ଓଡ଼ିଶା ସାମୁଦ୍ରୀୟ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

  • ପୁଞ୍ଜିନିବେଶ ଏବଂ ଶିଳ୍ପ ପ୍ରୋତ୍ସାହନ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର : ଓଡ଼ିଶା ସାମୁଦ୍ରୀୟ ପରିଷଦର (Odisha Maritime Board) ପ୍ରଥମ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ରାଜ୍ୟରେ ଥିବା ଛୋଟଛୋଟ ବନ୍ଦର ଗୁଡ଼ିକର କାର୍ଯ୍ୟକାରିତା, ନିୟନ୍ତ୍ରଣ ଓ ପରିଚାଳନା ନିମନ୍ତେ ଏହି ବୋର୍ଡ ଗତ ବର୍ଷ ପ୍ରତିଷ୍ଠା କରାଯାଇଛି । ଉକ୍ତ ପରିଷଦର ନିୟମ ଅନୁଯାୟୀ ବରିଷ୍ଠ ପଦାଧିକାରୀଙ୍କ ପଦବୀ ତୁରନ୍ତ ପୂରଣ ନିମନ୍ତେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସେବାରେ ଥିବା ଦକ୍ଷ ଅଧିକାରୀମାନଙ୍କୁ ପ୍ରତ୍ୟକ୍ଷ କିମ୍ବା ଡେପୁଟେସନ ମାଧ୍ୟମରେ ନିଯୁକ୍ତି କରି ପ୍ରଶାସନିକ କାର୍ଯ୍ୟକୁ ତ୍ୱରାନିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଉକ୍ତ ପରିଷଦ ନିଜସ୍ୱ ସମ୍ବଳରେ କାର୍ଯ୍ୟକ୍ଷମ କରିବା, ବନ୍ଦର ଉନ୍ନତିକରଣ, ପୁଞ୍ଜିନିବେଶ ଏବଂ ସାମୁଦ୍ରିକ ପରିବହନ ଉପରେ ନିର୍ଭରଶୀଳ ଶିଳ୍ପକୁ ପ୍ରୋତ୍ସାହନ ଦେବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି । ଏତତ୍ ବ୍ୟତୀତ ପରିଷଦର ଲୋଗୋ ଓ ଟ୍ୟାଗ ଲାଇନ ଡ଼ିଜାଇନ ପାଇଁ ସର୍ବସାଧାରଣଙ୍କ ଠାରୁ ପ୍ରତିଯୋଗିତାମୂଳକ ଏଣ୍ଟ୍ରି ଆହ୍ୱାନ କରାଯିବ । ଯୋଗ୍ୟ ବିବେଚିତ ଲୋଗୋକୁ ପୁରସ୍କୃତ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ବୈଠକରେ ପରିଷଦ ଗଠନ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାର ବେଳାଭୂମି ଏବଂ ଛୋଟଛୋଟ ବନ୍ଦର ମାଧ୍ୟମରେ ଆନ୍ତଃରାଜ୍ୟ ମାଲ୍ ପରିବହନ, ଆମଦାନୀ ଓ ରପ୍ତାନୀ ତଥା ବାଣିଜ୍ୟ ବ୍ୟବସାୟ ନିୟନ୍ତ୍ରଣ ନିମନ୍ତେ କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁଯାୟୀ ଏହି ବୋର୍ଡ ଗଠନରେ ଓଡ଼ିଶା ହେଉଛି ଦେଶର ପଞ୍ଚମ ରାଜ୍ୟ । ଜଳପଥରେ ମାଲ ପରିବହନ ହେବା ଦ୍ୱାରା ସ୍ଥଳଭାଗରେ ଆନ୍ତଃରାଜ୍ୟ ପରିବହନ ଜନିତ ଭିଡ଼ ଅନେକାଂଶରେ ହ୍ରାସ ହୋଇପାରିବ ।

ଉକ୍ତ ବୈଠକରେ ପାରାଦ୍ୱୀପ ବନ୍ଦର କତ୍ତୃପକ୍ଷ ଅଧ୍ୟକ୍ଷ ପି.ଏଲ.ହରନାଥ, ନୌବାହିନୀ କ୍ୟାପଟେନ ଦିବେଶ କୁମାର ସ୍ୱାଇଁ, ବିଭିନ୍ନ ବିଭାଗୀୟ ଅଧିକାରୀ, ଓଡ଼ିଶା ସାମୁଦ୍ରିୟ ପରିଷଦର ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ବ୍ଲାକ୍ ବ୍ରିକ୍ସ୍ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × 4 =