csstore

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହେଲା ନୂଆ ଯୋଜନା ଆଶୀର୍ବାଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅପ୍ରେଲ ପହିଲା ୨୦୨୦ ଦିନ ବା ତା ପରେ ଉଭୟ ବାପା, ମା’ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷା, ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶୀର୍ବାଦ ନାମରେ ନୂଆ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି । ବାପା, ମା’ ଉଭୟଙ୍କୁ ହରାଇ ଥିବା ପିଲା, ସିଙ୍ଗଲ ପେରେଣ୍ଟ ଏବଂ ଉପାର୍ଜନକାରୀ ବାପା ବା ମା’ଙ୍କ ମଧ୍ୟରୁ ଜଣକୁ ହରାଇଥିବା ପିଲା । ସମାଜର ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଏହି ପିଲମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ନିରାପଦ ପରିବେଶ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଶୀର୍ବାଦ ଯୋଜନାରେ ଏହି ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲମାନେ ସେମାନଙ୍କ ପରିବାର ଓ ଆତ୍ମୀୟ ସ୍ୱଜନ ମାନଙ୍କ ଗହଣରେ ହିଁ ରହିବେ ଏବଂ ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକମାନେ ଯେପରି ଠିକ୍ ଭାବରେ ଏ ପିଲାଙ୍କ ଯତ୍ନ ନେଇପାରିବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯୋଜନା ଅନୁଯାୟୀ ବାପା ମା’ ଉଭୟଙ୍କୁ ହରାଇ ଅସୁବିଧା ମଧ୍ୟରେ ଥିବା ପିଲାମାନଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ପିଲାର ଭରଣପୋଷଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ମାସିକ ୨୫୦୦ ଟଙ୍କା ଜମା କରାଯିବ । ପିଲାକୁ ୧୮ବର୍ଷ ହେବା ଯାଏଁ ସହାୟତା ଜାରି ରହିବ । ଯଦି ପିଲାକୁ କେହି ପୋଷ୍ୟ ଭାବରେ ଗ୍ରହଣ କରେ ସହାୟତା ଦିଆ ଯିବ ନାହିଁ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ । ଏହି ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ । ବାପା ମା’ଙ୍କ ମୃତ୍ୟୁ ପୂର୍ବରୁ ପିଲା ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲରେ ପଢ଼ା ଜାରି ରଖି ପାରିବେ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

jayashree
Leave A Reply

Your email address will not be published.