ଆଜିଠାରୁ ୧୮ରୁ ଉର୍ଦ୍ଧ ବର୍ଷ ପାଇଁ ଟୀକାକରଣ

  • ଜିଲ୍ଲାର ବିଭିନ୍ନ ବ୍ଲକର ୩୦ଟି ସହ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ଚିକିତ୍ସା କେନ୍ଦ୍ରର ଗୋଟିଏ କେନ୍ଦ୍ରରେ ଟୀକା ପ୍ରଦାନ
  • ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ
    ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା୧୯/୦୬/୨୧ଠାରୁ ତା୨୧/୦୬/୨୧ପର୍ୟ୍ୟନ୍ତ ୩ୟ ପର୍ୟ୍ୟାୟରେ ସୋନପୁର ମ୍ୟୁନିସିପାଲିଟିର ୮ଟି ସ୍ଥାନରେ ବ୍ୟବସ୍ଥିତ ୧୧ଟି ଟୀକାକରଣ କେନ୍ଦ୍ରରେ ପଂଜିକୃତ ୧୮ରୁ ୪୪ ବର୍ଷର ହିତାଧିକାରୀଙ୍କୁ ଟୀକାକରଣ ଚାଲୁ ରହିଥିବା ବେଳେ ପୁନଶ୍ଚ ତା ୨୧/୦୬/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକର ବ୍ୟବସ୍ଥିତ ୩୦ ଟି ଟୀକାକରଣ କେନ୍ଦ୍ର ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ଚିକିତ୍ସା କେନ୍ଦ୍ର ଠାରେ ଗୋଟିଏ କେନ୍ଦ୍ର ରେ ୧୮ ରୁ ଉର୍ଦ୍ଧ ବର୍ଷ ହିତାଧିକାରୀଙ୍କୁ ପ୍ରଥମ ଡୋଜ଼ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ୨ୟ ଡୋଜ଼ ଟୀକା ପ୍ରଦାନ କରାଯିବ । ୧୮ ରୁ ଉର୍ଦ୍ଧ ବର୍ଷର ହିତାଧିକାରୀ ଟୀକାକରଣ ନିମନ୍ତେ ପଂଜିକୃତ କରି ନିଯୁକ୍ତି ଚିଠାକୁ ଅନୁସୂଚିତ କରାଇପାରିବେ ଅଥବା ଉକ୍ତ ଦିନ ନିର୍ଧାରିତ ସମୟ ସକାଳ ଘଂ ୦୮-୦୦ରେ କେନ୍ଦ୍ରକୁ ଯାଇ ଟୀକା ନିମନ୍ତେ ଅଗ୍ରିମ ଟୋକନ ସଂଗ୍ରହ କରିପାରିବେ । ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ପ୍ରଦାନ କରାଯିବ । ଉକ୍ତ ଦିନ ଗୁଡିକରେ ପ୍ରଥମ ଡୋଜ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର, ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ଉକ୍ତ ଦିନଗୁଡ଼ିକରେ ସକାଳ ୯ରୁ ସନ୍ଧ୍ୟା ୫ ଘଣ୍ଟା ପର୍ୟ୍ୟନ୍ତ ଚାଲୁ ରହିବ । ପୁନଶ୍ଚ ଟୀକା ନେବା ନିମନ୍ତେ ୧୮ରୁ ୪୪ ବର୍ଷ ପାଇଁ ଅନଲାଇନ https://selfregistration.cowin.gov.inରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇପାରିବେ । ତା୨୦/୦୬/୨୧ ରାତ୍ର ୧୦ଟା ରୁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିବ । କେନ୍ଦ୍ରରେ ଟୀକାର ମହଜୁଦ ଅନୁସାରେ ୫୦% ସ୍ଲଟ ବୁକିଂ ଓ ୫୦% ଟୋକନ ମାଧ୍ୟମରେ ଟୀକାକରଣ କରାଯିବ ।
Leave A Reply

Your email address will not be published.