
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ନଭେମ୍ବର ୧ ତାରିଖରେ ପାଳନ ହେବ ପଞ୍ଚମ ଥର ପାଇଁ ବଲାଙ୍ଗିର ଦିନ । ଏହାକୁ ନେଇ ସହରରେ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବଲାଙ୍ଗରିର କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ସହ ଜିଲ୍ଲାର ଗୌରବମୟ ଐତିହ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ଅକ୍ଟୋବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯିବ । ଏଥିରେ ବିଭିନ୍ନ ବର୍ଗର ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ସେହିପରି ନଭେମ୍ବର ୧ ତାରିଖ ଦିନ କୋଶଳ କଳା ମଣ୍ଡଳରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବଲାଙ୍ଗିର ସହର ପରିକ୍ରମା କରିବ । ସନ୍ଧ୍ୟାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବକୁ ଆହୁରି ଆକର୍ଷଣୀୟ କରିବ । ଏନେଇ ବଲାଙ୍ଗିର ଦିନ ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପଞ୍ଚମ ବଲାଙ୍ଗିର ଦିନକୁ ସଫଳ କରିବା ପାଇଁ ଜିଲ୍ଲାବାସୀଙ୍କ ସହଯୋଗ ଓ ସହଭାଗିତା କାମନା କରିଛି ଆୟୋଜକ କମିଟି ।