
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ରାଜ୍ୟର ଅତ୍ୟଧିକ ଉତ୍ତପ୍ତ ସହର ଭାବେ ପରିଚିତ । ଟିଟିଲାଗଡ ବର୍ତ୍ତମାନ ଲଗାଣ ବର୍ଷାର ପ୍ରଭାବରେ ବେହାଲ ହୋଇପଡ଼ିଛି । ଗତ ଦୁଇ ଦିନ ଧରି ଅବିରତ ବର୍ଷା ହେବାରୁ ସହରର ବିଭିନ୍ନ ମୁଖ୍ୟ ରାସ୍ତା ଓ ସାହି ଭିତରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ନାଳର ପାଣି ରାସ୍ତା ଉପରେ ପ୍ରବାହିତ ହେବା ସହ କିଛି ୱାର୍ଡରେ ଲୋକଙ୍କ ଘର ଭିତରକୁ ମଧ୍ୟ ପଶିଯାଇଛି । ଘରେ ନାଳ ପାଣି ପଶିବାରୁ ଆସବାବପତ୍ର ଓ ଘରୋଇ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଥିବାବେଳେ ସ୍ଥାନୀୟ ବାସିନ୍ଦାମାନେ ନାହିଁ ନଥିବା ର୍ଦୁଭାଗ୍ୟର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ବର୍ଷା ସହ ନାଳ ଜାମ ଏବଂ ଠିକ୍ ଭାବେ ଜଳ ନିଷ୍କାସନ ନ ହେବା ଏହି ପରିସ୍ଥିତିର ମୁଖ୍ୟ କାରଣ ବୋଲି ସ୍ଥାନୀୟମାନେ ଅଭିଯୋଗ କରିଛନ୍ତି । ଏ ପରିସ୍ଥିତିରେ ଆଜି ସକାଳୁ ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀଙ୍କ ନେତୃତ୍ୱରେ ପୌର କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନରେ ଜାମ ହୋଇଥିବା ନାଳ ସଫା କରିବା ସହ ଆବର୍ଜନା ଅପସାରଣ କାର୍ଯ୍ୟରେ ଲାଗିପଡ଼ିଥିଲେ । ତେବେ ବର୍ଷା ପୂର୍ବରୁ ପ୍ରସ୍ତୁତି ବୈଠକ ଓ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ସତ୍ତ୍ୱେ ସହରରେ ଏଭଳି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷ କରି ‘ଆଇ ଲଭ ଟିଟିଲାଗଡ’ ପାର୍କ ନିକଟସ୍ଥ ଅଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ବିଫଳ ହେବାରୁ ବର୍ଷା ପାଣି ଘର ଭିତରକୁ ପଶିଯାଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନଙ୍କୁ ଦାବି କରିଛନ୍ତି ।
