲଟିଯାଇଛି । ଅପରପକ୍ଷରେ କର୍ପୋରେଟ ହାଉସମାନଙ୍କ ଦ୍ୱାରା ଏହା ନିୟନ୍ତ୍ରିତ ହେଉଥିବାରୁ ଗଣମାଧ୍ୟମର ନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି । ସମ୍ବାଦପତ୍ର ହେଉ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମ, ଏହା ସବୁବେଳେ ସମାଜର ଜାଗ୍ରତ ପ୍ରହରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପରାଧୀନତାର ଶୃଙ୍ଖଳରୁ ଦେଶକୁ ମୁକ୍ତ କରିବା ପାଇଁ ବହୁ ନେତୃବୃନ୍ଦ ସମ୍ବାଦପତ୍ର ମାଧ୍ୟମରେ ଦେଶରେ ଜନମତ ସୃଷ୍ଟି କରିବାରେ ଲାଗି ପଡ଼ିଥିଲେ । ସେମାନଙ୍କ ବଳିଷ୍ଠ ଲେଖା ଦେଶରେ ନବ ଜାଗରଣ ସୃଷ୍ଟି କରିବାରେ ବେଶ୍‌ ଫଳପ୍ରଦ ହୋଇଥିଲା । ବାଳ ଗଙ୍ଗାଧର ତିଲକ, ଗୋପାଳକୃଷ୍ଣ ଗୋଖଲେ, ମହାତ୍ମା ଗାନ୍ଧୀଙ୍କ ଭଳି ନେତୃବୃନ୍ଦ ଏହି ସବୁ ସମ୍ବାଦପତ୍ର ପ୍ରକାଶନର ମଙ୍ଗ ଧରିଥିଲେ । ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖେଇବା ଥିଲା ଏହି ମହାପୁରୁଷ ମାନଙ୍କ ସମ୍ବାଦପତ୍ର ପ୍ରକାଶନର ମୂଳ ଉଦ୍ଦେଶ୍ୟ । ଠିକ୍‌ ସେହିପରି ସ୍ୱାଧୀନତାର ପ୍ରାକ୍‌ କାଳରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନେଇ ଯେଉଁ ଭାଷା ଆନ୍ଦୋଳନର ସୂତ୍ରପାତ ହୋଇଥିଲା ସେହି ଆନ୍ଦୋଳନକୁ ଆଗକୁ ନେବାରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ସାମ୍ବାଦିକ ଶଶିଭୂଷଣ ରଥ, ନୀଳମଣି ବିଦ୍ୟାରନ, ପଣ୍ଡିତ ନୀଳକଣ୍ଠ ଦାସ, କୃପାସିନ୍ଧୁ ନରେନ୍ଦ୍ର ଦେବ ପ୍ରମୁଖ ବିଭିନ୍ନ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ କରି ସେଥିରେ ଓଡ଼ିଆ ଓ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ନିଜର ମତ ଓ ମନ୍ତବ୍ୟ ରଖୁଥିଲେ । ସ୍ୱାଧୀନତା ପ୍ରାପ୍ତି ପରେ ଓଡ଼ିଶାରେ ସମ୍ବାଦପତ୍ର ସଂଖ୍ୟା ବୃଦ୍ଧି ପାଇଲା । ଅପରପକ୍ଷରେ କେତେକ ସମ୍ବାଦପତ୍ରର ମଧ୍ୟ ଅକାଳ ମୃତ୍ୟୁ ଘଟିଲା । ଅତୀତରେ ସାମ୍ବାଦିକମାନଙ୍କର ଦାୟିତ୍ୱବୋଧ ଓ ନିଷ୍ଠା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲା । ସେମାନଙ୍କ ପ୍ରତି ସବୁ ଶ୍ରେଣୀର ଜନସାଧାରଣଙ୍କ ସମ୍ମାନ ରହୁଥିଲା । ଆଜିକାଲି କିନ୍ତୁ ଏ କ୍ଷେତ୍ରରେ ଦାୟିତ୍ୱବୋଧ ଓ ନିଷ୍ଠା ଅଭାବରୁ ସାମ୍ବାଦିକତାର ମାନ ହ୍ରାସ ପାଇବାରେ ଲାଗିଛି । ଏହା ସହିତ ସମ୍ବାଦପତ୍ର ଗୁଡ଼ିକର ଯେଉଁ ମୌଳିକ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଥିଲା ତାହା ଆଜି ମଉଳିବାରେ ଲାଗିଛି । ସମ୍ପ୍ରତି ଅନେକ ସମ୍ବାଦପତ୍ର ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କ ମାଲିକାନାରେ ପ୍ରକାଶ ପାଉଥିବାରୁ ସମ୍ବାଦ ପରିବେଷଣରେ ଆଉ ନିରପେକ୍ଷତା ପରିଲକ୍ଷିତ ହେଉନାହିଁ । ଏହା ଦେଶ, ସମାଜ ଓ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ସମ୍ପ୍ରତି ଗଣମାଧ୍ୟମର ଗୁରୁତ୍ୱ ହ୍ରାସ ପାଇବା ସହ ଏହା ଜନସାଧାରଣଙ୍କ ବିଶ୍ୱାସନିୟତା ହରାଇ ବସିଲାଣି । ମୂଲ୍ୟବୋଧ ଓ ଅଙ୍ଗୀକାରବଦ୍ଧତାକୁ ଗୁରୁତ୍ୱ ନ ଦେବା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଦେଶର ସ୍ୱାଧୀନତା ପରେ ସମ୍ବାଦପତ୍ର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମୂଲ୍ୟବୋଧ ସହ କିନ୍ତୁ ସାଲିସ କରାଯାଉନଥିଲା । ଏଥିଯୋଗୁଁ ସମ୍ବାଦପତ୍ରରେ ସ୍ଥାନ ପାଉଥିବା ଖବରକୁ ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ । ଏକବିଂଶ ଶତାଦ୍ଦୀ ପ୍ରାରମ୍ଭରୁ ଗଣମାଧ୍ୟମରେ ବ୍ୟାପକ ପରିବର୍ତ୍ତନ ଆସିଛି । ଇଣ୍ଟରନେଟ ଓ ମୋବାଇଲ ଦ୍ୱାରା ୱେବ୍‌ ଚ୍ୟାନେଲ ଗଣମାଧ୍ୟମ ଖୁବ କମ ସମୟରେ ସମ୍ବାଦ ପାଇ ତାହାକୁ ପ୍ରକାଶନ କରାଯିବା ସହ ଟିଭି ଚ୍ୟାନେଲରେ ମଧ୍ୟ ପ୍ରଦର୍ଶିତ କରାଯାଇପାରୁଛି । ଅପରପକ୍ଷରେ ଏବେ ଗଣମାଧ୍ୟମ ପକ୍ଷପାତିତା ଓ ବ୍ୟକ୍ତିକୈନ୍ଦ୍ରିକ ହୋଇଥିବାରୁ ଏକାଧିକ ଖବରକାଗଜ ନ ପଢ଼ିଲେ ଓ ଏକାଧିକ ଟିଭି ଚ୍ୟାନେଲ ନ ଦେଖିଲେ ସମ୍ବାଦର ସତ୍ୟତା ଜାଣିବା ସମ୍ଭବପର ହେଉନାହିଁ । ସମ୍ବାଦପତ୍ର ଗୁଡ଼ିକରେ ଭିନ୍ନ ଭିନ୍ନ ଢଙ୍ଗରେ ସମ୍ବାଦ ଓ ମତ ମନ୍ତବ୍ୟ ପ୍ରକାଶ କରାଯାଉଥିବାରୁ ଏଭଳି ସମ୍ବାଦକୁ ଜନସାଧାରଣ ସହଜରେ ଗ୍ରହଣ କରିପାରୁନାହାନ୍ତି । ପୂର୍ବରୁ ସମ୍ବାଦପତ୍ରଗୁଡ଼ିକ ମିଶନ ଭାବେ କାର୍ଯ୍ୟ କରୁଥିଲା ଏବେ କିନ୍ତୁ କମିଶନ ବ୍ୟାପାରରେ ସମ୍ବାଦପତ୍ରମାନେ କାର୍ଯ୍ୟ କରୁଥିବା ଯୋଗୁଁ ସେମାନେ ଲକ୍ଷ୍ୟ ଓ ଆଦର୍ଶରୁ ବିଚ୍ୟୁତ ହେଉଛନ୍ତି । କର୍ପୋରେଟ ହାଉସମାନଙ୍କ କବଳରେ ଏବେ ବହୁ ସମ୍ବାଦପତ୍ର ପରିଚାଳିତ ହେଉଥିବା ଦୃଷ୍ଟିଗୋଚର ହେଉଛି । ସେହି କାରଣରୁ ଆଜିକାଲି ମୂଲ୍ୟ ବଦଳରେ (ପେଡ଼୍‌? ନ୍ୟୁଜ୍‌?) ସମ୍ବାଦ ଛାପିବା ବା ଟିଭିରେ ସମ୍ବାଦ ପରିବେଷଣ କରିବାର ଏକ ହୀନ ପରମ୍ପରା ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ଏ ପ୍ରକାର ଅନୈତିକ ଓ ହୀନ କାର୍ଯ୍ୟରେ କିଛି ଗଣମାଧ୍ୟମ ସମ୍ପୃକ୍ତ ରହୁଥିବାରୁ ଗଣମାଧ୍ୟମ ସାମୂହିକ ଭାବେ ଆଜି ସମାଜ ଆଖିରେ ନ୍ୟୁନ ହେବା ସହ ନିନ୍ଦିତ ମଧ୍ୟ ହେଉଛି । ଏବେ ଶିଳ୍ପପତିମାନେ ବଡ଼ ବଡ଼ ସମ୍ବାଦପତ୍ର ଓ ଗଣମାଧ୍ୟମକୁ ନିୟନ୍ତ୍ରଣ କରୁଥିବାରୁ ସମ୍ବାଦପତ୍ରର ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ସଙ୍କଟକୁ ଠେଲି ହୋଇଯାଇଛି । ଆଜିର ପରିପ୍ରେକ୍ଷୀରେ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଓ କର୍ମଚାରୀ ଏଥିପ୍ରତି ଯନବାନ ହେବା ସହ ଗଣମାଧ୍ୟମର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ କାର୍ଯ୍ୟ କରିବାର ସମୟ ଆସିଛି । ଅତୀତରେ ସମ୍ବାଦପତ୍ରର ଯେଉଁ ପ୍ରତିଷ୍ଠା ଓ ଲୋକପ୍ରିୟତା ରହିଥିଲା ତାହା ଦିନକୁ ଦିନ ନିମ୍ନଗାମୀ ହେଉଥିବାରୁ ସାଧାରଣରେ ଗଣମାଧ୍ୟମ ପ୍ରତି ଆସ୍ଥା ଓ ବିଶ୍ୱାସ ତୁଟି ଯାଉଥିବା ଘଟଣା ଉଦ୍‌ବେଗଜନକ । ବିଶେଷକରି ରାଜ୍ୟ ତଥା ଦେଶରୁ ପ୍ରକାଶ ପାଉଥିବା ହଜାର ହଜାର କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୂତନ ବିଜ୍ଞାପନ ନୀତି ଯୋଗୁଁ ବହୁ ସମ୍ବାଦପତ୍ର ବନ୍ଦ ହେବାକୁ ବସିଲାଣି । ଏପରିକି ପୂର୍ବରୁ ଜାତୀୟ ଦିବସ ମାନଙ୍କରେ ଡିଏଭିପି ପକ୍ଷରୁ ଦିଆଯାଉଥିବା ବିଜ୍ଞାପନକୁ ବନ୍ଦ କରି ଦିଆଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ କୋଭିଡକୁ ଦ୍ୱାହିଦେଇ ଗତ ଦେଢ଼ ବର୍ଷ ଧରି ରାଜ୍ୟ ସଚିବାଳୟକୁ ସାମ୍ବାଦିକ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କୌଣସି କାରଣ ନଥାଇ ଆକଟ କରାଯାଇଛି । ଏହା ମଧ୍ୟ ଗଣମାଧ୍ୟମର କଣ୍ଠରୋଧ ଅଟେ । ଭାରତ ବର୍ଷର ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୨ ବର୍ଷର ଶାସନ ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ଶାସନ ମଧ୍ୟରେ ଉଭୟେ କୌଣସି ସାମ୍ବାଦିକ ସମ୍ମିଳନୀର ସମ୍ମୁଖୀନ ହୋଇନଥିବା ଦୁର୍ଭାଗ୍ୟର ବିଷୟ । ଆଜିକାଲି ଗଣମାଧ୍ୟମରେ ଯାହା ପ୍ରକାଶ ପାଉଛି ତାହା ସଂପୃକ୍ତ ଗଣମାଧ୍ୟମର ବକ୍ତବ୍ୟ ନୁହେଁ । କାରଣ ସରକାର ଓ କର୍ପୋରେଟ ହାଉସମାନଙ୍କ ନିର୍ଦ୍ଦେଶରେ ଖବର ପରିବେଷିତ ହେଉଛି । ଅପରପକ୍ଷରେ ୧୯୭୫ ଜୁନ ୨୫ ଜରୁରୀକାଳିନ ପରିସ୍ଥିତି ବେଳେ ସମ୍ବାଦପତ୍ରର ଯେଉଁ କଣ୍ଠରୋଧ କରାଯାଉଥିଲା ସେହିଭଳି ଆଜି ମଧ୍ୟ ଅଘୋଷିତ ଭାବେ ସମ୍ବାଦପତ୍ର ଜରୁରୀ ପରିସ୍ଥିତି ଜାରି ହୋଇଥିବା ସ୍ପଷ୍ଟ ବାରି ହେଉଛି । ନିର୍ଦ୍ଦିଷ୍ଟ ବିଚାରଧାରା ଉପରେ ରୁଚି ରଖୁଥିବା ବ୍ୟକ୍ତିଙ୍କୁ ହିଁ ଗଣମାଧ୍ୟମରେ ଆଗକୁ ବଢ଼ିବାକୁ ଦିଆଯାଉଛି । ଯାହା ଫଳରେ ସମ୍ବିଧାନର ମୂଲ୍ୟବୋଧ ବିରୋଧୀ ଖବର ପ୍ରକାଶ ପାଉଛି । ଏହା ସତ୍ୱେ କେତେକ ମୁଷ୍ଟିମେୟ ଗରମାଧ୍ୟମ ସେମାନଙ୍କ ବିଚାରରୁ ଓହରି ନାହାଁନ୍ତି । ଦୀର୍ଘଦିନ ଧରି ଭୋଟ ଚୋରି ଘଟଣାର ପର୍ଦ୍ଧାଫାଶ କରିବାରେ ଇଣ୍ଡିଆନ ଏକ୍ସପ୍ରେସ୍‌ର ଏକ ରିପୋର୍ଟ ଭାରତ ବର୍ଷ ତଥା ବିଶ୍ୱରେ ହଲଚଲ ସୃଷ୍ଟି କରିପାରିଛି । ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ବା ସଂପାଦକ କିଛି ଲେଖିବା ପୂର୍ବରୁ ଭାବୁଛି ଯେ, ଏଭଳି ଲେଖା ଲେଖିବା ଉଚିତ କି ନୁହେଁ । ଏହି ପ୍ରକାର ବିଚାର ଯୋଗୁଁ ଗଣମାଧ୍ୟମ କ୍ଷମତାସୀନ ଦଳ ବା ସରକାରକୁ ପ୍ରଶ୍ନ କରିପାରୁନାହିଁ । ଭାରତ ବର୍ଷର ୧୦ଟି ନ୍ୟୁଜ୍‌ ଚ୍ୟାନେଲ ସରକାରଙ୍କ ନିୟନ୍ତ୍ରଣରେ ଥିବାରୁ ପ୍ରକୃତ ତଥ୍ୟ ପ୍ରକାଶିତ ହୋଇପାରୁନାହିଁ । ଏଭଳି ପରମ୍ପରା ଜାରି ରହିଲେ ଗଣମାଧ୍ୟମ ଆଗାମୀ ଦିନରେ ମୂଲ୍ୟହୀନ ହୋଇପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଆଜିର ଜାତୀୟ ପ୍ରେସ ଦିବସ ଅବସରରେ ଗଣମାଧ୍ୟମ ନିଜ ଲକ୍ଷ୍ୟ ଓ ଆଦର୍ଶରୁ ଯେଭଳି ବିଚ୍ୟୁତ ନ ହେବ ସେ ସମ୍ପର୍କରେ ବ୍ୟାପକ ବିଚାର ବିମର୍ଶ କରାଯିବା ଉଚିତ ।

ରବି ରଥ

Leave A Reply

Your email address will not be published.